ଟି-ଟ୍ବେଣ୍ଟି ବିଶ୍ବକପ୍‌ ବିବାଦ, ପ୍ରଶିକ୍ଷକଙ୍କ ଉପରେ ଚାପ ପକାଉଥିଲେ ମିତାଲି: ପାୱାର

ମୋ ଜୀବନର ସବୁଠୁ କଳା ଦିବସ: ମିତାଲି

ନୂଆଦିଲ୍ଲୀ: ଗତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ବରିଷ୍ଠ ‌ଖେଳାଳି ମିତାଲି ରାଜ୍‌ଙ୍କୁ ଇଂଲଣ୍ଡ୍‌ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ସେମିଫାଇନାଲ୍‌ ମ୍ୟାଚ୍‌ରୁ ବାଦ୍‌ ଦେବା ପ୍ରସଙ୍ଗ ଥମିବାର ନା ଧରୁନାହିଁ। ମିତାଲିଙ୍କ ସହିତ ଅଧିନାୟିକା ହର୍‌ମନ୍‌ପ୍ରୀତ୍‌ କୌର ଓ ପ୍ରଶିକ୍ଷକ, ପ୍ରବନ୍ଧକଙ୍କୁ କାରଣ ଦର୍ଶାଇବା ପାଇଁ ଉଚ୍ଚତମ ନ୍ୟାୟାଳୟ ନିଯୁକ୍ତ ସିଓଏ (ପ୍ରଶାସକ ସମିତି) ସମନ ଜାରି କରିବା ପରେ ବିବାଦ ଲମ୍ବିଚାଲିଛି। ଉଭୟ ମିତାଲି ଓ ହର୍‌ମନ୍‌ପ୍ରୀତ୍‌ ଅଲଗା ଅଲଗା ଭାବେ ବିସିସିଆଇ ସିଇଓ ରାହୁଲ୍‌ ଜୋହରି ଓ କ୍ରିକେଟ୍‌ ପରିଚାଳନା ମୁଖ୍ୟ ସବା କରିମ୍‌ଙ୍କ ନିକଟରେ ସେମାନଙ୍କ ମତ ରଖିଥିଲା ବେଳେ ବୁଧବାର ପ୍ରଶିକ୍ଷକ ରମେଶ ପାୱାର ଏହି ଦୁଇ ଅଧିକାରୀଙ୍କୁ ଭେଟିଥିଲେ। ତେବେ ପାୱାର ବିସିସିଆଇ ଅଧିକାରୀଙ୍କ ନିକଟରେ ବିସ୍ଫୋରକ ବୟାନ ରଖିଥିଲେ। ମିତାଲି ବାରମ୍ବାର ପ୍ରଶିକ୍ଷକ ଓ ସହକାରୀଙ୍କୁ ଧମକଚମକ ଦେଉଥିଲେ। ସେ ଦଳୀୟ ସ୍ବାର୍ଥ ଅପେକ୍ଷା ନିଜର ବ୍ୟକ୍ତଗିତ ସ୍ବାର୍ଥ ପାଇଁ ସବୁ‌ବେଳେ ପ୍ରଶିକ୍ଷକଙ୍କ ଉପରେ ଚାପ ପ୍ରୟୋଗ କରୁଥିଲେ। ଏପରିକି ପାଳି ଆରମ୍ଭ କରିବାକୁ ଚାପ ପକାଉଥିଲେ ଏବଂ ପାଳି ଆରମ୍ଭ ସୁଯୋଗ ନଦେଲେ ଅବସର ଘୋଷଣା କରି ଘରକୁ ଫେରିଯିବାର ଧମକ ଦେଉଥିବା ପାୱାର କହିଛନ୍ତି। କେବଳ ସେତିକି ନୁହେଁ, ମିତାଲି ସବୁବେଳେ ଦଳୀୟ ସାଥୀଙ୍କଠୁ ଦୂରରେ ରହୁଥିଲେ। ସେ ପୂରା ଅଲଗା ଥିଲେ ଏବଂ ତାଙ୍କର ଜିଦ୍‌ଖୋର ମନୋଭାବ ଯୋଗୁଁ ଡ୍ରେସିଂ ରୁମ୍‌ରେ ତାଙ୍କ ସହ ଦଳର କୌଣସି ଯୋଜନା ସଂପର୍କରେ ଆଲୋଚନା କରିବା ମଧ୍ୟ କଷ୍ଟସାଧ୍ୟ ହେଉଥିଲା। ଅନ୍ୟାୟ ଭାବେ ତାଙ୍କ କଥାକୁ ଗ୍ରହଣ କରିବାକୁ ମଧ୍ୟ ସେ ଏକରକମ ବାଧ୍ୟ କରୁଥିଲେ ବୋଲି ପାୱାର ଇମେଲ୍‌ରେ ଜୋହରି ଓ କରିମ୍‌ଙ୍କୁ ସ୍ପଷ୍ଟିକରଣ ଦେଇଥିଲେ। ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ରେ ତାଙ୍କୁ ବ୍ୟାଟିଂ ମିଳିନଥିଲା ବେଳେ ଦ୍ବିତୀୟ ଓ ତୃତୀୟ ମ୍ୟାଚ୍‌ରେ ସେ ଅର୍ଧଶତକ ଜମାଇଥିଲେ। ହେଲେ ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ଆଦୌ ଭଲ ନଥିଲା। ସେ କେବଳ ନିଜର ମାଇଲଖୁଣ୍ଟ୍‌ ପ୍ରତିଷ୍ଠା ଲକ୍ଷ୍ୟରେ ରହୁଥିଲେ। ଫଳରେ ଦଳୀୟ ସ୍ବାର୍ଥକୁ ପଛରେ ପକାଇ ବ୍ୟକ୍ତିଗତ ସ୍ବା‌ର୍ଥ ହାସଲରେ ଲାଗୁଥିଲେ। ଦ୍ବିତୀୟ ମ୍ୟାଚ୍‌ ପରେ ପରେ ସେ ସବୁ ମ୍ୟାଚ୍‌ରେ ପାଳି ଆରମ୍ଭ କରିବାକୁ ଆମ ଉପରେ ଚାପ ପକାଇବା ସହ ଧମକ ଦେବାକୁ ପଛାଉନଥିଲେ ବୋଲି ପାୱାର ଗୁରୁତର ଅଭିଯୋଗ ବାଢ଼ିଛନ୍ତି। ମିତାଲି ଜଣେ ଅତ୍ୟନ୍ତ ସ୍ବାର୍ଥପର। ତାଙ୍କ ପାଇଁ ସେ ଆଗ, ଦଳ ପଛ ବୋଲି ମିତାଲି ଭାବିଥାନ୍ତି। ତେଣୁ ଦଳର ସ୍ବାର୍ଥ ଦୃଷ୍ଟିରୁ ତାଙ୍କୁ ସେମିଫାଇନାଲ୍‌ରୁ ବାଦ୍‌ ଦିଆଯାଇଥିଲା। ଦଳର ସ୍ବାର୍ଥକୁ ପଛରେ ପକାଇ ବ୍ୟକ୍ତିଗତ ସ୍ବାର୍ଥ ହାସଲ ପାଇଁ ମିତାଲି ପ୍ରଶିକ୍ଷକଙ୍କୁ ବ୍ଲାକ୍‌ମେଲ୍‌ କରିବା ଏବଂ ଚାପ ପ୍ରୟୋଗ କରିବା ଅଭ୍ୟାସ ବନ୍ଦ କରନ୍ତୁ ବୋଲି ପାୱାର କହିଛନ୍ତି। ତାହା ନକରି ତାଙ୍କ ବାଦ୍‌ ପାଇଁ ମୋତେ ଦାୟୀ କରିବା ଏବଂ ମୁଁ ତାଙ୍କୁ ଅପମାନିତ କରିବା କଥା ଆଦୌ ଯଥାର୍ଥ ନୁହେଁ ବୋଲି ପାୱାର କହିଛନ୍ତି। ତେଣୁ ମିତାଲି ବ୍ୟକ୍ତିଗତ ସ୍ବା‌ର୍ଥକୁ ପଛକୁ ଠେଲି ଭାରତୀୟ ମହିଳା କ୍ରିକେଟ୍‌ର ଉନ୍ନତି ପାଇଁ ଚିନ୍ତା କରନ୍ତୁ ବୋଲି ପାୱାର ପରାମର୍ଶ ଦେଇଛନ୍ତି।

