ଟି-୨୦ ବିଶ୍ବକପ୍ : ୧୯ରୁ ସୁପର-୮ ରାଉଣ୍ଡ୍, ୨୦ରେ ଭାରତ-ଆଫଗାନିସ୍ତାନ ମୁକାବିଲା

ନ୍ୟୁୟର୍କ: ଟି-୨୦ ବିଶ୍ୱକପ୍ ୨୦୨୪ର ଗ୍ରୁପ୍ ପର୍ଯ୍ୟାୟ ରାଉଣ୍ଡ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ଏହି ରାଉଣ୍ଡରେ ୨୦ଟି ଦଳ ଖେଳୁଥିବା ବେଳେ ସେଥିମଧ୍ୟରୁ ୮ଟି ଦଳ ସୁପର-୮ରେ ଖେଳୁଥିବା ଦେଖିବାକୁ ମିଳିବ। ବର୍ତ୍ତମାନ ସୁଦ୍ଧା ଭାରତ ବ୍ୟତୀତ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଓ ଆଫଗାନିସ୍ତାନ ପରବର୍ତ୍ତୀ ରାଉଣ୍ଡ ପାଇଁ ନିଜ ସ୍ଥାନ ସୁନିଶ୍ଚିତ କରିଛନ୍ତି। ସେହିପରି ବାକି ୩ଟି ସ୍ଥାନ ପାଇଁ ଉଭୟ ଦଳ ମଧ୍ୟରେ ପ୍ରତିଯୋଗିତା ଜାରି ରହିଛି। ଇତିମଧ୍ୟରେ ଆଇସିସି ସୁପର-୮ ରାଉଣ୍ଡ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି।

ସୁପର-୮ ରାଉଣ୍ଡ ପାଇଁ ୮ଟି ଦଳକୁ ୪-୪ରେ ବିଭକ୍ତ କରାଯାଇଛି। ଭାରତ, ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ସୁପର-୮ ରାଉଣ୍ଡର ଗ୍ରୁପ୍-୧ରେ ସାମିଲ ହୋଇଥିବା ବେଳେ ୱେଷ୍ଟଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକା ଗ୍ରୁପ୍-୨ରେ ସାମିଲ ହେବେ। ଗ୍ରୁପ୍-୧ରେ ଏବେ ଗୋଟିଏ ସ୍ଥାନ ଖାଲି ରହିଛି, ଯେଉଁଥିରେ ବାଂଲାଦେଶ ଓ ନେଦରଲାଣ୍ଡ ମଧ୍ୟରୁ  ଗୋଟିଏ ଦଳ ପ୍ରବେଶ କରିବ। ସେହିପରି ଗ୍ରୁପ୍-୨ରେ ୨ଟି ଖାଲି ସ୍ଥାନ ରହିଛି। ଏହି ଦୁଇଟି ସ୍ଥାନ ପାଇଁ ପାକିସ୍ତାନ, ଆମେରିକା, ସ୍କଟଲାଣ୍ଡ ଓ ଇଂଲଣ୍ଡର ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି।

ସୁପର-୮ ରାଉଣ୍ଡ ଜୁନ୍ ୧୯ରୁ ଆଣ୍ଟିଗୁଆରେ ଆରମ୍ଭ ହେବ। ପରଦିନ ବାର୍ବାଡୋସରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ ଭାରତ କ୍ୟାରିବିଆନ୍ ରେ କୌଣସି ମ୍ୟାଚ୍ ଖେଳିବ। ଆଣ୍ଟିଗୁଆ, ବାର୍ବାଡୋସ୍, ସେଣ୍ଟ ଲୁସିଆ ଓ ସେଣ୍ଟ ଭିନସେଣ୍ଟରେ ହେବାକୁ ଥିବା ସୁପର-୮ ରାଉଣ୍ଡରେ ମୋଟ ୧୨ଟି ମ୍ୟାଚ୍ ଖେଳାଯିବ।

ସମ୍ବନ୍ଧିତ ଖବର