ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ସର୍ବୋଚ୍ଚ ୫ ଦଳୀୟ ସ୍କୋର୍‌

ଆଫ୍‌ଗାନିସ୍ତାନ ୨୭୯/୩, ଭାରତ ୨୬୦/୫

ନୂଆଦିଲ୍ଲୀ: କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ ମଧ୍ୟରେ ଟ୍ବେଣ୍ଟି-୨୦ ପ୍ରଶଂସକମାନଙ୍କୁ ସବୁଠୁ ବେଶୀ ମନୋରଂଜନ ଦେଇଥାଏ। ଏହି ଫର୍ମାଟ୍‌ର ସମୟସୀମା କମ୍‌ ଯୋଗୁଁ ଏହା ଅନ୍ତର୍ଜାତୀୟ ହେଉ କି ଲିଗ୍‌ ସବୁଥିରେ କ୍ରିକେଟ୍‌ର ଦର୍ଶକଙ୍କ ସଂଖ୍ୟାକୁ ଉଚ୍ଚସ୍ତରକୁ ପହଞ୍ଚାଇପାରିଛି। କମ୍‌ ସମୟ ପାଇଁ ଏହି ଫର୍ମାଟ୍‌ରେ ଖେଳିବାକୁ ବହୁ ଦେଶ ଆଗ୍ରହ ଦେଖାଉଛନ୍ତି। ସଂପ୍ରତି ଆଇସିସି ମାନ୍ୟତାରେ ୮୦ ଦେଶ ଭାଗ ନେଲେଣି। ଏଥିରେ ଧୁଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥାଏ ଏବଂ ବଡ଼ ସ୍କୋରମାନ ହୋଇଥାଏ। ଅନ୍ତର୍ଜାତୀୟସ୍ତରରେ ଏହି ଫର୍ମାଟ୍‌ର ସର୍ବୋଚ୍ଚ ୫ ଦଳୀୟ ସ୍କୋର୍‌ ଉପରେ ନଜର ପକାଇବା।

ଆଫ୍‌ଗାନିସ୍ତାନ ୨୭୯/୩
ବିପକ୍ଷ ଆୟର୍ଲାଣ୍ଡ (ଫେବ୍ରୁଆରି ୨୦୧୯)
୨୦୧୯ ମସିହା ଫେବ୍ରୁଆରି ୨୩ ତାରିଖରେ ଡେରାଡୁନ୍‌ରେ ଆୟର୍ଲାଣ୍ଡ ବିପକ୍ଷରେ ଆଫ୍‌ଗାନିସ୍ତାନ ୩ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ଖେଳିଥିଲା। ଏହି ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନ ବ୍ୟାଟ୍ସମ୍ୟାନ୍‌ଙ୍କ ଚମତ୍କାର ଦେଖିବାକୁ ମିଳିଥିଲା। ହଜ୍ରତୁଲ୍ଲା ଜଜାଇଙ୍କ ଅପରାଜିତ ୧୬୨ ରନ୍‌ ବଳରେ ଆଫ୍‌ଗାନିସ୍ତାନ ୩ ୱିକେଟ୍‌ ହରାଇ ୨୭୯ କରିଥିଲା। ଏହା ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ସର୍ବୋଚ୍ଚ ସ୍କୋର୍‌ର ମାନ୍ୟତା ପାଇଥିଲା। ଏହା ଛଡ଼ା ଏହି ମ୍ୟାଚ୍‌ରେ ବ୍ୟକ୍ତିଗତ ଭାବେ ସର୍ବାଧିକ ଛକା (ଜଜାଇ-୧୬), ଯେକୌଣସି ୱିକେଟ୍‌ରେ ସର୍ବୋଚ୍ଚ ଭାଗୀଦାରି (ଜଜାଇ ଓ ଉସମାନ ଘନି-୨୩୬) କୀର୍ତ୍ତିମାନ ହୋଇଥିଲା। ଅରୋନ ଫିଞ୍ଚ୍‌ (୧୭୨ ରନ୍‌)ଙ୍କ ପରେ ଜଜାଇ ଟ୍ବେଣ୍ଟି-୨୦ର ଦ୍ବିତୀୟ ସର୍ବୋଚ୍ଚ ରନ୍‌ ସଂଗ୍ରହକାରୀ ମଧ୍ୟ ହୋଇଥିଲେ। ଜବାବରେ ଆୟର୍ଲାଣ୍ଡ ୧୯୬/୬ କରି ୮୩ ରନ୍‌ରେ ପରାଜୟ ବରଣ କରିଥିଲା। ଏହି ମ୍ୟାଚ୍‌ର ଉଭୟ ପାଳିରେ ମୋଟ ୪୭୨ ରନ୍‌ ହୋଇଥିଲା। ଯାହା ତୃତୀୟ ସର୍ବୋଚ୍ଚ ସ୍କୋର୍‌।

