ବିଶ୍ବକପ୍‌ ଅନିଶ୍ଚିତତାରେ, ବିସିସିଆଇ କ୍ଷୁବ୍‌ଧ

ଚଳିତ ବର୍ଷ ଟି-୨୦ ବିଶ୍ବକପ୍‌ ହେବା ସମ୍ଭାବନା ନାହିଁ: ଏହସାନ୍‌

ନୂଆଦିଲ୍ଲୀ : ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଇସିସି ଟି-୨୦ ବିଶ୍ବକପ୍‌କୁ ନେଇ ଅନିଶ୍ଚିତତା ଜାରି ରହିଛି। କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ଏହାକୁ ଠିକଣା ସମୟରେ କରାଇବା ନେଇ ଅକ୍ଷମତା ପ୍ରକାଶ କରୁଥିବା ବେଳେ ଏହାକୁ ନେଇ ବିସିସିଆଇ (ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ) ଅସନ୍ତୁଷ୍ଟ ହୋଇଛି। ବିଶ୍ବକପ୍‌ ନିଷ୍ପତ୍ତି‌ ଯେତିକି ଘୁଞ୍ଚି ଘୁଞ୍ଚି ଯିବ ବିସିସିଆଇର ଆଇପିଏଲ୍‌ ଆୟୋଜନ ମଧ୍ୟ ସେହିଭଳି ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଭଳି ଦ୍ବନ୍ଦ୍ବ ବଢ଼ାଇବା କାରଣରୁ ଆଇସିସି ଉପରେ ବିସିସିଆଇ ଅସନ୍ତୋଷ‌ ପ୍ରକାଶ କରିଛି। ବର୍ତମାନ ବିସିସିଆଇ ବିରୋଧୀ ଥିବା ଏହାର ପୂର୍ବତନ ସଭାପତି ଶଶାଙ୍କ ମନୋହର ଉଦ୍ଦେଶ୍ୟମୂଳକ ଭାବେ ବିଶ୍ବକପ୍‌ ନିଷ୍ପତ୍ତିକୁ ବିଳମ୍ବିତ କରୁଥିବା ସନ୍ଦେହ କରାଯାଉଛି। ‘ବିଦାୟୀ ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହର କାହିଁକି ଏତେ ଦ୍ବନ୍ଦ୍ବ ସୃଷ୍ଟି କରୁଛନ୍ତି। ଯଦି ଆୟୋଜକ ଦେଶ ନିଜ ଅକ୍ଷମତା ପ୍ରକାଶ କରିସାରିଲାଣି, ତେ‌ବେ ଆଇସିସି କାଳ ବିଳମ୍ବ କରିବାର କିଛି ଯୁକ୍ତି ସଂଗତ କାରଣ ନାହିଁ। କେବଳ ବିସିସିଆଇକୁ ଆଇପିଏଲ୍‌ ଦୌଡ଼ରୁ ବାହାର କରିବା ପାଇଁ ଏଭଳି କର‌ାଯାଉଛି’ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ବସିଥିବା ଆଇସିସି ବୈଠକରେ ଆଉ ଗୋଟିଏ ମାସ ପାଇଁ ଅପେକ୍ଷା କରିବାକୁ ସହମ୍ମତି ପ୍ରକାଶ ପାଇଥିଲା। ଇତି ମଧ୍ୟରେ କ୍ରିକେଟ୍ ଅଷ୍ଟ୍ରେଲିଆର ଅଧ୍ୟକ୍ଷ ଅର୍ଲ ଏଡିଙ୍ଗ୍‌ସ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ମଧ୍ୟରେ ବିଶ୍ବକପ୍‌ କରାଇବା ସମ୍ଭବ ନୁହେଁ ବୋଲି କହିସାରିଛନ୍ତି।

