ରାଜକୋଟ : ଦିଲ୍ଲୀ, କଟକରେ ପରାଜୟ ପରେ ବିଶାଖାପାଟଣା ଓ ରାଜକୋଟରେ ମ୍ୟାଚ୍ ଜିତି ଭାରତୀୟ ଦଳ ଶୃଙ୍ଖଳାକୁ ୨-୨ ସ୍ତରକୁ ନେଇ ଆସିଛି। ଶୁକ୍ରବାର ଭାରତ ରାଜକୋଟରେ ୮୨ ରନ୍ର ବଡ଼ ବ୍ୟବଧାନରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଥିଲା। ହାର୍କିକ ପାଣ୍ଡ୍ୟା ଓ ଦୀନେଶ କାର୍ତ୍ତିକଙ୍କ ବ୍ୟାଟିଂ କମାଲ ପରେ ବୋଲରଙ୍କ ମିଳିତ ଆକ୍ରମଣ ଆଗରେ ଦକ୍ଷିଣ ଆଫ୍ରିକାର ଶକ୍ତିଶାଳୀ ବ୍ୟାଟିଂ ଶକ୍ତି ୧୭୦ ରନ୍କୁ ପିଛା କରି ମାତ୍ର ୮୭/୯ରେ ସୀମିତ ରହିଯାଇଥିଲା। ଅଭେଶ ଖାନ୍ (୪-୦-୧୮-୪), ୟୁଝବେନ୍ଦ୍ର ଚହଲ (୪-୦-୨୧-୨) ଏବଂ ହର୍ଷଲ ପଟେଲ୍ (୨-୦-୩-୧) ପ୍ରଶଂସନୀୟ ବୋଲିଂ କରିଥିଲେ। ଦିଲ୍ଲୀରେ ୨୧୨ ରନ୍ର ସର୍ବୋଚ୍ଚ ସ୍କୋର୍ କରି ଜିତିଥିବା ଏହି ଦଳ ଶୁକ୍ରବାର ନିଜ ସର୍ବନିମ୍ନ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ସ୍କୋର୍ ମଧ୍ୟ ପାଇଥିଲା। ଅନ୍ୟପକ୍ଷରେ ଭାରତ ୮୨ ରନ୍ରେ ଜିତି ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ନିଜ ବୃହତ ବିଜୟ ହାସଲ କରିଥିଲା। ଅକ୍ଷର ପଟେଲ୍ ମଧ୍ୟ ମାତ୍ର ୧୯ ରନ୍ ଦେଇ ଗୋଟିଏ ୱିକେଟ୍ ଦଖଲ କରିଥିଲେ। ଆହତ କାରଣରୁ ରିଟାର୍ଡ ହର୍ଟ ହୋଇଥିବା ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବଭୂମା ଆଉ ବ୍ୟାଟିଂ କରିବାକୁ ନ ଆସିବାରୁ ଭ୍ରମଣକାରୀ ଦଳ ୮୭/୯ରେ ଅଟକିଯାଇଥିଲା। ଦୀନେଶ କାର୍ତ୍ତିକ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପିତାଙ୍କ ଜନ୍ମଦିନ ଥିବାରୁ ଅଭେଶ ଖାନ୍ ନିଜ ସଫଳତାର ଶ୍ରେୟ ତାଙ୍କୁ ଉତ୍ସର୍ଗ କରିଥିଲେ। ରବିବାର ବେଙ୍ଗାଲୁରୁରେ ପଞ୍ଚମ ତଥା ଶେଷ ଟ୍ବେଣ୍ଟି-୨୦ ଖେଳାଯିବ।
କାର୍ତ୍ତିକ କମାଲ
ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ସଂଘ ଷ୍ଟାଡିୟମ୍ରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ପୁଣି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲା। ଋଷଭ ପନ୍ତ କ୍ରମାଗତ ୪ ଟସ୍ ହାରିଥିଲେ। ଭାରତ କିନ୍ତୁ କ୍ରମାଗତ ୪ ମ୍ୟାଚ୍ରେ ଅପରିବର୍ତିତ ଦଳକୁ ନେଇ ପଡ଼ିଆକୁ ଓହ୍ଲାଇଥିଲା। ଦକ୍ଷିଣ ଆଫ୍ରିକା କିନ୍ତୁ ୩ଟି ପରିବର୍ତନ ସହ ଖେଳିଥିଲା। ଦୁଇ ଦ୍ରୁତ ବୋଲର କାଗିସୋ ରବାଦା ଓ ୱେନ ପାର୍ଣ୍ଣେଲଙ୍କ ବଦଳରେ ଲୁଙ୍ଗି ଏନ୍ଗିଡି ଓ ମାର୍କୋ ଜାନସେନ୍ ଖେଳିଥିଲେ। ଜାନସେନ୍ ପଦାର୍ପଣ ସୁଯୋଗ ପାଇଥିଲେ। ଆହତ ସମସ୍ୟାରୁ ଫେରିବା ପରେ କ୍ବିଣ୍ଟନ୍ ଡି’କକ୍ ପ୍ରତ୍ୟାବର୍ତନ କରିବାରୁ କଟକରେ ସୁଯୋଗ ପାଇଥିବା ରିଜା ହେଣ୍ଡ୍ରିକ୍ସ ବିଦା ହୋଇଥିଲେ। ଭାରତର ଆରମ୍ଭ ଭଲ ହୋଇନଥିଲା। ଋତୁରାଜ ଗାଏକ୍ବାଡ, ଶ୍ରେୟସ ଆୟର, ଈଶାନ କିଶନ ନିରାଶ କରିବାରୁ ଭାରତ ୪୦/୩ରେ ସଂଘର୍ଷ କରିଥିଲା। କିଛି ସମୟ ରହିଥିଲେ ମଧ୍ୟ ଅଧିନାୟକ ପନ୍ତ୍ଙ୍କ ନିଷ୍ଫଳ ଧାରା ଲାଗି ରହିଥିଲା। ୧୬ତମ ଓଭର ପ୍ରଥମ ବଲ୍ରେ ଭାରତ ୧୦୦ ରନ୍ ଅତିକ୍ରମ କରିଥିଲା। କିନ୍ତୁ ଶେଷ ୨୯ ବଲରୁ ୭୯ ରନ୍ ଆଦାୟ କରିଥିଲା। ହାର୍ଦିକ ପାଣ୍ଡ୍ୟା (୩୧ ବଲ୍ରୁ ୪୬ ରନ୍, ୩ ଚୌକା, ୩ ଛକା) ଏବଂ ଦୀନେଶ କାର୍ତିକ (୨୭ ବଲ୍ରୁ ୫୫, ୯ ଚୌକା, ୨ ଛକା) ପଞ୍ଚମ ୱିକେଟ୍ ପାଇଁ ୬୫ ରନ୍ ଯୋଡ଼ି ସବୁ ଓଲଟପାଲଟ୍ କରିଦେଇଥିଲେ। ଦୀନେଶ କାର୍ତ୍ତିକ ଏକଦା ୧୨ ବଲ୍ରୁ ୧୫ ରନ୍ କରିଥିଲେ ମଧ୍ୟ ପରବର୍ତୀ ୧୪ ବଲ୍ରୁ ୪୦ ରନ୍ ଆଦାୟ କରିଥିଲେ। ପ୍ରିଟୋରିୟସଙ୍କୁ ଛକା ମାରି ନିଜ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନରେ ପ୍ରଥମ ଥର ୫୦ ପୂର୍ଣ୍ଣ କରିଥିଲେ। ସଂଘର୍ଷରତ ଭାରତ ୧୬୯ ରନ୍ର ଲଢ଼ୁଆ ସ୍କୋର୍ କରି ନେଇଥିଲା। ପ୍ରଥମ ପଦାର୍ପଣରେ ମାର୍କୋ ଜାନସେନ୍ ୪ ଓଭରରେ ୩୮ ରନ୍ ବ୍ୟୟ କରି ଆୟରଙ୍କ ୱିକେଟ୍ ନେଇଥିଲେ। ଲୁଙ୍ଗି ଏନ୍ଗିଡି (୩-୦-୨୦-୨) କିନ୍ତୁ ପ୍ରତ୍ୟାବର୍ତନରେ ପ୍ରଭାବୀ ବୋଲିଂ କରିଥିଲେ।