ମୁମ୍ବାଇ: ଚଳିତ ଟ୍ବେଣ୍ଟି-୨୦ କ୍ରିକେଟ୍ର ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହି ଭାରତୀୟ ଦଳ ସୁପର-୮ରେ ପ୍ରବେଶ କରିଛି। କିନ୍ତୁ ଲିଗ୍ ପର୍ଯ୍ୟାୟରେ ଭାରତୀୟ ବ୍ୟାଟିଂର କେତେକ ଦୁର୍ବଳତା ପଦାରେ ପଡ଼ିଯାଇଥିଲା। ତାହା ହେଉଛି ଅଫ୍ ସ୍ପିନ୍କୁ ଖେଳିବାରେ ଭାରତୀୟ ବ୍ୟାଟର୍ମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସୁପର-୮ରେ ଭାରତ ଶକ୍ତିଶାଳୀ ଦଳଙ୍କ ସାମନା କରିବାକୁ ଯାଉଥିବାବେଳେ ଏହି ଦୁର୍ବଳତା ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ ବୋଲି ଦଳର ସହକାରୀ ପ୍ରଶିକ୍ଷକ ରିୟାନ ଟେନ୍ ଡୋଏସେଟ୍ ସତର୍କ କରାଇଦେଇଛନ୍ତି। ଦଳର ଏହି ଦୁର୍ବଳତାକୁ ସ୍ବୀକାର କରି ସେ କହିଛନ୍ତି ଯେ ଭାରତୀୟ ଦଳରେ ଅନେକ ବାମହାତୀ ବ୍ୟାଟର୍ ଅଛନ୍ତି। ଭାରତର ପ୍ରମୁଖ ତିନିଜଣ ବ୍ୟାଟର ଅଭିଷେକ ଶର୍ମା, ଇଶାନ କିଶନ ଓ ତିଳକ ବର୍ମା ବାମହାତୀ। ସେହିପରି ଶୁଭମ ଦୁବେ, ରିଙ୍କୁ ସିଂ ଓ ଅକ୍ଷର ପଟେଲ୍ ମଧ୍ୟ ବାମହାତୀ। ଏହି କାରଣରୁ ଲିଗ୍ ପର୍ଯ୍ୟାୟର ବିପକ୍ଷ ଦଳଗୁଡ଼ିକ ଅଫ୍ ସ୍ପିନରମାନେ ଭାରତକୁ ସମସ୍ୟାରେ ପକାଇବାରେ ସଫଳ ହୋଇଥିଲେ। ଏହା ଦଳ ପାଇଁ ଏକ ଆହ୍ବାନ ହୋଇଥିବାବେଳେ ଏହାର ତୁରନ୍ତ କୌଣସି ସମାଧାନ ନାହିଁ, ବୋଲି ସେ ସ୍ବୀକାର କରିଛନ୍ତି।
ଲିଗ୍ ପର୍ଯ୍ୟାୟରେ ୟୁଏସ୍ଏ ଓ ନେଦରଲାଣ୍ଡସ୍ ପରି ଦୁର୍ବଳ ଦଳ ବିପକ୍ଷରେ ଭାରତୀୟ ବ୍ୟାଟରମାନେ ସଂଘର୍ଷ କରୁଥିବା ଦେଖାଯାଇଥିଲା। ଚଳିତ ବିଶ୍ବକପ୍ରେ ଭାରତୀୟ ବ୍ୟାଟର୍ମାନେ ଏପର୍ଯ୍ୟନ୍ତ ମୋଟ ୪୨ ଓଭର ସ୍ପିନ ବୋଲିଂର ସମ୍ମୁଖୀନ ହୋଇ ମୋଟ ୩୧୫ ରନ୍ କରିଛନ୍ତି। ସ୍ପିନରମାନେ ୧୫ଟି ଭାରତୀୟ ୱିକେଟ୍ ନେଇଛନ୍ତି। ସୁପର-୮ ପର୍ଯ୍ୟାୟରେ ଭାରତର ମୁକାବିଲା ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ଓ୍ବେଷ୍ଟଇଣ୍ଡିଜ୍ ସହ ହେବ। ଏହି ତିନୋଟି ଦଳରେ କେତେକ ଭଲ ସ୍ପିନର ଥିବାରୁ ତାହା ଭାରତ ପାଇଁ ଏକ ସତର୍କ ଘଣ୍ଟି ହୋଇପାରେ। ତେବେ ଲୟରେ ନଥିବା ଅଭିଷେକଙ୍କ ବଦଳରେ ଡାହାଣହାତୀ ବ୍ୟାଟର୍ ସଂଜୁ ସାମସନଙ୍କୁ ସାମିଲ କରାଗଲେ ଏହି ସମସ୍ୟାର କିଛିଟା ସମାଧାନ ହୋଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/20/t20-world-cup-2026-02-20-15-53-59.jpg)