କେବଳ ବିସିସିଆଇ ନୁହେଁ ଆଇସିସି ତୁରନ୍ତ ଟି-୨୦ ବିଶ୍ବକପ୍‌ ସମ୍ପର୍କିତ ଘୋଷଣା କରିଦେଲେ ଏହା ଅନ୍ୟ ଆଇସିସି ସଦସ୍ୟ ରାଷ୍ଟ୍ରଗୁଡିକୁ ବି ସେମାନଙ୍କ ଦ୍ବିପାକ୍ଷିକ ଶୃଙ୍ଖଳା ସୂଚୀ ପ୍ରସ୍ତୁତିରେ ସହାୟକ ହୁଅନ୍ତା। ବିସିସିଆଇ ମଧ୍ୟ ନିଶ୍ଚିତ ହେଲେ ଶ୍ରୀଲଙ୍କାର ପ୍ରସ୍ତାବିତ ୩ ଗ୍ରାଉଣ୍ଡ୍‌ ପ୍ରେମଦାସା, ପାଲେକଲ୍‌ ଓ ହାମ୍ବାଟୋଟା ପ୍ରସ୍ତୁତି ପାଇଁ ସଙ୍କେତ ଦିଅନ୍ତେ। ୟୁଏଇ ତୁଳନାରେ ଶ୍ରୀଲଙ୍କାରେ ଯଦି ଆଇପିଏଲ୍‌ କରାଯାଏ ତେବେ ସେପ୍ଟେମ୍ବରରେ କରାଇବା‌ ଠିକଣା ସମୟ ବୋଲି ପୂର୍ବରୁ କିଂବଦନ୍ତି ଖେଳାଳି ସୁନିଲ ଗାଭାସ୍କର ପ୍ରକାଶ କରିଥିଲେ। କିନ୍ତୁ ବିସିସିଆଇର ଜଣେ ପୂର୍ବତନ ସଭାପତି ବର୍ତ୍ତମାନ ଏହାର ପରମ ଶତ୍ରୁ ପାଲଟିଛନ୍ତି। ବିସିସିଆଇ-ମ‌ନୋହର ଲଢ଼େଇରେ ଆଇପିଏଲ୍‌ ବଳିପଡ଼ିବା ଆଶଙ୍କା ଉପୁଜିଛି। ବିସିସିଆଇର ଅନ୍ୟତମ ପୂର୍ବତନ ସଭାପତି ଏନ୍ ଶ୍ରୀନିବାସନଙ୍କ ସହିତ ତିକ୍ତ ସମ୍ପର୍କ ଏହି ଉତ୍ତେଜନାର କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି। ‘ଜଣେ ପୂର୍ବତନ ବିସିସିଆଇ ସଭାପତି ଏବେ ବୋର୍ଡ ସ୍ବାର୍ଥ ବିପକ୍ଷରେ ଯାଇଛନ୍ତି। ଆଇସିସିକୁ ସର୍ବାଧିକ ରାଜସ୍ବ ଦେଇଥିଲେ ମଧ୍ୟ ବିସିସିଆଇର ଅଂଶଧନକୁ କମାଇ ଦେବାରେ ତାଙ୍କ ହାତ ରହିଥିଲା’ ବୋଲି ସମ୍ପୃକ୍ତ ବିସିସିଆଇ ଅଧିକାରୀ ଜଣଙ୍କ ପ୍ରକାଶ କରିଥିଲେ। ବର୍ତ୍ତମାନର ସ୍ଥିତି କେବଳ ଦ୍ବନ୍ଦ୍ବ ବଢ଼ାଉଛି। ଆସନ୍ତା ମାସରେ ଶଶାଙ୍କଙ୍କ ଆଇସିସି ଅଧ୍ୟକ୍ଷ କାର୍ଯ୍ୟକାଳ ଶେଷ ହେଉଛି। ଆଇସିସିର ପରବର୍ତୀ ନିର୍ବାଚନ ମଧ୍ୟ ଜୁଲାଇରେ କରାଯିବ। ଆଇସିସିର ନୂଆ ଅଧ୍ୟକ୍ଷ ଦୌଡ଼ରେ ସୌରଭ ଗାଙ୍ଗୁଲି, କଲିନ୍ ଗ୍ରେଗ୍‌ସ, ଏହସାନ ମଣି ଏବଂ ଡେବି ହକ୍‌ଲି’ ରହିଛନ୍ତି।

