ପର୍ଥ: ସୂର୍ଯ୍ୟ କୁମାରଙ୍କ ତେଜ ଓ ଅର୍ଶଦୀପ ସିଂହଙ୍କ ଘାତକ ବୋଲିଂ ସତ୍ତ୍ବେ ଭାରତ ଚଳିତ ଆଇସିସି‌‌‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ରବିବାର ପ୍ରଥମ ପରାଜୟ ବରଣ କରିଛି। ପର୍ଥର ଅପ୍ଟସ୍ ଷ୍ଟାଡିୟମ୍‌ ବାଉଁସି ପିଚ୍‌ରେ ୱେନ୍ ପାର୍ଣ୍ଣେଲ୍‌ ଓ ଲୁଙ୍ଗି ଏନ୍‌ଗିଡିଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇନପାରି ଭାରତ ମାତ୍ର ୧୩୩ ରନ୍‌ କରିଥିଲା। ଶୀର୍ଷକ୍ରମ ବ୍ୟାଟର୍‌ଙ୍କ ବିଫଳତା ହିଁ ଫରକ ପକାଇଥିଲା। ଭାରତ ଭଳି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଐଦେନ ମାରକ୍ରମ ଓ ‌ଡେଭିଡ୍‌ ମିଲରଙ୍କ ସଂଜମଭରା ଅର୍ଦ୍ଧଶତକୀୟ ପାଳି ଦକ୍ଷିଣ ଆଫ୍ରିକାର ବିଜୟକୁ ନିଶ୍ଚିତ କରିଥିଲା। ୨୦୧୧ ଦିନିକିଆ ବିଶ୍ବକପ୍‌ରେ ନାଗପୁରରେ ଭାରତକୁ ହରାଇବା ପରେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଏକ ଆଇସିସି ଇଭେଣ୍ଟରେ ଭାରତକୁ ହରାଇବାରେ ସକ୍ଷମ ହୋଇଛି। ରବିବାର କ୍ୟାଚ୍‌ ହାତଛଡ଼ା କରିବା ଏବଂ ରନ୍‌ ଆଉଟ୍ ସ‌ୁଯୋଗକୁ ହାତେଇ ନପାରିବା ଭାରତୀୟ ଦଳର ସାମଗ୍ରିକ ଦୁର୍ବଳତାକୁ ପଦାରେ ପକାଇଥିଲା। ଏହି ବିଜୟ ସହିତ ଦକ୍ଷିଣ ଆଫ୍ରିକା ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ସହ ୫ ପଏଣ୍ଟ ପାଇ ଟେବୁଲ୍‌ର ଶୀର୍ଷକୁ ଲମ୍ଫ ମାରିଛି। ଭାରତ ଦ୍ବିତୀୟକୁ ଖସିଥିବା ବେଳେ ବାଂଲାଦେଶ ତୃତୀୟକୁ ଉଠିଛି।

Advertisment

ପର୍ଥର ଅପ୍ଟସ୍ ଷ୍ଟାଡିୟମ୍‌ରେ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲେ। ଭାରତ ମଧ୍ୟ ଏକମାତ୍ର ପରିବର୍ତନ ଭାବେ ଅକ୍ଷର ପଟେଲଙ୍କୁ ବସାଇ ଅଲରାଉଣ୍ଡର୍‌ ଦୀପକ ହୁଦାଙ୍କୁ ଖେଳାଇଥିଲା। ୪ ଜଣିଆ ପେସ୍‌ ଆକ୍ରମଣ ସହ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଭାରତର ମୁଖ୍ୟ ଶକ୍ତି ବ୍ୟାଟିଂକୁ ପ୍ରଥମରୁ ଧ୍ବସ୍ତ ବିଧ୍ବସ୍ତ କରି ଦେଇଥିଲା। ୱେନ୍ ପାର୍ଣ୍ଣେଲ୍‌ ପ୍ରଥମ ଓଭର ମେଡେନ୍ ପକାଇଥିଲେ। ରୋହିତ ଶର୍ମା ଓ କେଏଲ୍ ରାହୁଲ କିନ୍ତୁ ପରବର୍ତୀ ଦୁଇ ଓଭରରେ ଛକା ମାରି ନିଜ ରନ୍‌ ଖାତା ଖୋଲିଥିଲେ। ଏହାକୁ କିନ୍ତୁ ଆଗକୁ ନେଇ ପାରିନଥିଲେ। ସତର୍କତାର ଖେଳୁଥିବା ଉଭୟ ଭାରତୀୟ ପ୍ରାରମ୍ଭିକ ବ୍ୟାଟର୍ କିନ୍ତୁ ଗୋଟିଏ ଓଭରରେ ବିଦାୟ ନେଇଯାଇଥିଲେ। ପ୍ରଥମ ପରିବର୍ତନ ତଥା ପଞ୍ଚମ ଓଭର ବୋଲିଂ କରିଥିବା ଲୁଙ୍ଗି ଏନଗିଡି ପ୍ରଥମେ ରୋହିତଙ୍କୁ ନିଜ ବୋଲିଂରେ କ୍ୟାଚ୍‌ କରିବା ପରେ ରାହୁଲଙ୍କୁ ମାରକ୍ରମଙ୍କ ହାତରେ କ୍ୟାଚ୍‌ କରାଇ ନେଇଥିଲେ। ପବରର୍ତୀ ଓଭରରେ ଭାରତର ଭରସା ବିରାଟ କୋହଲିଙ୍କୁ ବି ପ୍ୟାଭିଲିଅନ୍‌ ରାସ୍ତା ଦେଖାଇଥିଲେ। ବିଶ୍ବକପ୍‌ ପଦାର୍ପଣ ସ‌ୁଯୋଗ ପାଇଥିବା ଦୀପକ ହୁଦା ୩ ବଲ୍‌ ଖେଳି ଖାତା ‌ଖୋଲିବା ପୂର୍ବରୁ ଅନରିକ୍ ନର୍ଖିୟାଙ୍କ ଶିକାର ହୋଇଯାଇଥିଲେ। ହାର୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ ବି ନିରାଶ କରିଥିଲେ। ତେବେ ଷଷ୍ଠ ଓଭରରୁ ପଡ଼ିଆକୁ ଆସିଥିବା ସୂର୍ଯ୍ୟକୁମାର ଯାଦବ (୪୦ ବଲ୍‌ରୁ ୬୮ ରନ୍‌) ଲଗାତାର ଅର୍ଦ୍ଧଶତକ ହାସଲ କରି ଭାରତକୁ ସମ୍ମାନଜନକ ସ୍କୋର୍‌ ପ୍ରଦାନ କରିବାରେ ମୁଖ୍ୟ ଥିଲେ। ଏନଗିଡି-ପାର୍ଣ୍ଣେଲ୍ ମିଳିତ ଭାବେ ୭ ୱିକେଟ୍‌ ନେଇ ଭାରତକୁ ୧୩୩/୯ରେ ରୋକି ଦେଇଥିଲେ।

