ଭୁବନେଶ୍ୱର: ଭୁବନେଶ୍ୱରରେ ଚଳିତ ମାସ ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୨୮ତମ ଏସିଆନ୍ ଟେବୁଲ ଟେନିସର ଦଳଗତ ପ୍ରତିଯୋଗିତା। ଏହି ୫ଦିନିଆ ପ୍ରତିଯୋଗିତାରେ ୨୨ଟି ଦେଶରୁ ପ୍ରାୟ ୫୦୦ ପାଖାପାଖି ଖେଳାଳି ଏବଂ ମ୍ୟାଚ୍ ଅଧିକାରୀ ଭାଗ ନେବାର ସମ୍ଭାବନା ରହିଛି। ଭାରତରେ ୧୬ ବର୍ଷ ପରେ ଏହି ପ୍ରତିଯୋଗିତା ଆୟୋଜନ ହେଉଥିବା ବେଳେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଆନ୍ତଃମହାଦେଶୀୟ ଦୁଇ ବାର୍ଷିକୀ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଚୀନ, ଜାପାନ, ଦକ୍ଷିଣ କୋରିଆ ଆଦି ବିଶ୍ୱର ଶ୍ରେଷ୍ଠ ଦଳ ଏବଂ ତାରକା ଟିଟି ଖେଳାଳିମାନେ ନିଜ ନିଜର ପରାକ୍ରମ ଦେଖାଇବେ। ଏହି ପ୍ରତିଯୋଗିତାର ପ୍ରଚାର ଏବଂ ଓଡ଼ିଶାରେ ଟେବୁଲ ଟେନିସର ପ୍ରସାର ବୃଦ୍ଧି କରିବା ନିମନ୍ତେ ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ସଂଘ ଏବଂ ଓଡ଼ିଶା ସରକାରଙ୍କ ତରଫରୁ ଏକାଧିକ ପଦକ୍ଷେପ ନିଆଯାଇଛି ।
ଏହି କ୍ରମରେ ରବିବାର ପୁରୀର ଲାଇଟ୍ ହାଉସଠାରେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ଉଦମ୍ୟରେ ଟେବୁଲ ଟେନିସକୁ ନେଇ ଏକ ବାଲୁକା କଳାକୃତିର ପ୍ରଦର୍ଶନ ହୋଇଥିଲା। ୧୮ ଫୁଟ ଲମ୍ବା ଏବଂ ୭ ଫୁଟ ଉଚ୍ଚ ଏହି କଳାକୃତି ପ୍ରସ୍ତୁତ କରିବା ପାଇଁ ଘଣ୍ଟାଧିକ ସମୟ ଲାଗିଥିଲା। ଏଥିରେ ଏସିଆର ଶ୍ରେଷ୍ଠ ଟିଟି ଖେଳାଳ ଭୁବନେଶ୍ବର ଆସୁଛନ୍ତି ଏବଂ ଏହି କଳାକୃତି ସହିତ ଓଲି ମାସ୍କଟ୍ ଠିଆ ହୋଇ ଏହି ପ୍ରତିଯୋଗିତା ପାଇଁ ଭୁବନେଶ୍ୱର ପ୍ରସ୍ତୁତ ବୋଲି ବାର୍ତ୍ତା ଦେଇଥିଲା। ଏହି କଳାକୃତି ଦେଖିବା ଏବଂ ଏହା ସହ ଫଟୋ ଉଠାଇବା ପାଇଁ ଅନେକ ଲୋକ ଆଗ୍ରହ ଦେଖାଇଥିଲେ।