ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ ବଶ୍ବକପ୍‌ ଜିତିବା ପରେ ଆଜି ଘରକୁ ବାହୁଡ଼ିଛି ଭାରତୀୟ ଦଳ। ୧୧ ବର୍ଷ ପରେ ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇଥିଲା ବେଳେ ୧୭ ବର୍ଷ ପରେ ଦ୍ବିତୀୟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଟ୍ରଫି ସହ ରୋହିତ ଶର୍ମାଙ୍କ ଦଳ ସ୍ବଦେଶ ଫେରିଛି। ଦିଲ୍ଲୀରେ ପହଞ୍ଚିବା ପରେ ‌ସମସ୍ତଙ୍କୁ ଭବ୍ୟ ସ୍ବାଗତ ଜଣାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସକ୍ଷାତ ଆଲୋଚନା କରିଥିଲେ ଭାରତୀୟ ଖେଳାଳିମାନେ। ପରେ ସନ୍ଧ୍ୟା ବେଳେ ମୁମ୍ବାଇର ମେରାଇନ୍‌ ଡ୍ରାଇଭ୍‌ ଓ ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଭାରତୀୟ ଖେଳାଳିମାନେ ବିଜୟ ଉତ୍ସବ ପାଳିଥିଲେ। ଖୋଲା ବସ୍‌ରେ ରୋଡ୍‌ ସୋ’ କରିବା ସହିତ ୨୦୦୭ ବିଶ୍ବ ବିଜୟୀ ମୁହୂର୍ତ୍ତକୁ ମନେପକାଇ‌ ଦେଇଥିଲା ଏହି ଉତ୍ସବ। ଖେଳାଳିମାନଙ୍କୁ ମଧ୍ୟ ବଧେଇ ଜଣାଇବାକୁ ସ୍ବପ୍ନର ସହର ମୁମ୍ବାଇର ରାସ୍ତା ଜନସମୁଦ୍ରରେ ପରିଣତ ହୋଇଯାଇଥିଲା। ପାଖାପାଖି ୭ଲକ୍ଷରୁ ଅଧିକ ପ୍ରଶଂସକ ଏହି ପରେଡ୍‌ରେ ଯୋଗଦେବା ପରେ ଭାରତୀୟ କ୍ରିକେଟ୍ ଇତିହାସରେ ନିଆରା ଓ ଅନନ୍ୟ ଫର୍ଦ୍ଦ ଯୋଡ଼ି ହୋଇଥିଲା। ପରେ ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଖେଳାଳିମାନେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ହଜାର ହଜାର ଦର୍ଶକଙ୍କ ଗହଣରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Advertisment

ଟ୍ରଫି ନୁହେଁ, ମୋଦୀ ଧରିଲେ ରୋହିତ-ଦ୍ରାବିଡ଼ଙ୍କ ହାତ

ଭାରତୀୟ କ୍ରିକେଟ୍ ଦଳର ସହ ପ୍ରାତଃଭୋଜନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ନିଆରା ଆଚରଣ ସମସ୍ତଙ୍କ ମନ ଛୁଇଁ ଯାଇଥିଲା। ବିଶ୍ବକପ୍ ବିଜୟର ଦୁଇ ପ୍ରମୁଖ ନାୟକ ରୋହିତ ଶର୍ମା, ରାହୁଲ ଦ୍ରାବିଡ଼ ତଥା ସମଗ୍ର ଭାରତୀୟ ଦଳର ଅବଦାନକୁ ସମ୍ମାନ ଜଣାଇ ମୋଦୀ ବିଶ୍ବକପ୍ ଟ୍ରଫି ଧରି ନଥିଲେ, ବରଂ ରୋହିତ-ଦ୍ରାବିଡ଼ଙ୍କୁ ଏହାକୁ ଧରିବାକୁ କହିଥିଲେ। ଫଟୋ ପୋଜ୍ ବେଳେ ସେ କେବଳ ସେମାନଙ୍କ ହାତ ଧରିଥିଲେ। ଏହି ଫଟୋ ପଦାକୁ ଆସିବା ପରେ ଭାଇରାଲ୍ ହୋଇଛି। ନିୟମ ଅନୁସାରେ କୌଣସି ଖେଳାଳି କିମ୍ବା ଦଳ ଟ୍ରଫି ଅଥବା ପଦକ ଜିତିଲେ, ସେଗୁଡ଼ିକୁ ଛୁଇଁବାର ଅଧିକାର କେବଳ ସଂପୃକ୍ତ ଖେଳାଳି କିମ୍ବା ଦଳୀୟ ସଦସ୍ୟଙ୍କର ରହିଥାଏ। ସେଥିପାଇଁ ପ୍ରଧାନମନ୍ତ୍ରୀ ଏହି ନିୟମକୁ ଅନୁସରଣ କରିବା ସହ ନିଜ ମହାନତାର ଆଉ ଏକ ପରିଚୟ ଦେଇଛନ୍ତି ବୋଲି ପ୍ରଶଂସକମାନେ କହିଛନ୍ତି।