ଜବାବରେ ନିଜ ପ୍ରଥମ ଓଭରରେ ହିଁ ଯୁବ ବାମହାତୀ ବୋଲର୍ ଅର୍ଶଦୀପ ସିଂହ ଦକ୍ଷିଣ ଆଫ୍ରିକାକୁ ଦୁଇଟି ଝଟକା ଦେଇଥିଲେ। କ୍ବିଣ୍ଟନ୍ ଡି’କକ୍‌, ରିଲି ରୋସୋଙ୍କୁ ଗୋଟିଏ ବଲ୍ ବ୍ୟବଧାନରେ ଆଉଟ୍ କରିଥିଲେ। ଅଧିନାୟକ ତେମ୍ବା ବଭୂମାଙ୍କୁ ମହମ୍ମଦ ସାମି କଟ୍ ବିହାଇଣ୍ଡ୍ କରାଇ ନେବାରୁ ପାୱାର ପ୍ଲେ ଶେଷ ବେଳକୁ ଦକ୍ଷିଣ ଆଫ୍ରିକା ୨୪/୩ରେ ସଂଘର୍ଷ କରିଥିଲା। ଦଶମ ଓଭର ସୁଦ୍ଧା ଦକ୍ଷିଣ ଆଫ୍ରିକା ୪୦/୩ରେ ସଂଘର୍ଷ କରୁଥିଲା। ତେବେ ନିଜକୁ ଜମାଇ ଦେବା ପରେ ମାରକ୍ରମ ଓ ମିଲର୍‌ ସେହିଠାରୁ ଆକ୍ରମଣ ଆରମ୍ଭ କରି ମ୍ୟାଚ୍‌କୁ ଦଳ ସପକ୍ଷକୁ ନେଇଥିଲେ। ତଥାପି ଭାରତ ୧୭ତମ ଓଭର ପର୍ଯ୍ୟନ୍ତ ନିୟନ୍ତ୍ରଣରେ ରହିଥିଲା। ୧୮ତମ ଓଭର ପ୍ରଥମ ୨ ବଲ୍‌ରେ ଅଶ୍ବିନଙ୍କୁ ମିଲର୍ ୨ ଛକା ମାରିବା ନିର୍ଣ୍ଣାୟକ ହୋଇଥିଲା। ଅଶ୍ବିନ୍ ନିଜ ଶେଷ ୨ ଓଭରରେ ୩୦ ରନ୍ ବ୍ୟୟ କରିବା ଏହି ଲୋ ସ୍କୋରିଂ ମୁକାବିଲାରେ ମ୍ୟାଚ୍‌ ହାତଛଡ଼ାର ଅନ୍ୟତମ କାରଣ ଥିଲା। ମାରକ୍ରମ ଓ ମିଲର୍‌ ୧୦ ଓଭରରେ ୭୬ ରନ୍‌ ଯୋଡ଼ି ସବୁ ଓଲଟପାଲଟ କରି ଦେଇଥିଲେ। ଅର୍ଶଦୀପ (୪-୦-୨୫-୨) ସଫଳ ଏବଂ ମହମ୍ମଦ ସାମି (୪-୦-୧୩-୧) ମିତବ୍ୟୟୀ ବୋଲର ରହିଥିଲେ। ଚୂଡାନ୍ତ ଦଳକୁ ପ୍ରତ୍ୟାବର୍ତନ କରିଥିବା ଲୁଙ୍ଗି ଏନଗିଡି ମ୍ୟାଚ୍‌ର ଶ୍ରେଷ୍ଠ‌ ଖେଳାଳି ବିବେଚିତ ହୋଇଥିଲେ। ଭାରତ ନିଜର ପରବର୍ତୀ ମ୍ୟାଚ୍‌ ବୁଧବାର ଅପରାହ୍ଣ ୧.୩୦ରେ ବାଂଲାଦେଶ ସହ ଖେଳିବ।