ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ୫୦ ୱିକେଟ୍‌: ବୁମ୍‌ରା ଦ୍ବିତୀୟ ଭାରତୀୟ

ନୂଆଦିଲ୍ଲୀ ଭାରତୀୟ ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ଟ୍ବେଣ୍ଟି-୨୦ ଆନ୍ତର୍ତାତିକ କ୍ରିକେଟ୍‌ରେ ୫୦ ୱିକେଟ୍‌ ପୂରଣ କରିବାରେ ଦ୍ବିତୀୟ ଭାରତୀୟ ହୋଇଛନ୍ତି। ରବିବାର ବିଶାଖାପାଟଣାରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ପିଟର ହ୍ୟାଣ୍ଡ୍‌ସକମ୍ବ୍‌ଙ୍କୁ ମହେନ୍ଦ୍ର ସିଂହ ଧୋନିଙ୍କ ହାତରେ କ୍ୟାଚ୍‌ ଆଉଟ୍‌ କରି ବୁମ୍‌ରା ୫୦ ୱିକେଟ୍‌ର ମାଇଲଖୁଣ୍ଟରେ ପହଞ୍ଚି ଯାଇଥିଲେ। ଏହା ପୂର୍ବରୁ ବୁମ୍‌ରାଙ୍କ ୪୯ତମ ୱିକେଟ୍‌ ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ୍‌ ଫିଞ୍ଚ୍‌ ରହିଥିଲେ। ରବିବାର ମ୍ୟାଚ୍‌ର ଦ୍ବିତୀୟ ଓଭରର ପ୍ରଥମ ବଲ୍‌ରେ ଫିଞ୍ଚ୍‌ଙ୍କୁ ବୁମ୍‌ରା ଏଲ୍‌ବିଡବ୍ଲୁ କରିଦେଇଥିଲା ବେଳେ ଚତୁର୍ଥ ଓଭରରେ ହିଁ ହ୍ୟାଣ୍ଡ୍‌ସକମ୍ବ୍‌ଙ୍କୁ ଶିକାର କରିଥିଲେ। ପୁଣି ଏହାର ପର ବଲ୍‌ରେ ନାଥନ୍‌ କୁଲ୍‌ଟର ନାଇଲ୍‌ଙ୍କୁ ମଧ୍ୟ ଆଉଟ୍‌ କରି ବୁମ୍‌ରା ତାଙ୍କ ୱିକେଟ୍‌ ସଂଖ୍ୟା ୫୧ରେ ପହଞ୍ଚାଇଥିଲେ। ଏହି ମ୍ୟାଚ୍‌ରେ ବୁମ୍‌ରା ୪-୦-୧୬-୩ର ବୋଲିଂ ଚିତ୍ର ପାଇଥିଲେ। ଭାରତୀୟ ବୋଲର ଭାବେ ୫୦ ୱିକେଟ୍‌ ଅକ୍ତିଆର କରିବାରେ ଅଫ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ (୫୨) ପ୍ରଥମରେ ରହିଛନ୍ତି। ତେବେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ସବୁଠୁ ଅଧିକ ୱିକେଟ୍‌ ନେବାର କୀର୍ତିମାନ ଏବେ ବି ପାକିସ୍ତାନ ଅଲ୍‌ରାଉଣ୍ଡର ସାହିଦ୍‌ ଆଫ୍ରିଦି (୯୮)ଙ୍କ ନାମରେ ଅତୁଟ ରହିଛି।

ସମ୍ବନ୍ଧିତ ଖବର