ସ୍ବତନ୍ତ୍ର ଦିନ ପାଇଁ ସ୍ବତନ୍ତ୍ର ଜର୍ସି
ଭାରତରେ ବିଜୟ ଉତ୍ସବ ପାଳନ ପାଇଁ ସମସ୍ତ ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ଜର୍ସିର ବ୍ୟବସ୍ଥା କରାଯାଇଥିଲା। ବିଶ୍ବକପ୍‌ରେ ଖେଳିଥିବା ମ୍ୟାଚ୍‌ ଜର୍ସି ଭଳି ଅବିକଳ ଜର୍ସି ପ୍ରସ୍ତୁତ ହୋଇଥିଲା ବେଳେ ଏହାର ସମ୍ମୁଖ ଭାଗରେ ଭାରତର ନାମ ତଳକୁ ‘ଚାମ୍ପିଅନ୍‌ସ’ ଲେଖାଯାଇଥିଲା। ଭାରତୀୟ ଖେଳାଳିମାନେ ଦିନ ତମାମ୍‌ ଏହି ଜର୍ସିକୁ ପରିଧାନ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତବେଳେ ଭାରତୀୟ ଖେଳାଳିମାନେ ଏହି ସ୍ବତନ୍ତ୍ର ଜର୍ସି ପିନ୍ଧିଥିବା ଦେଖାଯାଇଥିଲା।

ଉତ୍ସର୍ଗ ହେଲା ସ୍ବତନ୍ତ୍ର ବିମାନ
ଭାରତୀୟ ଖେଳାଳିମାନେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ପରେ ମୁମ୍ବାଇ ଅଭିମୁଖେ ଗସ୍ତ କରିଥିଲେ। ଦିଲ୍ଲୀରୁ ଭାରତୀୟ ଖେଳାଳି ଓ ବିସିସିଆଇ ଅଧିକାରୀମାନେ ‘ଭିସ୍ତାରା’ ବିମାନରେ ମୁମ୍ବାଇ ଯାଇଥିଲେ। ଏହି ବିମାନକୁ ଦୁଇ ତାରକା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନାମରେ ଉତ୍ସର୍ଗ କରିଥିଲା ‘ଭିସ୍ତାରା’। କୋହଲି ଓ ରୋହିତଙ୍କ ଜର୍ସି ନମ୍ବର ଅନୁସାରେ ବିମାନର କଲ୍‌ ସାଇନ୍‌ ରଖାଯାଇଥିଲା ‘ୟୁକେ୧୮୪୫’। ଏହି ବିମାନ ଅପରାହ୍ନ ୨ଟା୫୫ ମିନିଟ୍‌ରେ ଦିଲ୍ଲୀ ଛାଡ଼ିଥିଲା। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ବିମାନବନ୍ଦରରେ ଏହା ଟର୍ମିନାଲ୍‌-୨ରେ ଲ୍ୟାଣ୍ଡ କରିଥିଲା। ବିମାନ ଅବତରଣ ପରେ ୱାଟର୍‌ କ୍ୟାନନ୍‌ରେ ଏହାକୁ ସ୍ବାଗତ କରାଯାଇଥିଲା। ପୂର୍ବରୁ ହରିକେନ୍‌ ଯୋଗୁଁ ବାର୍ବାଡସ୍‌ରେ ଫସିଥିବା ଭାରତୀୟ ଖେଳାଳି ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆଣିବା ପାଇଁ ବିସିସିଆଇ ପଠାଇଥିବା ସ୍ବତନ୍ତ୍ର ‘ଏୟାର ଇଣ୍ଡିଆ’ ବିମାନର କଲ୍‌ ସାଇନ୍‌କୁ ମଧ୍ୟ ବିଶ୍ବ‌ବିଜେତା ଦଳ ନାମରେ ନାମିତ କରାଯାଇଥିଲା। ଏହି ବିମାନର କଲ୍‌ ସାଇନ୍‌ ଥିଲା ‘ଏଆଇସି୨୪ଡବ୍‌ଲ୍ୟୁସି’।