ଚେକ୍‌ ଗଣରାଜ୍ୟ ୨୭୮/୪
ବିପକ୍ଷ ତୁର୍କି (ଅଗଷ୍ଟ ୨୦୧୯)
୨୦୧୯ରେ ଆଇସିସି ୮୦ ଦେଶକୁ ନେଇ ନୂଆ ଟ୍ବେଣ୍ଟି-୨୦ ମାନ୍ୟତା ଆରମ୍ଭ କରିଥିଲା। ଏହି ତାଲିକାରେ ନୂଆ କରି ସାମିଲ ହୋଇଥିବା ଦୁଇଟି ଦେଶ କ୍ରିକେଟ୍‌କୁ ଭଲ ଭାବ‌େ ଜାଣି ନଥିଲେ। କିନ୍ତୁ ୨୦୧୯ ଅଗ‌ଷ୍ଟ ୩୦ରେ ଏହି ଦୁଇ ଦେଶ ମଧ୍ୟରେ ହୋଇଥିବା ମ୍ୟାଚ୍‌ କୀର୍ତ୍ତିମାନ ବହିରେ ନାମ ଲେଖିଥିଲା। ଲିଫୋଭ କାଉଣ୍ଟିରେ ଖେଳାଯାଇଥିବା କଣ୍ଟିନେଣ୍ଟାଲ କପ୍‌ର ଏକ ମ୍ୟାଚ୍‌ରେ ଚେକ୍ ଗଣରାଜ୍ୟର ବ୍ୟାଟ୍ସମ୍ୟାନ୍‌ଙ୍କ ବ୍ୟା‌ଟ୍‌ ତୁର୍କି ବିପକ୍ଷରେ ଗର୍ଜିଥିଲା। ସୁଦେଶ ବିକ୍ରମାସେକରା (୧୦୪*, ୩୬ ବଲ୍‌)ଙ୍କ ଶତକ ଏବଂ ସୁମିତ ପୋଖ୍ରିୟାଲ (୭୯, ୫୨ ବଲ୍‌)ଙ୍କ ଅର୍ଧଶତକ ବଳ‌ରେ ଚେକ୍‌ ଗଣରାଜ୍ୟ ୨୭୮/୪ କରିଥିଲା। ଯାହା ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ଦ୍ବିତୀୟ ସର୍ବାଧିକ ସ୍କୋର୍‌ ହୋଇଥିଲା। ଜବାବରେ ତୁର୍କି ମାତ୍ର ୨୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ସର୍ବନିମ୍ନ ସ୍କୋର୍‌ କୀର୍ତ୍ତିମାନ କରିଥିଲା। ଏହି ମ୍ୟାଚ୍‌ରେ ସବୁଠୁ ବଡ଼ ବ୍ୟବଧାନ ବିଜୟ (୨୫୭ ରନ୍‌)ର କୀର୍ତ୍ତିମାନ ହୋଇଥିଲା। ଚେକ୍‌ ଗଣରାଜ୍ୟ ପାଳିରେ ୨୯ ଚୌକା ଓ ୧୪ ଛକା ଦେଖିବାକୁ ମିଳିଥିଲା। ଏହି ପାଳିରେ ୩୯ ରନ୍‌ ଅତିରିକ୍ତ ଥିଲା। ତୁର୍କି ପାଳି ମାତ୍ର ୮.୩ ଓଭରରେ ଶେଷ ହୋଇଥିଲା।

