ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଅଭ୍ୟାସ ମ୍ୟାଚ୍‌ ସୂଚୀ ଘୋଷିତ: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍‌ ସହ ‌ଖେଳିବ ଭାରତ

ଦୁବାଇ: ଆସନ୍ତା ଅକ୍ଟୋବର ୧୬ ତାରିଖରୁ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଯାଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ଅଂଶଗ୍ରହଣ କରୁଥିବା ସମସ୍ତ ୧୬ ଦଳ ପାଇଁ ୱାର୍ମ ଅପ୍‌ (ଅଭ୍ୟାସ) ମ୍ୟାଚ୍‌ ସୂଚୀ ଗୁରୁବାର ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ‌ଘୋଷଣା କରିଛି। ଆଇସିସି ଦ୍ବାରା ଘୋଷିତ ସୂଚୀ ଅନୁଯାୟୀ ଭାରତ ଗତଥରର ବିଜେତା ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ୍‌ ସହ ଅଭ୍ୟାସ ମ୍ୟାଚ୍‌ ଖେଳିବ। ଏହି ଦୁଇଟି ମ୍ୟାଚ୍‌ ଅକ୍ଟୋବର ୧୭ ଓ ୧୯ ତାରିଖରେ ବ୍ରିସ୍‌ବର୍ଣ୍ଣର ଗାବା ଷ୍ଟାଡିୟମ୍‌ରେ ଖେଳାଯିବ। ପ୍ରଥମ ରାଉଣ୍ଡ୍‌ ଦଳମାନଙ୍କ ଅଭ୍ୟାସ ମ୍ୟାଚ୍‌ ଅକ୍ଟୋବର ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ମେଲ୍‌ବର୍ଣ୍ଣ କ୍ରିକେଟ୍‌ ପଡ଼ିଆରେ ଖେଳାଯିବାକୁ ଥିଲା ବେଳେ ସୁପର-୧୨ ପର୍ଯ୍ୟାୟ ଦଳମାନଙ୍କ ପାଇଁ ଉଭୟ ଗାବା ଏବଂ ଅଲାନ ବର୍ଡର ପଡ଼ିଆରେ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ମ୍ୟାଚ୍‌ ଖେଳାଯିବ। ତେବେ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଅକ୍ଟୋବର ୧୦ ତାରିଖରେ ଦୁଇ ଥର ବିଜେତା ୱେଷ୍ଟ୍‌ଇଣ୍ଡିଜ୍‌ (୨୦୧୨ ଓ ୨୦୧୬) ସହିତ ୟୁଏଇ ମଧ୍ୟରେ ଖେଳାଯିବ।

ପ୍ରତ୍ୟେକ ଦଳ ୨ଟି ଲେଖାଏଁ ଅଭ୍ୟାସ ମ୍ୟାଚ୍‌ ଖେଳିବେ। ଅନ୍ୟପକ୍ଷରେ ଅକ୍ଟୋବର ୧୮ରେ ଗାବା ପଡ଼ିଆରେ ୨୦୦୯ ଓ ୨୦୧୦ ବିଜେତା ପାକିସ୍ତାନ ଓ ଇଂଲଣ୍ଡ ମୁହାଁମୁହିଁ ହେବେ। ସେହିପରି ୨୦୧୪ ବିଜେତା ଶ୍ରୀଲଙ୍କା ତା’ର ଦୁଇଟିଯାକ ଅଭ୍ୟାସ ମ୍ୟାଚ୍‌ ଅକ୍ଟୋବର ୧୦ ଓ ୧୩ ତାରିଖରେ ମେଲ୍‌ବର୍ଣ୍ଣ କ୍ରିକେଟ୍‌ ପଡ଼ିଆରେ ଜିମ୍ବାୱେ ଓ ଆୟର୍ଲାଣ୍ଡ୍‌ ସହ ଖେଳିବ। ତେବେ ୧୦ ଦିନ ମଧ୍ୟରେ ଖେଳାଯିବାକୁ ଥିବା ଅଭ୍ୟାସ ମ୍ୟାଚ୍‌ଗୁଡ଼ିକ ଦେଖିବା ପାଇଁ ଦର୍ଶକଙ୍କୁ ଅନୁମତି ମିଳିବନି ବୋଲି ଆଇସିସି ସ୍ପଷ୍ଟ କରିଛି।

ଅଭ୍ୟାସ ମ୍ୟାଚ୍‌ ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ସୂଚୀ ପ୍ରସ୍ତୁତ ହୋଇଥିଲା ବେଳେ ୧୬ ତାରିଖରୁ ହିଁ ମୁଖ୍ୟ ପ୍ରତିଯୋଗିତା ଆରମ୍ଭ ହେବ। ଏହି ଦିନ ଗ୍ରିଲଙ୍ଗ୍‌ର କାର୍ଦିନିଆ ପାର୍କ ଷ୍ଟାଡିୟମ୍‌ରେ ଶ୍ରୀଲଙ୍କା ଓ ନାମିବ୍ୟା ମୁକାବିଲାରୁ ବିଶ୍ବକପ୍‌ର ମୁଖ୍ୟ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହେବ।

ସମ୍ବନ୍ଧିତ ଖବର