ଟେ୍ଵଣ୍ଟି-୨୦ରେ ପରିବେଶକୁ ସମ୍ମାନ ଦେବା ଜରୁରୀ

ଭିଭିଏସ୍‌ ଲକ୍ଷ୍ମଣ

ଦିନିକିଆ ଅପେକ୍ଷା ଟେ୍ଵଣ୍ଟି-୨୦ରେ ଅଷ୍ଟ୍ରେଲିଆ ଭଲ ଟକ୍କର ଦେଲା। ଶୃଙ୍ଖଳା ନିର୍ଣ୍ଣାୟକକୁ ବର୍ଷା ଧୋଇନେବା କିନ୍ତୁ ସମସ୍ତଙ୍କୁ ନିରାଶ କରିଥିଲା। ଫଳରେ ଉଭୟ ଦଳ ୧-୧ ସ୍ଥିତିରେ ରହିିଲେ। ତଥାପି ପ୍ରଥମ ଦୁଇ ମ୍ୟାଚ୍‌ରୁ ଟେ୍ଵଣ୍ଟି-୨୦ରେ ନିଜ ସ୍ଥିତିକୁ ଭାରତ ଭଲ ଭାବେ ତଉଲି ନେଇଥିବ। ରାଞ୍ଚିରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ଉଚ୍ଚକୋଟୀର କ୍ରିକେଟ୍‌ ଖେଳିଥିଲା। ସ୍ପିନରମାନେ ଦ୍ରୁତ ବୋଲରଙ୍କୁ ଭଲ ସମର୍ଥନ ଦେଇଥିଲେ। ବର୍ଷା ଆରମ୍ଭ ହେଲା ବେଳକୁ ଅଷ୍ଟ୍ରେଲିଆ ୧୮.୪ ଓଭରରେ ୮ ଓ୍ଵିକେଟ୍‌ ବିନିମୟରେ ମାତ୍ର ୧୧୮ ରନ୍‌ କରି ପାରିଥିଲା। ହେଲେ ଟେ୍ଵଣ୍ଟି-୨୦ରେ ଅନ୍ଧ ଭାବେ ଡି/ଏଲ୍‌ ନିୟମ ବ୍ୟବହାର ପଛର କାରଣକୁ ମୁଁ ବୁଝି ପାରୁ ନାହିଁ। ମୋର ଦୃଢ଼ ଯୁକ୍ତି ଟେ୍ଵଣ୍ଟି-୨୦ରେ ଅନ୍ୟ ଏକ ନୂଆ ପଦ୍ଧତି ଅନୁସରଣ କରାଯାଉ।

ପୁନଃନିର୍ଧାରିତ ଏବଂ କମ୍‌ ଓଭରିଆ ଦ୍ୱିତୀୟ ପାଳି ଆରମ୍ଭ ହେଲା ବେଳକୁ ପ୍ରତିପକ୍ଷ ପାଖରେ ସମସ୍ତ ୧୦ ଓ୍ଵିକେଟ୍‌ ରହିବା କଥା ଠିକ୍‌ ନୁହେଁ ବୋଲି ମୁଁ ଭାବୁଛି। ଏକଥାକୁ କ୍ରିକେଟ୍‌ ପ୍ରଶାସକମାନେ ଗୁରତ୍ୱ ଦେବା ଦରକାର। ଗୌହାଟୀରେ ଖେଳା ଯାଇଥିବା ଦ୍ୱିତୀୟ ଟେ୍ଵଣ୍ଟି-୨୦ରେ ଭାରତ ଜଣେ ଅତିରିକ୍ତ ଦ୍ରୁତ ବୋଲରଙ୍କୁ ଖେଳାଇଥିଲେ ଭଲ ହୋଇ ଥାଆନ୍ତା। ଶୀର୍ଷକ୍ରମ ମଧ୍ୟ ବୋଲରଙ୍କୁ ସୁହାଉଥିବା ପିଚ୍‌ରେ ଆଦୌ ଭଲ ବ୍ୟାଟିଂ କଲା ନାହିଁ। ଦୁଇ ବର୍ଷ ପୂର୍ବେ ପୁନେରେ ଶ୍ରୀଲଙ୍କା ବିପକ୍ଷରେ ଏବଂ ଗତବର୍ଷ ନାଗପୁରଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଏଭଳି ଘଟଣା ଘଟିଥିଲା। ଟେ୍ଵଣ୍ଟି-୨୦ରେ ଆରମ୍ଭରୁ ଆକ୍ରମଣ କରିବାର ପ୍ରଲୋଭନ ଅଧିକ ଥାଏ।

ହେଲେ ପରିବେଶକୁ ସବୁବେଳେ ସମ୍ମାନ ଦେବାକୁ ପଡ଼ିଥାଏ। ପରିସଂଖ୍ୟାନ କହେ ପାଓ୍ଵାର ପ୍ଲେରେ ୩ ଓ୍ଵିକେଟ୍‌ ହରାଇଥିବା ଦଳ ୮୫ ପ୍ରତିଶତ କ୍ଷେତ୍ରରେ ପରାଜିତ ହୋଇଥାଏ। ଗୌହାଟୀରେ ଭାରତ ଅପେକ୍ଷା ଅଷ୍ଟ୍ରେଲିଆ ଭଲ ଖେଳିଲା। ଏହା ଡେଭିଡ୍‌ ଓ୍ଵାର୍ନରଙ୍କ ପାଇଁ ହେଲା ବୋଲି ମୁଁ ଭାବୁଛି। ଦଳ ଉପରେ ତାଙ୍କର ସକାରାତ୍ମକ ପ୍ରଭାବ ରହିଛି। ଓ୍ଵାର୍ନରଙ୍କୁ ନିୟମିତ ସୀମୀତ ଓଭର ଅଧିନାୟକ କରିବାର ସମୟ ଅଷ୍ଟ୍ରେଲିଆ ପାଇଁ ଆସି ଯାଇଛି ବୋଲି ଭାବୁଛି। ଏହା ହେଲେ ସ୍ମିଥଙ୍କ ଉପରୁ ଚାପ କମିବ ଏବଂ ସେ ନିଜ ଖେଳ ଉପରେ ଧ୍ୟାନ ଦେଇ ପାରିବେ। (ଗେମପ୍ଲାନ୍‌)

ସମ୍ବନ୍ଧିତ ଖବର