ଭାରତ ୨୬୦/୫
ବିପକ୍ଷ ଶ୍ରୀଲଙ୍କା (ଡିସେମ୍ବର ୨୦୧୭)
୨୦୧୭ ମସିହା ଡିସେମ୍ବର ୨୨ରେ ଇନ୍ଦୋରସ୍ଥିତ ହୋଲ୍‌କର ଷ୍ଟାଡିୟମରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ରୋହିତ ଶର୍ମ‌ା ଓ କେଏଲ୍‌ ରାହୁଲଙ୍କ ବ୍ୟାଟିଂ ପ୍ରଦର୍ଶନ ଅତି ଚମତ୍କାର ଥିଲା। ଭାରତ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ଶ୍ରୀଲଙ୍କାର କ୍ଷେତ୍ରରକ୍ଷଣ ନିଷ୍ପତ୍ତିକୁ ଭୁଲ୍‌ ସବ୍ୟସ୍ତ କରି ରୋହିତ-ରାହୁଲ ସେମାନଙ୍କ ବୋଲରଙ୍କୁ ନିର୍ଧୁମ ପିଟିଥିଲେ। ପ୍ରଥମ ୱିକେଟ୍‌ ଭାଗୀଦାରିରେ ଉଭୟ ୧୬୫ ରନ୍‌ ଯୋଡ଼ିଥିଲେ। ରାହୁଲ ୧୮୧ ଷ୍ଟ୍ରାଇକ୍‌ ରେଟ୍‌ରେ ୪୯ ବଲ୍‌ରୁ ୮୯ ରନ୍‌ (୫ ଚୗକା, ୮ ଛକା) ଏବଂ ରୋହିତ ୨୭୪.୪୧ ଷ୍ଟ୍ରାଇକ୍‌ ରେଟ୍‌ରେ ୪୩ ବଲ୍‌ରୁ ୧୧୮ ରନ୍‌ (୧୨ ଚୌକା, ୧୦ ଛକା) ହାସଲ କରିଥିଲେ। ମହେନ୍ଦ୍ର ସିଂହ ଧୋନି (୨୮), ହାର୍ଦିକ ପାଣ୍ଡ୍ୟା (୧୦) ଶେଷ ‌ସ୍ପର୍ଶ ଦେଇ ଭାରତର ସ୍କୋର୍‌କୁ ୨୬୦/୫ରେ ପହଞ୍ଚାଇଥିଲେ। ଏହାକୁ ପିଛା କରିଥିବା ଶ୍ରୀଲଙ୍କା ପାଳି ୧୮ ଓଭରରେ ୧୭୨ ରନ୍‌ରେ ଶେଷ ହୋଇଥିଲା। ଭାରତ ୮୮ ରନ୍‌ରେ ବିଜୟୀ ହୋଇଥିଲା। ଏହା ୩ ଟିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ଥିଲା। ଭାରତ ଏହି ଶୃଙ୍ଖଳାକୁ ୩-୦ରେ ମୂଳପୋଛ କରିଥିଲା।

ଅଷ୍ଟ୍ରେଲିଆ ୨୬୩/୩
ବିପକ୍ଷ ଶ୍ରୀଲଙ୍କା (‌ସେପ୍ଟେମ୍ବର ୨୦୧୯)
ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଧୁଆଁଧାର ବ୍ୟାଟିଂ ପାଇଁ ପରିଚିତ। ୨୦୧୬ ସେପ୍ଟେମ୍ବର ୬ ତାରିଖରେ ‌ପାଲିକଲରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ତାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ କଙ୍ଗାରୁ ଦଳ ୨୬୩/୩ କରିଥିଲା। ଓପନିଂ କରିଥିବା ମ୍ୟାକ୍ସୱେଲ୍‌ (୧୪୫*, ୬୫ ବଲ୍‌)ଙ୍କ ଶତକୀୟ ପାଳି ବଳରେ ଅଷ୍ଟ୍ରେଲିଆ ଆରମ୍ଭରୁ ଭଲ ସ୍ଥିତି ପାଇଥିଲା। ଡେଭିଡ ୱାର୍ନର (୨୮ ରନ୍‌), ଉସମାନ ଖୱାଜା (୩୬ ରନ୍‌) ଓ ଟ୍ରାଭିସ ହେଡ୍‌ (୪୫ ରନ୍‌)ଙ୍କ ଯୋଗଦାନରେ ଭମ୍ରଣକାରୀ ଦଳ ଏହି ବଡ଼ ସ୍କୋର୍‌ କରିପାରିଥିଲା। ଅଷ୍ଟ୍ରେଲିଆ ପାଳିରେ ରନ୍‌ ହାର ଓଭର ପ୍ରତି ୧୩.୧୫ ଥିଲା। ମ୍ୟାକ୍ସୱେଲ୍‌ ୧୪ ଚୌକା ଓ ୯ ଛକା ମାରିଥିଲା ବେଳେ ଷ୍ଟ୍ରାଇକ୍‌ ରେଟ୍‌ ୨୨୩ ଉପରେ ଥିଲା। ଜବାବରେ ଶ୍ରୀଲଙ୍କା ୧୮୯/୯ରେ ଅଟକି ଯାଇଥିଲା।

ଶ୍ରୀଲଙ୍କା ୨୬୦/୬
ବିପକ୍ଷ କେନିଆ (ସେପ୍ଟେମ୍ବର ୨୦୦୭)
୨୦୦୭ରେ ‌ଟ୍ବେଣ୍ଟି-୨୦ କ୍ରିକେଟ୍‌ ଆରମ୍ଭ ହେଉଥିଲା। ଏହି ଫର୍ମାଟ୍‌ର ୨୭ତମ ମ୍ୟାଚ୍‌ରେ ସାରା ବିଶ୍ବକୁ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍‌ମାନେ ନିଜର ସାମର୍ଥ୍ୟ ଦେଖାଇଥିଲେ। ୨୦୦୭ ସେପ୍ଟେମ୍ବର ୨୪ ତାରିଖରେ ଜୋହାନସବର୍ଗରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ କେନିଆ ବିପକ୍ଷରେ ଏହି ଦଳ ୨୬୦/୬ ରନ୍‌ କରି ସମସ୍ତଙ୍କୁ ଚମକାଇ ଦେଇଥିଲା। ସନତ ଜୟସୂରିୟା (୮୮, ୪୪ ବଲ୍‌) ଓ ମାହେଲା ଜୟବ‌ର୍ଦ୍ଧନେ (୬୫, ୨୭ ବଲ୍‌)ଙ୍କ ଅର୍ଧଶତକ ବଳରେ ଶ୍ରୀଲଙ୍କା ଗୋଟିଏ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମ୍ୟାଚ୍‌ରେ ସର୍ବାଧିକ ରନ୍‌ ହାସଲକାରୀ କୀର୍ତ୍ତିମାନ କରିପାରିଥିଲା। ଯାହା ଏବେ ବି ଅତୁଟ ରହିଛି। ଜବାବରେ କେନିଆ ୮୮ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଶ୍ରୀଲଙ୍କା ୧୭୨ ରନ୍‌ର ବଡ଼ ବିଜୟ ପାଇଥିଲା। ଯାହା ଏବେ ବି ଆଇସିସି ପୂର୍ଣ୍ଣ ମାନ୍ୟତା ଦଳ ମଧ୍ୟରେ ସର୍ବାଧିକ ରନ୍‌ ବ୍ୟବଧାନ ବିଜୟ ରହିଛି।

ସମ୍ବନ୍ଧିତ ଖବର