ଚଳିତ ବର୍ଷ ଟି-୨୦ ବିଶ୍ବକପ୍‌ ହେବା ସମ୍ଭାବନା ନାହିଁ: ଏହସାନ୍‌
ମୁମ୍ବାଇ : ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ମୁଖ୍ୟ ଏହସାନ ମଣି ପୁଣି ବିଶ୍ବ କ୍ରିକେଟ୍‌ର ପ୍ରମୁଖ ବ୍ୟକ୍ତି ହେବା ଦୌଡ଼ରେ ରହିଛନ୍ତି। ଜୁଲାଇ ମାସରେ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହସାନ ମଣି ଦ୍ବିତୀୟ ଥର ପାଇଁ ଦାୟିତ୍ବ ନେବା ସମ୍ଭାବନା ରହିଛି। ୭୫ ବର୍ଷୀୟ ଏହି ଚାର୍ଟାଡ୍ ଆକାଉଣ୍ଟାଣ୍ଟ୍‌ ୨୦୦୩ ମସିହାରେ ମଧ୍ୟ ଅଧ୍ୟକ୍ଷ ଥିଲେ। ଏକ ସାକ୍ଷାତକାର ବେଳେ ଏହସାନ ଭାରତ-ପାକିସ୍ତାନ କ୍ରିକେଟ୍‌ ସମ୍ପର୍କ ଏବଂ ଆଇସିସି ବିଶ୍ବକପ୍‌ ସମ୍ଭାବନା ସମ୍ପର୍କରେ ନିଜ ମତ ରଖିଥିଲେ।

କୋଭିଡ୍‌-୧୯ ପରିସ୍ଥିତିକୁ ନଜରରେ ରଖି ଅଂଶଗ୍ରହଣକାରୀ ଦେଶ ସଂଖ୍ୟାକୁ ଦେଖି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଉପରେ ନିଷ୍ପତ୍ତି ହେବା କଥା। ମୋ ବିଶ୍ବାସ ଏହା ଚଳିତ ବର୍ଷ ହେବା ସମ୍ଭାବନା ନାହିଁ। ଆର୍ଥିକ ଦୃଷ୍ଟିକୋଣରୁ ହେଉ କି କ୍ରିକେଟ୍‌ ଖେଳର ସାମଗ୍ରିକ ସୁସ୍ଥତା ହେଉ ସମସ୍ତ ଆଇସିସି ଇଭେଣ୍ଟ୍ ନିଶ୍ଚିତ ଗୁରୁତ୍ବପୂର୍ଣ୍ଣ।‌ କୋଭିଡ୍‌-୧୯ ସ୍ଥିତି ଅନୁସାରେ ଆଇସିସି ନିଷ୍ପତ୍ତି ନେବ। ମୁଁ ଆଇସିସି ଅଧ୍ୟକ୍ଷ ହେବାକୁ ଲବି କରିନଥିଲି କି କରୁନାହିଁ। ଶଶାଙ୍କ ମନୋହର କିନ୍ତୁ ସମସ୍ତ କ୍ରିକେଟ୍ ରାଷ୍ଟ୍ରକୁ ଏକାଠି କରିବାରେ ସକ୍ଷମ ‌ହୋଇଛନ୍ତି। ତଥା କଥିତ ‘ବିଗ୍ ଥ୍ରୀ’ ପାଇଁ ହେଉଥିବା କ୍ଷତିକୁ ଏଡ଼ାଇବାରେ ତାଙ୍କ ଯୋଗଦାନ ରହିଛି। ତାଙ୍କ ପ୍ରତି ମୋର ଢେର ସମ୍ମାନବୋଧ ରହିଛି। ଭାରତ-ପାକିସ୍ତାନ କ୍ରିକେଟ୍‌ ମ୍ୟାଚ୍‌କୁ ଅନ୍ୟ ସବୁ ମ୍ୟାଚ୍‌ଠାରୁ ଅଧିକ ଲୋକ ଦେଖିଥାନ୍ତି। ପଡ଼ିଆ ଭିତରେ ସୁସ୍ଥ ପ୍ରତିଦ୍ବନ୍ଦ୍ବିତା ହୋଇଥାଏ ଯାହାକି ଖେଳ ପାଇଁ ଭଲ। ପାକିସ୍ତାନରେ ଆମେ ଖେଳ ଓ ରାଜନୀତିକୁ ମିଶିବାକୁ ଦେଇନଥାଉ। ବିସିସିଆଇ ସହିତ ପିସିବିର କୌଣସି ମତଭେଦ ନାହିଁ।

ଶ୍ରୀଲଙ୍କାକୁ ଏସିଆ କପ୍‌ ସ୍ଥାନାନ୍ତର ହେବା ଠିକଣା ନିଷ୍ପତ୍ତି। ତେବେ ଏଥିପାଇଁ ଆମକୁ ୨/୩ ସପ୍ତାହ ଅପେକ୍ଷା କରିବାକୁ ପଡ଼ିବ। ମହାଦେଶରେ ଶ୍ରୀଲଙ୍କାରେ କୋଭିଡ୍‌-୧୯ ସ୍ଥିତି ଅପେକ୍ଷାକୃତ ଭଲ ରହିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର