ମୁମ୍ବାଇ: ବିଦାୟୀ ୨୦୧୭ ବର୍ଷ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ରେ ଭାରତୀୟ କ୍ରିକେଟ୍ ଦଳ ୫ ଓ୍ଵିକେଟ୍ ବିଜୟରେ ଅଭିଯାନ ଶେଷ କରିଛି। ଶ୍ରୀଲଙ୍କା ବିପକ୍ଷ ଏହି ଶୃଙ୍ଖଳାକୁ ୩-୦ରେ ମଧ୍ୟ ମୂଳପୋଛି ନେଇଛି। ଭାରତୀୟ ଦଳ ମଧ୍ୟ ବିଦାୟୀ ବର୍ଷରେ ଖେଳିଥିବା ୧୨ଟି ଯାକ ସବୁ ଫର୍ମାଟ ଶୃଙ୍ଖଳାକୁ ଜିତି ଅପରାଜେୟ ରହିଲା। ଶ୍ରୀଲଙ୍କା ବିପକ୍ଷରେ ଭାରତ ଟେଷ୍ଟ୍ ଶୃଙ୍ଖଳାକୁ ୧-୦ରେ, ଦିନିକିଆକୁ ୨-୧ରେ ଜିତିବା ପରେ ଏବେ ଟେ୍ଵଣ୍ଟି-୨୦କୁ ୩-୦ରେ ଜିତି ଶ୍ୱେତ ଧୂଲେଇ ସଫଳତା ପାଇଛି। ବାମହାତୀ ଦ୍ରୁତ ବୋଲର ଜୟଦେବ ଉନାଦ୍କଟ୍ (୪-୦-୧୫-୨) ମ୍ୟାଚ୍ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ସହିତ ନିଜ ଅନ୍ତର୍ଜାତୀୟ ପ୍ରତ୍ୟାବର୍ତନକୁ ସ୍ମରଣୀୟ ରଖିଲେ।
ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିବା ଭାରତ ଶ୍ରୀଲଙ୍କା ବ୍ୟାଟସମ୍ୟାନ୍ଙ୍କୁ ନିୟମିତ ବ୍ୟବଧାନରେ ପ୍ୟାଭିଲିଅନ୍ ପଠାଇବାରେ ସକ୍ଷମ ହୋଇଥିଲା। ଲଗାତାର ତୃତୀୟ ମ୍ୟାଚ୍ରେ ଜୟଦେବ ଉନାଦକଟ୍ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏଥର ତାଙ୍କ ଶିକାର ହୋଇଥିଲେ ନିରୋଶନ ଡିକ୍ ଓ୍ଵଲା (୧)। ଅନ୍ୟତମ ପ୍ରାରମ୍ଭିକ ଖେଳାଳି ଉପୁଲ ଥରଙ୍ଗା (୧୧)ଙ୍କୁ ମଧ୍ୟ ଜୟଦେବ ଆଉଟ୍ କରିଥିଲେ। କୁସାଲ ପେରେରା (୪)ଙ୍କୁ ନିଜର ପ୍ରଥମ ଟେ୍ଵଣ୍ଟି-୨୦ ଅନ୍ତର୍ଜାତୀୟ ଓ୍ଵିକେଟ୍ ବନାଇଥିଲେ ଅଫସ୍ପିନ୍ ଅଲରାଉଣ୍ଡର୍ ଓ୍ଵାସିଂଟନ୍ ସୁନ୍ଦର। ୧୮ ରନ୍ରେ ୩ ଓ୍ଵିକେଟ୍ ହରାଇବା ପରେ ଶ୍ରୀଲଙ୍କା ପାଇଁ ଆସେଲା ଗୁଣରତ୍ନେ (୩୬, ୩୭ ବଲ୍, ୩ ଚୌକା) ଏବଂ ସଦୀରା ସମରବିକ୍ରମା (୨୧, ୧୭ ବଲ୍, ୩ ଚୌକା) ଲଢ଼ିଥିଲେ। ଏହି ଯୋଡ଼ି ୩୮ରନ୍ ଭାଗୀଦାରି କରିଥିଲେ। ଉଭୟଙ୍କ ଓ୍ଵିକେଟ୍ ନେଇ ହାର୍ଦିକ ପାଣ୍ଡ୍ୟା ଶ୍ରୀଲଙ୍କା ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଶେଷ ଭାଗରେ ଦାସୁନ ସନକା (୨୯*, ୨୪ ବଲ୍, ୨ ଛକା) ଶ୍ରୀଲଙ୍କାକୁ ୧୩୫ ରନ୍ର ସମ୍ମାନଜନକ ସ୍କୋର୍ ପ୍ରଦାନରେ ପ୍ରମୁଖ ଭୂମିକା ନେଇଥିଲେ। ଭାରତ ପକ୍ଷରୁ ଜୟଦେବ ଉନାଦକଟ୍, ହାର୍ଦିକ ପାଣ୍ଡ୍ୟା ୨-୨ ଓ୍ଵିକେଟ୍ ନେଇଥିବାବେଳେ ସୁନ୍ଦର, ସିରାଜ ଏବଂ କୁଲଦୀପ ଗୋଟିଏ ଲେଖାଏଁ ଦଖଲ କରିଥିଲେ।
ଜବାବରେ ଭାରତ ପୂର୍ବ ଦୁଇ ମ୍ୟାଚ୍ ବ୍ୟାଟିଂରେ ଭଲ ଆରମ୍ଭ ପାଇନଥିଲା। ଲୋକେଲ ରାହୁଲ (୪)ଙ୍କୁ ଚାମିରା ଏଲ୍ବିଡବ୍ଲ୍ୟୁ କରିଦେବା ପରେ ଅଧିନାୟକ ରୋହିତ ଶର୍ମା (୨୭, ୨୦ ବଲ୍, ୪ ଚୌକା, ୧ ଛକା)ଙ୍କୁ ସନକା ଆଉଟ୍ କରି ଦେଇଥିଲେ। ମଧ୍ୟକ୍ରମରେ ଶ୍ରେୟସ ଆୟର୍ (୩୦, ୩୨ ବଲ୍, ୧ ଚୌକା, ୧ ଛକା) ଏବଂ ମନୀଷ ପାଣ୍ଡେ (୩୨, ୨୯ ବଲ୍, ୪ ଚୌକା) ଭଲ ଖେଳିଥିଲେ ମଧ୍ୟ ମ୍ୟାଚ୍ ଶେଷ କରିବା ପର୍ଯ୍ୟନ୍ତ ରହିନଥିଲେ। ହାର୍ଦିକ ପାଣ୍ଡ୍ୟା (୪) ମଧ୍ୟ ନିରାଶ କରି ସନକାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। କିନ୍ତୁ ବ୍ୟାଟିଂକ୍ରମ ପରିବର୍ତନ କରି ତଳେ ଆସିଥିବା ଦୀନେଶ କାର୍ତିକ ଏବଂ ମହେନ୍ଦ୍ର ସିଂହ ଧୋନି ଭାରତ ଉପରେ ବଢ଼ୁଥିବା ଚାପକୁ ହଟାଇଥିଲେ। କାର୍ତିକ ୧୨ ବଲ୍ରୁ ଗୋଟିଏ ଛକା ସହିତ ୧୮* ରନ୍ ଏବଂ ଧୋନି ୧୦ ବଲ୍ରୁ ୨ ଚୌକା ସହାୟତାରେ ୧୬* ରନ୍ କରିଥିଲେ। ତିସରା ପେରେରାଙ୍କ ବଲ୍କୁ ମିଡ୍ଓ୍ଵିକେଟ ସୀମା ରେଖା ବାହାରକୁ ପଠାଇ ଧୋନି ପାରମ୍ପାରିକ ଭାବେ ତାଙ୍କ ଓ୍ଵାଙ୍ଖ୍ଡେ ବିଜୟ ମୁଣ୍ଡି ମାରିଥିଲେ। ଚାମିରା ଓ ସନକାଙ୍କୁ ୨-୨ ଓ୍ଵିକେଟ୍ ମିଳିଥିଲେ ମଧ୍ୟ ଭାରତ ବିଜୟ ହାତଛଡ଼ା ହୋଇନଥିଲା। ଭାରତ ବର୍ଷ ଶେଷ ମ୍ୟାଚ୍ ଓ ଶୃଙ୍ଖଳାକୁ ମଧ୍ୟ ହାତେଇ ନେଇଥିଲା।
ସତରରେ ଅପରାଜେୟ: ଟି-୨୦ ଶୃଙ୍ଖଳାକୁ ୩-୦ରେ ପୋଛିନେଲା ଭାରତ
ଉନାଦକଟ୍ ମ୍ୟାଚ୍ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି
/sambad/media/post_attachments/wp-content/uploads/2017/12/dinesh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)