ଟି-୨୦ ବିଶ୍ବକପ୍‌: ଧୋନି ମାର୍ଗଦର୍ଶକ, ଅଶ୍ବିନ୍‌ ସାମିଲ

୧୫ ଜଣିଆ ଭାରତୀୟ ଦଳ ଘୋଷିତ, ଧାୱନ, ଚହଲ, କୁଲଦୀପଙ୍କୁ ସୁଯୋଗ ମିଳିଲାନି

ନୂଆଦିଲ୍ଲୀ: ୟୁଏଇ ଏବଂ ଓମାନ୍‌ରେ ଆୟୋଜିତ ଆଗାମୀ ଟି-୨୦ ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ବୁଧବାର ଘୋଷିତ ହୋଇଛି। ଏଥିପାଇଁ ଚେତନ ଶର୍ମାଙ୍କ ନେତୃତ୍ବାଧୀନ ମନୋନୟନ ସମିତି ଅଧିନାୟକ ବିରାଟ କୋହଲି ଓ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସ ଜରିଆରେ ଆଲୋଚନା କରିବା ପରେ ଚୂଡ଼ାନ୍ତ ୧୫ ଜଣିଆ ଦଳ ଘୋଷିତ କରିଛି। ଏମାନଙ୍କ ବ୍ୟତୀତ ୩ ଜଣଙ୍କୁ ଷ୍ଟାଣ୍ଡ ବାଇରେ ରଖାଯାଇଛି। କୋହଲିଙ୍କ ନେତୃତ୍ବରେ ଘୋଷିତ ଏହି ଦଳରେ ୨ ଜଣ ୱିକେଟ୍‌ରକ୍ଷକ ଋଷଭ ପନ୍ତ ଓ ଈଶାନ କିଶନଙ୍କୁ ସ୍ଥାନ ମିଳିଛି। ୪ ବର୍ଷ ତଳେ ଟି-୨୦ ଫର୍ମାଟ୍‌ରୁ ଦୂରେଇ ରହିଥିବା ରବିଚନ୍ଦ୍ରନ ଅଶ୍ବିନ୍‌ଙ୍କୁ ପୁଣି ଥରେ ଦଳରେ ସାମିଲ କରାଯାଇଛି। ଫଳରେ ଦୁଇ କଚଟି ସ୍ପିନର ୟୁଝ୍‌ବେନ୍ଦ୍ର ଚହଲ ଏବଂ କୁଲ୍‌ଦୀପ ଯାଦବ ବାଦ୍‌ ପଡ଼ିଛନ୍ତି। ପୁଣି ଗତ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ଶୃଙ୍ଖଳାରେ ଭାରତର ନେତୃତ୍ବ ନେଇଥିବା ବାମହାତୀ ଓପ୍‌ନର ଶିଖର ଧାୱନ୍‌ ମଧ୍ୟ ବିଶ୍ବ କପ୍‌ ଦଳରୁ ବାଦ୍‌ ପଡ଼ିଛନ୍ତି। ତେବେ ଶ୍ରେୟସ ଆୟର, ଦୀପକ ଚହର ଏବଂ ଶାର୍ଦୁଳ ଠାକୁରଙ୍କୁ ସଂରକ୍ଷିତ ଖେଳାଳି ଭାବେ ରଖାଯାଇଛି।

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ଚୟନ ସମିତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ‌ଧୋନିଙ୍କୁ ଦଳର ମାର୍ଗଦର୍ଶକ (ମେଣ୍ଟର) ଭାବେ ନିଯୁକ୍ତ କରିଛି। ‘‘ଧୋନିଙ୍କୁ ମାର୍ଗଦର୍ଶକ ଭାବେ ନିଯୁକ୍ତି ଦିଆଯାଇଛି। ସେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏବଂ ଅନ୍ୟ ସପୋର୍ଟ ‌ଷ୍ଟାଫ୍‌ଙ୍କ ସହ କାମ କରିବେ। ନିଜର ଅଭିଜ୍ଞତ‌ା ଖେଳାଳିଙ୍କ ସହ ବାଣ୍ଟିବେ ଏବଂ ପ୍ରଶିକ୍ଷକ ମଣ୍ଡଳିକୁ ସହଯୋଗ କ‌ରିବେ’’ ବୋଲି ଦଳ ଘୋଷଣା ପରେ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହ କହିଛନ୍ତି।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), କେଏଲ୍‌ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ୍‌ (ୱିକେଟ୍‌ରକ୍ଷକ), ଈଶାନ କିଶନ (ୱିକେଟ୍‌ରକ୍ଷକ), ହାର୍ଦିକ୍‌ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ରାହୁଲ ଚହର, ରବିଚନ୍ଦ୍ରନ ଅଶ୍ବିନ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତୀ, ଯଶ୍‌ପ୍ରୀତ୍‌ ବୁମ୍‌ରା, ଭୁବନେଶ୍ବର କୁମାର, ମହମ୍ମଦ ସାମି। ଷ୍ଟାଣ୍ଡ ବାଇ: ଶ୍ରେୟସ ଆୟର, ଶାର୍ଦୁଳ ଠାକୁର, ଦୀପକ ଚହର।

ସମ୍ବନ୍ଧିତ ଖବର