ମୁମ୍ବାଇ: ଆସନ୍ତା ଫେବ୍ରୁଆରି ମାସରେ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ ଖେଳିବାକୁ ଭାରତ ଆସିବ ନାହିଁ ବୋଲି ନିଜ ନିଷ୍ପତ୍ତିରେ ଅଟଳ ରହିଛି କ୍ରିକେଟ ବୋର୍ଡ (ବିସିବି)। ତେବେ ନିଜର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପୁଣି ଥରେ ବିସିବିକୁ ନିବେଦନ କରିଛି।

Advertisment

ବାଂଲାଦେଶ ଦଳର ଭାରତ ଗସ୍ତ ନେଇ ଲାଗି ରହିଥିବା ଅଚଳାବସ୍ଥା ଦୂର କରିବାକୁ ଆଜି ବିସିବି ଓ ଆଇସିସି ମଧ୍ୟରେ ଭିଡିଓ କନଫରେନ୍ସିଂରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିସିବି ନିଜ ନିଷ୍ପତ୍ତିରେ ଅଟଳ ରହିଥିବାବେଳେ ମ୍ୟାଚ ସ୍ଥାନାନ୍ତର ସମ୍ଭବ ନୁହେଁ ବୋଲି ଆଇସିସି ଜଣାଇଛି। ତେବେ ଏହି ଅଚଳାବସ୍ଥା ଦୂର ପାଇଁ ଆଲୋଚନା ଜାରି ରଖିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି।

ଗତକାଲି ବାଂଲାଦେଶର କ୍ରୀଡ଼ା ପରାମର୍ଶଦାତା ଆସିଫ ନଜରୁଲ କହିଥିଲେ ଯେ ଭାରତରେ ବାଂଲାଦେଶ ଖେଳାଳିଙ୍କ ପ୍ରତି ବିପଦ ରହିଥିବା ଆଇସିସି ନିଜର ଏକ ଆକଳନରେ ସ୍ବୀକାର କରିଛି । କିନ୍ତୁ ଏପରି କୌଣସି ଆକଳନ ହୋଇନଥିବା ଉଲ୍ଲେଖ କରି ଆଇସିସି ତୁରନ୍ତ ନଜରୁଲଙ୍କ ବୟାନକୁ ଖଣ୍ଡନ କରିଥିଲା । ଆଇସିସିର ଏହି ଖଣ୍ଡନ ପରେ ବାଂଲାଦେଶର ମିଛ ପଦାରେ ପଡ଼ିଯାଇଥିଲା।

ସୂଚନାଯୋଗ୍ୟ ଯେ ଆସନ୍ତା ୭ ଫେବ୍ରୁଆରିରୁ ଟ୍ବେଣ୍ଟି-୨୦ ବିଶ୍ବକପ ଆରମ୍ଭ ହେଉଛି। ପ୍ରଥମ ଦିନରେ ହିଁ ବାଂଲାଦେଶ କୋଲକାତାର ଇଡେନ ଗାଡେନ୍ସଠାରେ ଓ୍ବେଷ୍ଟଇଣ୍ଡିଜକୁ ଭେଟିବ। ବାଂଲାଦେଶର ନିଜର ଲିଗ ପର୍ଯ୍ୟାୟର ପ୍ରଥମ ୩ଟି ମ୍ୟାଚ କୋଲକାତାରେ ଖେଳିବ ଓ ଶେଷ ଲିଗ ମ୍ୟାଚ ମୁମ୍ବାଇରେ ନେପାଳ ବିପକ୍ଷରେ ଖେଳିବ।