ନୂଆଦିଲ୍ଲୀ: ତାଙ୍କ ବିରୋଧରେ ପ୍ରଶିକ୍ଷକ ପାୱାରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିବାକୁ ଯାଇ ମିତାଲି କହିଛନ୍ତି, ଏହା ମୋ ଜୀବନର ସବୁଠୁ କଳା ଦିନ। ଦେଶ ପାଇଁ ଲମ୍ବା ସମୟ ଧରି ସେବା ଦେବା ପରେ ଏଭଳି କଥା ଶୁଣିବାକୁ ଯେ ମିଳିବ ତାହା ଚିନ୍ତାର ବାହାରେ। ବ୍ୟାଟିଂକ୍ରମ (ବିଶେଷକରି ପାଳି ଆରମ୍ଭ)କୁ ନେଇ ଅବସର ନେଇଯିବାର ଧମକ ଦେବା, ଦଳ ମଧ୍ୟରେ ଏକୁଟିଆ ରହିବା ଏବଂ ଯୋଜନା ରୁପାୟନ ବେଳେ ଅସହଯୋଗ କରିବା ଆଦି ଅଭିଯୋଗ ମୋତେ ବାଧିଲା। ଏଭଳି କଥା ଶୁଣିବା ‌ବେଳେ ମୋ ଜୀବନର ସବୁଠୁ ଅନ୍ଧାର ଦିନ ବୋଲି ଭାବିବା ଭାରତୀୟ ମହିଳା କ୍ରିକେଟ୍‌ ଦଳର ବରିଷ୍ଠ ଖେଳାଳି ମିତାଲି ରାଜ୍‌ କହିଛନ୍ତି। ବୁଧବାର ତାଙ୍କ ବିରୋଧରେ ପାୱାରଙ୍କ ବିବାଦୀୟ ଅଭିଯୋଗ ଉପରେ ଗୁରୁବାର ମିତାଲି ନିଜ ଅଫିସିଆଲ ଟ୍ବିଟର ପୃଷ୍ଠାରେ ସକ୍ଷିପ୍ତ ବିବୃତି ରଖିଛନ୍ତି। ଏହି ବିବୃତିରେ ସେ ଉଲ୍ଲେଖ କରିଛନ୍ତି, ମୋ ଉପରେ ପାୱାର ଲଗାଇଥିବା ଆରୋପ ମୋତେ ଖୁବ୍‌ ବାଧିଛି। ମୁଁ ପୂରା ଦୁଃଖିତ ଏବଂ ମାନସିକ ଭାବେ ଭାଙ୍ଗି ପଡିଛି। ଖେଳ ପ୍ରତି ମୋର ଅଙ୍ଗୀକାରବଦ୍ଧତା ଏବଂ ୨୦ ବର୍ଷ ଧରି ଦେଶ ପାଇଁ ଖେଳିବା ସବୁକିଛି ପାୱାରଙ୍କ ଭିତ୍ତିହୀନ ଆରୋପ ପରେ ମୂଲ୍ୟହୀନ ହୋଇପଡ଼ିଲା ବୋଲି ମିତାଲି ଲେଖିଛନ୍ତି। କଠିନ ପରିଶ୍ରମ, ଝାଳନାଳ ଅଭ୍ୟାସ ସବୁକିଛି ବୃଥା ଗଲା। ମୋର ଦେଶଭକ୍ତି ନେଇ ସନ୍ଦେହ ଉପୁଜିଲା। ମୋର ସାମର୍ଥ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲା। ଏପରିକି ସବୁକିଛି ଅନ୍ଧାର ହୋଇଗଲା। ତେଣୁ ବୁଧବାର ମୋ ପାଇଁ ସବୁଠୁ ଅନ୍ଧାର ଦିନ ପାଲଟିଗଲା ଏବଂ ଏହାକୁ ସହ୍ୟ କରିବା ପାଇଁ ଭଗବାନ ମୋତେ ଶକ୍ତି ଦିଅନ୍ତୁ ବୋଲି ମିତାଲି ତାଙ୍କ ବିବୃତିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର