ବିବାଦୀୟ ଟିପ୍ପଣୀ ଓ ଟ୍ବିଟ୍‌ କରି ହରଡ଼ଘଣାରେ ସାହା: ଟ୍ବେଣ୍ଟି-୨୦ ବିଶ୍ବକପ୍ ଦଳକୁ ନେଇ ଦ୍ବନ୍ଦ୍ବ ନାହିଁ

ସାହାଙ୍କ ପ୍ରତିକ୍ରିୟା ବାଧିନି: ଦ୍ରାବିଡ଼

ମୁମ୍ବାଇ: ବିସିସିଆଇ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ ପୂର୍ବକ ବିବାଦୀୟ ଟିପ୍ପଣୀ ଓ ଟ୍ବିଟ୍‌ କରି ଏବେ ହରଡ଼ଘଣାରେ ପଡ଼ିଛନ୍ତି ଭାରତୀୟ କ୍ରିକେଟ୍ ଦଳର ବରିଷ୍ଠ ୱିକେଟ୍‌ରକ୍ଷକ ବ୍ୟାଟର୍‌ ଋଦ୍ଧିମାନ ସାହା। ଜଣେ ସାମ୍ବାଦିକଙ୍କଠାରୁ ଅପମାନସୂଚକ ବାର୍ତ୍ତା ପାଇବା ଏବଂ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ବିସିସିଆଇ ମଧ୍ୟ ଘଟଣାକୁ ଗୁରୁତର ସହ ନେଇଛି। ଏହାକୁ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବା ସହ ଅନ୍ୟ ଅନୁରୂପ ଆପତ୍ତି ଉପରେ ନଜର ରଖିବ ବୋଲି କହିଛି ବିସିସିଆଇ। ଋଦ୍ଧିମାନଙ୍କ ସାକ୍ଷାତକାରର ବିସ୍ତୃତ ବିବରଣୀ ମିଳିବା ପରେ ପ୍ରତିଟି ଦିଗକୁ ବିଚାରକୁ ନିଆଯିବ ବୋଲି ଜଣେ ବିସିସିଆଇ ଅଧିକାରୀ ପ୍ରକାଶ କରିଛନ୍ତି। ସାହା ବିସିସିଆଇର ଜଣେ ଚୁକ୍ତିବଦ୍ଧ କ୍ରିକେଟର୍‌। ତାଙ୍କ ଅପମାନକୁ ବରଦାସ୍ତ କରାଯିବ ନାହିଁ। ଯଦି ଏହା ଭିତରେ କୌଣସି ସମ୍ପର୍କ ଥିବ ଦେଖିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଭାରତୀୟ ଦଳରୁ ବାଦ୍‌ ପଡ଼ିବା ପରେ ସାହା ରବିବାର କହିଥିଲେ ‘କାନପୁରରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଆହତ ହେବା ସତ୍ତ୍ବେ ମୁଁ ୬୧ ରନ୍‌ କରିବା ପରେ ଦାଦି (ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି) ମୋତେ ଅଭିନନ୍ଦନ ବାର୍ତ୍ତା ପଠାଇ ଲେଖିଥିଲେ-ମୁଁ ଥିବା ଯାଏଁ ଚିନ୍ତା କରନାହିଁ। ତେଣୁ ଗୋଟିଏ ଶୃଙ୍ଖଳା