publive-image

ନାଚିଲେ, କେକ୍‌ କାଟିଲେ
ବାର୍ବାଡସ୍‌ରେ ତ୍ରିରଙ୍ଗା ଉଡ଼ାଇବା ପରେ ଭାରତୀୟ କ୍ରିକେଟ୍‌ ଦଳ ଗୁରୁବାର ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛି। ବର୍ଷା ଭିଜା ସକାଳରେ ଭାରତୀୟ ଖେଳାଳିଙ୍କ ଝଲକ୍‌ ପାଇବା ପାଇଁ ପ୍ରଶଂସକଙ୍କ ଉତ୍ସାହ ମଧ୍ୟ କିଛି କମ୍‌ ନଥିଲା। ପ୍ରବଳ ବର୍ଷ‌ା ସତ୍ତ୍ବେ ବିମାନବନ୍ଦର, ରାସ୍ତା କଡ଼ ଓ ହୋଟେଲ୍‌ ବାହାରେ ପ୍ରଶଂସକମାନେ ଗହଳି ଲଗାଇଥିଲେ। ଖେଳାଳିମାନେ ମଧ୍ୟ ସେମାନଙ୍କୁ ନିରାଶ କରି ନଥିଲେ। ବସ୍‌ ଯୋଗେ ସମସ୍ତେ ହୋଟେଲ୍‌ରେ ପହଞ୍ଚିବା ପରେ ସେଠାରେ ମଧ୍ୟ ଖେଳାଳିମାନଙ୍କୁ ସ୍ବାଗତ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଥିଲା। ପାରମ୍ପରିକ ନୃତ୍ୟ ଓ ବାଦ୍ୟର ତାଳେ ତାଳେ ଭାରତୀୟ ଖେଳାଳିମାନଙ୍କୁ କଳାକାରମାନେ ସ୍ବାଗତ କରିଥିଲେ। ଖେଳାଳିମାନେ ମଧ୍ୟ ସେମାନଙ୍କ ସହ ନାଚିବାକୁ ପଛାଇ ନଥିଲେ। ହୋଟେଲ୍‌ ଭିତରେ ମଧ୍ୟ ସ୍ବାଗତ ପାଇଁ ଏକ ସୁଉଚ୍ଚ କେକ୍‌ ସମସ୍ତଙ୍କୁ ପ୍ରତୀକ୍ଷା କରିଥିଲା। ରୋହିତ ଶର୍ମା, ବିରାଟ କୋହଲି ଓ ରାହୁଲ ଦ୍ରାବିଡ଼ କେକ୍‌ କାଟି ହୋଟେଲ୍‌ କର୍ମଚାରୀଙ୍କୁ ଅଭିବାଦନ ଜଣାଇଥିଲେ।

ପ୍ରଧାନମନ୍ତ୍ରୀଙ୍କୁ ‘ନମୋ ୧’ ଜର୍ସି ଉପହାର
ଭାରତୀୟ ଖେଳାଳିମାନେ ବିଶ୍ବକପ୍‌ ଟ୍ରଫି ସହ ଦିନ ପାଖାପାଖି ୧୧ଟା ବେଳକୁ ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀ ଆବାସରେ ପହଞ୍ଚିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ଖେଳାଳିଙ୍କ ସହ ବିସିସିଆଇ ସଭାପତି ରୋଜର ବିନ୍ନି ଓ ସମ୍ପାଦକ ଜୟ ଶାହଙ୍କ ସହିତ ଆଲୋଚନା କରିଥିଲେ। ଗୋଲ୍‌ ଟେବୁଲ୍‌ ବୈଠକ କରି ବିଶ୍ବକପ୍‌ ଅଭିଜ୍ଞତା ବିଷୟରେ ପ୍ରତ୍ୟେକ ‌ଖେଳାଳିଙ୍କୁ ମୋଦୀ ପଚାରି ବୁଝିଥିଲେ। ପରେ ଖେଳାଳି ଓ ସେମାନଙ୍କ ପରିବାର ସହ ଫଟୋ ସୁଟ୍‌ ହୋଇଥିଲା। ଏହି ଅବସରରେ ବିସିସିଆଇ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ବତନ୍ତ୍ର ଜର୍ସି ଉପହାର ଦେଇଥିଲା। ଏହି ଜର୍ସିର ପଛପଟରେ ‘ନମୋ ୧’ ଲେଖା ରହିଥିଲା। ଗତବର୍ଷ ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ରେ ଭାରତୀୟ ଦଳର ପରାଜୟ ପରେ ମୋଦୀ ଡ୍ରେସିଂ ରୁମ୍‌କୁ ଯାଇ ଖେଳାଳିମାନଙ୍କୁ ସାନ୍ତ୍ବନା ଦେଇଥିଲେ ଏବଂ ଆଗକୁ ଆହୁରି ବଡ଼ ବିଜୟ ଅପେକ୍ଷା କରିଥିବା କହି ସମସ୍ତଙ୍କ ଉତ୍ସାହ ବଢ଼ାଇଥିଲେ।