ମସ୍କଟ : ରବିବାରଠାରୁ ଓମାନର ମସ୍କଟଠାରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆରମ୍ଭ ହେବ। ମ୍ୟାଚ୍ଗୁଡ଼ିକ ଓମାନ ଏବଂ ୟୁଏଇରେ ଆୟୋଜିତ ହେବ। ୧୬ ଦଳୀୟ ପ୍ରତିଯୋଗିତାରେ ମୋଟ ୪୫ ମ୍ୟାଚ୍ ଖେଳାଯିବ। ଆସନ୍ତାକାଲି ପ୍ରାରମ୍ଭିକ ପର୍ଯ୍ୟାୟର ଦୁଇଟି ମ୍ୟାଚ୍ରେ ଆୟୋଜକ ଓମାନକୁ ପାପୁଆ ନ୍ୟୁଗିନି ଏବଂ ଦ୍ବିତୀୟ ମ୍ୟାଚ୍ରେ ବାଂଲାଦେଶକୁ ସ୍କଟଲାଣ୍ଡ ଭେଟିବ। ଏହାର ସୁପର ୧୨ ପର୍ଯ୍ୟାୟ ଆସନ୍ତା ୨୩ ତାରିଖରୁ ଖେଳାଯିବ। ଏଥିରେ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ୮ ଏବଂ ପ୍ରଥମ ପର୍ଯ୍ୟାୟରୁ ଯୋଗ୍ୟତା ଅର୍ଜନ କରିଥିବା ୪ ଦଳ ସାମିଲ ରହିବେ। ଭାରତ ପରଦିନ ଅର୍ଥାତ୍ ୨୪ ତାରିଖରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ। ନଭେମ୍ବର ୧୪ ତାରିଖରେ ଏହି ପ୍ରତିଯୋଗିତାର ମେଗା ଫାଇନାଲ୍ ଖେଳାଯିବ।
ଏଥରର ବିଶ୍ବକପ୍ରେ ମୋଟ ୪୨ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। ବିଜେତା ୧୨ କୋଟି ଏବଂ ଉପବିଜେତା ୬ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପାଇବ। ୨୦୦୭ ମସିହାରୁ ଆରମ୍ଭ ହୋଇଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ର ସଫଳତମ ଦଳ ହେଉଛି ୱେଷ୍ଟଇଣ୍ଡିଜ୍ (୨)। ଭାରତ (୨୦୦୭), ପାକିସ୍ତାନ (୨୦୦୯), ଇଂଲଣ୍ଡ (୨୦୧୦) ଓ ଶ୍ରୀଲଙ୍କା (୨୦୧୪) ଥରେ ଲେଖାଏଁ ଏହାକୁ ଜିତିଛନ୍ତି। ୱେଷ୍ଟଇଣ୍ଡିଜ୍ ଏଥର ଟ୍ରଫି ବଜାୟ ରଖିବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ଅନ୍ୟତମ ଦାବିଦାର ଭାରତ ଦ୍ବିତୀୟ ଥର ପାଇଁ ବିଜେତା ହେବା ଲାଗି ଚେଷ୍ଟା କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/t20-worldcup.jpg)