ଆଇପିଏଲ୍‌ରେ ଲାଗୁ ହେବ ଟାକ୍‌ଟିକାଲ୍‌ ସବ୍‌ଷ୍ଟିଚ୍ୟୁଟ୍‌ ନିୟମ

ସୟଦ ମୁସ୍ତାକ ଅଲୀ ଟ୍ରଫିରେ ପରୀକ୍ଷାମୂଳକ ଭାବେ ଲାଗୁ ହୋଇଥିଲା

ନୂଆଦିଲ୍ଲୀ : ଆଇପିଏଲ୍‌ର ଆସନ୍ତା ସଂସ୍କରଣରୁ ପ୍ରତ୍ୟେକ ଦଳରେ ଟାକ୍‌ଟିକାଲ୍‌ ସବ୍‌ଷ୍ଟିଚ୍ୟୁଟ୍‌ ନିୟମ ଲାଗୁ କରାଯିବ। ଆଇପିଏଲ୍‌ ପକ୍ଷରୁ ଏନେଇ ଶୁକ୍ରବାର ଘୋଷଣା କରାଯାଇଥିଲା ବେଳେ ପୂର୍ବରୁ ବିସିସିଆଇ ପକ୍ଷରୁ ଏହି ନିୟମକୁ କେବଳ ଚଳିତ ଋତୁର ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଲାଗୁ କରାଯାଇଥିଲା। ଏହି ନୂଆ ନିୟମରେ ଆଇପିଏଲ୍‌ ରୋମାଞ୍ଚ ଆହୁରି ବଢିଯିବ। କାରଣ ଜଣେ ବଦଳ ଖେଳାଳି (ଇମ୍ପାକ୍ଟ ପ୍ଲେୟାର) ମ୍ୟାଚ୍‌ରେ ବଡ଼ ପ୍ରଭାବ ପକାଇପାରିବେ। ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଏହି ଧରଣର ନିୟମ (ସୁପରସବ୍‌)ରେ ପୂର୍ବରୁ ଖେଳାଯାଇଛି। ଆଇପିଏଲ୍‌ରେ ନୂଆ ଢଙ୍ଗରେ ଏହି ନିୟମ ଲାଗୁ ହେବାକୁ ଯାଉଛି। ତଥାପି ନିୟମ ବିଷୟରେ ଅଧିକ କିଛି ସୂଚନା ଏପର୍ଯ୍ୟନ୍ତ ଆୟୋଜକଙ୍କ ପକ୍ଷରୁ ଜାରି କରାଯାଇନାହିଁ।

ତେବେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଲାଗୁ ହୋଇଥିବା ଏହି ନିୟମ ଅନୁଯାୟୀ, ଉଭୟ ଦଳକୁ ଟସ୍‌ ପୂର୍ବରୁ ୪ ଜଣ ସବ୍‌ଷ୍ଟିଚ୍ୟୁଟ୍‌ ଖେଳାଳିଙ୍କ ନାମ ଦେବାକୁ ପଡ଼ିବ। ଏମାନଙ୍କ ମଧ୍ୟରୁ ମାତ୍ର ଜଣେ ଇମ୍ପାକ୍ଟ ପ୍ଲେୟାର ହୋଇ କୌଣସି ପାଳିର ୧୪ ଓଭର ଶେଷ ହେବା ପୂର୍ବରୁ ଚୂଡ଼ାନ୍ତ ଏକାଦଶରେ ‌‌ଖେଳାଳି ବଦଳ କରି ଖେଳିପାରିବେ। ଏପରିକି ତାଙ୍କୁ ବ୍ୟାଟିଂ ଓ ବୋଲିଂ କରିବାକୁ ମଧ୍ୟ ସୁଯୋଗ ମିଳିବ। ପୂର୍ବରୁ ୨୦୦୫ ଓ ୨୦୦୬ ଆନ୍ତର୍ଜାତିକ ଦିନିକିଆମାନଙ୍କରେ ସୁପରସବ୍‌ ପ୍ରଚଳନ କରାଯାଇଥିଲା। ଉକ୍ତ ନିୟମରେ ଜଣେ ସବ୍‌ଷ୍ଟିଚ୍ୟୁଟ୍‌ ଖେଳାଳିଙ୍କୁ ଯେକୌଣସି ମୁହୂର୍ତ୍ତରେ ବଦଳ କରାଯାଇପାରିବ। ହେଲେ ତାଙ୍କ ବଦଳ ଖେଳାଳି ବ୍ୟାଟିଂ କରିସାରିଥିଲେ, ସେ ଆଉ ବ୍ୟାଟିଂ ସୁଯୋଗ ପାଉନଥିଲେ ଏବଂ ବଦଳ ବୋଲରଙ୍କ ପୂର୍ଣ୍ଣ କୋଟାର ବଳକା ଓଭର ବୋଲିଂ କରିବାକୁ ସୁଯୋଗ ରହୁଥିଲା। ଅଷ୍ଟ୍ରେଲିଆର ବିଗ୍‌ବାସ୍‌ ଲିଗ୍‌ (ବିବିଏଲ୍‌)ରେ ମଧ୍ୟ ସବ୍‌ଷ୍ଟିଚ୍ୟୁଟ୍‌ ଖେଳାଳି ନିୟମ ଲାଗୁ କରାଯାଇଥିଲା ବେଳେ ୧୦ ଓଭର ଭିତରେ ଏହି ପରିବର୍ତ୍ତନ କରାଯାଉଥିଲା।

ସମ୍ବନ୍ଧିତ ଖବର