ପରେ ଦଳରୁ ବାଦ୍‌ ପଡ଼ିବାରୁ ସ୍ବାଭାବିକ ଭାବେ ମୋତେ ଚକିତ କରିଛି’। ଏବେ ପ୍ରଶ୍ନ ଉଠୁଛି କେଉଁ କ୍ଷମତା ଭିତ୍ତିରେ ସୌରଭ ଗାଙ୍ଗୁଲି ଋଦ୍ଧିମାନ ସାହାଙ୍କୁ ଦଳ ଚୟନରେ ପ୍ରତିଶ୍ରୁତି ଦେଉଥିଲେ। ରାହୁଲ ଦ୍ରାବିଡ଼ଙ୍କ କଥା ବୁଝା ପଡ଼ୁଛି। ସେ ଦଳର ମୁଖ୍ୟ ପ୍ରଶିକ୍ଷକ ହୋଇଥିବାରୁ ଏଭଳି କଥା କହିପାରିବେ। କାରଣ ଏହା ପ୍ରଶିକ୍ଷକ-ଖେଳାଳିର ସମ୍ପର୍କ। କିନ୍ତୁ ଜଣେ ବିସିସିଆଇ କର୍ମକର୍ତା ଭାବେ ଏଭଳି ପ୍ରତିଶ୍ରୁତି ଦେବା ‘ଅତ୍ୟନ୍ତ ଭୁଲ୍‌ କଥା’ ବୋଲି ସମ୍ପୃକ୍ତି ବିସିସିଆଇ ଅଧିକାରୀ ଜଣଙ୍କ ପ୍ରକାଶ କରିଛନ୍ତି। ନିକଟରେ ଗାଙ୍ଗୁଲି ମଧ୍ୟ ବିସିସିଆଇ ଚୟନ ସମିତି ବୈଠକରେ ଯୋଗଦେବା ଭ୍ରୁକୁଞ୍ଚନ ସୃଷ୍ଟି କରିଥିଲା। ପ୍ରଥମେ ବିରାଟ କୋହଲିଙ୍କ ଅଧିନାୟକତ୍ବ ପ୍ରସଙ୍ଗ ପରେ ଏବେ ଋଦ୍ଧିମାନ ସାହାଙ୍କ ବିବାଦୀୟ ଘଟଣା ଗା‌ଙ୍ଗୁଲିଙ୍କୁ ମଧ୍ୟ ବିବାଦ ଭିତରକୁ ଟାଣିଛି।

ବାସ୍ତବରେ ପ୍ରଥମେ ଜଣେ ସାମ୍ବାଦିକ କେଉଁଠି ସାହାଙ୍କୁ ହ୍ବାଟସଆପ୍‌ରେ ବାର୍ତ୍ତା ପଠାଇ ଲେଖିଥିଲେ ‘ସେମାନେ ଜଣେ ୱିକେଟ୍‌ରକ୍ଷକ ବାଛିଛନ୍ତି, ଯିଏ ଶ୍ରେଷ୍ଠ। ତୁମେ ୧୧ ଜଣ ସାମ୍ବାଦିକଙ୍କୁ ବାଛିଲ ଯେଉଁମା‌ନେ ମୋ ମତରେ ଶ୍ରେଷ୍ଠ ନୁହଁନ୍ତି। ଏମିତି ଲୋକଙ୍କୁ ବାଛ ଯିଏ ସହାୟତା କରିପାରିବ।’ ପୁଣି ଥରେ ଲେଖିଥ‌ିଲେ ‘ତୁମେ କଲ୍ କଲ ନାହିଁ। ମୁଁ ଆଉ କେବେ ତୁମ ସାକ୍ଷାତକାର ନେବି ନାହିଁ। ମୁଁ ଏଥିପାଇଁ ଅପମାନିତ ନୁହେଁ। ମୁଁ ଏହାକୁ ମନେ ରଖିବି। କିନ୍ତୁ ତୁମେ ଏଭଳି କରିବା ଉଚିତ୍ ନ ଥିଲା’। ଯାହାକି ବିସିସିଆଇର ଜଣେ ଚୁକ୍ତିବଦ୍ଧ କ୍ରିକେଟର୍‌ ପାଇଁ କଷ୍ଟକର ଥିଲା। ଅନ୍ୟପକ୍ଷରେ ଋଦ୍ଧିମାନ ସାହାଙ୍କ ଅସନ୍ତୋଷ ପରେ ବୀରେନ୍ଦ୍ର ସେହବାଗ, ହରଭଜନ ସିଂହ, ଆର୍‌ ପି ସିଂହ, ଆକାଶ ଚୋପ୍ରା ଏପରିକି ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ ପ୍ରମୁଖ ଏହି ବେଙ୍ଗଲ୍‌ ୱିକେଟ୍‌ରକ୍ଷକଙ୍କୁ ସମର୍ଥନ କରିଥିଲେ। ସାମ୍ବାଦିକଙ୍କ ଧମକ ଦୁର୍ଭାଗ୍ୟଜନକ। ବିସିସିଆଇ ସଭାପତି ଏବେ ହସ୍ତକ୍ଷେପ କରିବାର ବେଳ ଆସିଛି ବୋଲି ଶାସ୍ତ୍ରୀ ଟ୍ବିଟ୍‌ କରିଛନ୍ତି। ବିସିସିଆଇ ଇତିମଧ୍ୟରେ ସାହାଙ୍କୁ ଅ‌ନୁରୋଧ କରି ସମସ୍ତ ହ୍ବାଟସଆପ୍‌ ବାର୍ତ୍ତାକୁ ପ୍ରେରଣ ଲାଗି କହିଛି। ବିସିସିଆଇର ମୁଖ୍ୟ ଚିନ୍ତା ହେଉଛି ସମାନ ଧରଣର ସମସ୍ୟା କାଳେ ଅନ୍ୟ କ୍ରିକେଟର୍‌ଙ୍କୁ ଏଭଳି ପ୍ରଭାବିତ କରୁଥିବ।

ସାହାଙ୍କ ପ୍ରତିକ୍ରିୟା ବାଧିନି: ଦ୍ରାବିଡ଼
ନିଜ ସମ୍ପର୍କରେ ଋଦ୍ଧିମାନ ସାହାଙ୍କ ପ୍ରତିକ୍ରିୟାକୁ ନେଇ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ବିଚଳିତ ହୋଇନାହାନ୍ତି। ଦ୍ରାବିଡ଼ କହିଛନ୍ତି ‘‘ଋଦ୍ଧିମାନଙ୍କ କଥା ମୋତେ ଆଦୌ ବାଧିନାହିଁ। ଭାରତୀୟ କ୍ରିକେଟ୍ ପ୍ରତି ତାଙ୍କ ଅବଦାନ ପ୍ରତି ମୋର ଗଭୀର ସମ୍ମାନ ରହିଛି। କିନ୍ତୁ ଆମ ବାର୍ତ୍ତାଳାପ ଯେଉଁଠି ହୋଇଥିଲା ସେଥି ପ୍ରତି ତାଙ୍କ ସଚ୍ଚୋଟତାର ଆବଶ୍ୟକତା ଥିଲା।’’ ବାସ୍ତବରେ ଉଭୟଙ୍କ ବାର୍ତ୍ତାଳପ ଡ୍ରେସିଂ ରୁମ୍‌ରେ ହୋଇଥିଲା। ମୁଁ ଏଭଳି ଆଲୋଚନା ଖେଳାଳିଙ୍କ ସହ ନିରଂତର କରିଥାଏ, ଖେଳାଳିମାନେ ମୋ ସହ ଏକମତ ହୁଅନ୍ତୁ ବୋଲି ମୁଁ ସବୁବେଳେ ଆଶା ରଖେନାହିଁ। ଏବେ ବି ସେଭଳି ଚାଲିଛି। ‌ଖେଳାଳିଙ୍କ ସହ ମଧ୍ୟ କଷ୍ଟକର ଆଲୋଚନା କରାଯାଇଥାଏ। ଏହ‌ାର ଅର୍ଥ ନୁହେଁ ଆଲୋଚନାର ତର୍ଜମା ଅପରିହାର୍ଯ୍ୟ। ମୁଁ ଏଭଳି ଆଲୋଚନାରେ ବିଶ୍ବାସ କରେ। ପ୍ରତିଟି ଚୂଡ଼ାନ୍ତ ଏକାଦଶ ଚୟନ ବେଳେ କିଛିଙ୍କୁ ବୁଝାଇବାକୁ ପଡ଼େ ଯେ ସେ କାହିଁକି ଖେଳୁନାହାନ୍ତି। ଏହା ସ୍ବାଭାବିକ କଥା ହୋଇଥିଲେ ବି ଖେଳାଳିଙ୍କୁ ବାଧିଥାଏ ବୋଲି ଦ୍ରାବିଡ଼ ରୋକଠୋକ୍ ପ୍ରକାଶ କରିଥିଲେ। ଋଦ୍ଧିମାନ ବାସ୍ତବରେ କହିଥିଲେ ‘ଦକ୍ଷିଣ ଆଫ୍ରିକା ଗସ୍ତରେ ମୋତେ ରାହୁଲ ଦ୍ରାବିଡ଼ ‌ଡ୍ରେସିଂ ରୁମ୍‌ରେ ଏକ ଘରୋଇ ଆଲୋଚନାରେ କହିଥ‌ିଲେ, ଅବସର କଥା ଚିନ୍ତା କର’। ଦ୍ରାବିଡ଼ ଏବେ ଏହ‌ା ପଛର ଯୁକ୍ତିକୁ ଦର୍ଶାଇଛନ୍ତି।

ଋଷଭ ପନ୍ତ୍ ନିଜକୁ ଭାରତର ୧ ନମ୍ବର ୱିକେଟ୍‌ରକ୍ଷକ ଭାବେ ପ୍ରତିଷ୍ଠିତ କରି ସାରିଥିବାରୁ ଋଦ୍ଧିମାନଙ୍କୁ ଆଉ ସୁଯୋଗ ମିଳିବା ସମ୍ଭାବନା କମ୍‌। କାରଣ ଭବିଷ୍ୟତକୁ ନଜରରେ ରଖି ବିସିସିଆଇ ନିଶ୍ଚିତ ଜଣେ ଯୁବ ୱିକେଟ୍‌ରକ୍ଷକ (କେଏସ୍ ଭରତ)ଙ୍କୁ ଗଢ଼ି ତୋଳିବାକୁ ଚେଷ୍ଟା କରିବ। ଦ୍ବନ୍ଦ୍ବ ପ୍ରସଙ୍ଗରେ ଆଲୋଚନାକୁ ଏଡ଼ାଇବା ଅପେକ୍ଷା ନିଛକ ସତ କହିବାକୁ ଦ୍ରାବିଡ଼ ପସନ୍ଦ କରିଥାନ୍ତି। ‘ଖେଳାଳିଙ୍କ ସହ ଆଲୋଚନା ନ କରିବା ମୋ ପାଇଁ ସହଜ ହୁଅନ୍ତା। କିନ୍ତୁ ମୁଁ ସେଭଳି କରିପାରିବି ନାହିଁ। କିନ୍ତୁ ସେମାନେ ଏଭଳି ଆଲୋଚନାକୁ ସମ୍ମାନ ଜଣାଇବାକୁ ଦୃଢ଼ମନା ଦେଖାଇବାର ଆବଶ୍ୟକତା ରହିଛି’ ବୋଲି କହିଛନ୍ତି କିଂବଦନ୍ତି କ୍ରିକେଟର୍‌ ଦ୍ରାବିଡ଼।

ଟ୍ବେଣ୍ଟି-୨୦ ବିଶ୍ବକପ୍ ଦଳକୁ ନେଇ ଦ୍ବନ୍ଦ୍ବ ନାହିଁ

କୋଲକାତା: ବିଶ୍ବକପ୍‌ ଦଳକୁ ନେଇ ଅଧିନାୟକ ରୋହିତ ଶର୍ମା, ମୁଁ, ଚୟନକର୍ତ୍ତା ଏବଂ ବିସିସିଆଇ ଏକମତ ଅଛୁ। ଏହାକୁ ନେଇ କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ। ଆମ ମନରେ କିନ୍ତୁ ଦଳୀୟ ସନ୍ତୁଳନ ଏବଂ ଗଠନ ନେଇ କୌଣସି ଦ୍ବନ୍ଦ୍ବ ନାହିଁ। ଏହି କ୍ଷେତ୍ରରେ ଆମ ଭାବନା ପ୍ରାୟ ସମାନ। ଆମେ ଯାହା କେବଳ ଏଥିରେ ଛୋଟ ମୋଟ ପରିବର୍ତ୍ତନ କରୁଛୁ। ଢାଞ୍ଚା କିନ୍ତୁ ଏକପ୍ରକାର ପ୍ରସ୍ତୁତ ସରିଛି। ତା ସହ ଆମେ ମଧ୍ୟ ଖେଳାଳିଙ୍କ ବ୍ୟକ୍ତିଗତ ବୋଝର ସୁପରିଚାଳନା ଉପରେ ଜୋର୍ ଦେଉଛୁ। ଅଷ୍ଟ୍ରେଲିଆରେ କି ପ୍ରକାରର କୌଶଳ ଦରକାର, ସେ ବିଷୟରେ ମଧ୍ୟ ଆମର ଭଲ ଜ୍ଞାନ ରହିଛି। ଦୌଡ଼ରେ ଥିବା ଖେଳାଳିମାନେ ମଧ୍ୟ ଏକଥା ଜାଣିଛନ୍ତି। ଆମେ କିନ୍ତୁ ପ୍ରତ୍ୟେକ ଖେଳାଳିଙ୍କୁ ସମାନ ସୁଯୋଗ ଦେବାକୁ ଚାହୁଛୁ।’’ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ତଥା ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ଼ ଭାରତର ବିଶ୍ବକପ୍ ଦଳ ଗଠନ ଏବଂ ସନ୍ତୁଳନକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେହିଭଳି ଖେଳାଳିଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ ମଳିବା ଉପରେ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି ସେ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶେଷ ଟ୍ବେଣ୍ଟି-୨୦ ସହ ଶ୍ରୀଲଙ୍କା ଶୃଙ୍ଖଳାର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ୱିକେଟ୍ ରକ୍ଷକ ଋଷଭ ପନ୍ତଙ୍କୁ ବିଶ୍ରାମ ମିଳିବାର ଏହା ହିଁ ଏକମାତ୍ର କାରଣ ବୋଲି ସଙ୍କେତ ଦେଇଥିଲେ ଦ୍ରାବିଡ଼। ଅନ୍ୟପକ୍ଷରେ ଯୁବ ଖେଳାଳିଙ୍କ ଦକ୍ଷତାର ମାପ ଗୋଟିଏ କିମ୍ବା ଦୁଇଟି ଶୃଙ୍ଖଳାର ପ୍ରଦର୍ଶନ ଆଧାରରେ ହେବନି। ବରଂ ସେମାନେ ଦୀର୍ଘମିଆଦି ସୂତ୍ରରେ କିଭଳି ପ୍ରଦର୍ଶନ ଦେଉଛନ୍ତି, ତାହାକୁ ଗୁରୁତ୍ବ ଦିଆଯିବ ବୋଲି ଏହି ଅବସରେ ସ୍ପଷ୍ଟ କରିଦେଇଥିଲେ ଦି ୱାଲ ଭାବେ ସର୍ବ ପରିଚିତ ଦ୍ରାବିଡ଼। ଋତୁରାଜ ଗାଏକ୍ବାଡ୍, ଅଭେସ ଖାନ୍, ଭେଙ୍କଟେଶ ଆୟରଙ୍କ ଭଳି ଖେଳାଳିଙ୍କୁ ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ ଆଖ୍ୟା ଦେଇଥିଲେ ସେ।

ସମ୍ବନ୍ଧିତ ଖବର