ଅଲ୍ ଆମେରାଟ : ଏଠାରେ ଚାଲିଥିବା ଲିଜେଣ୍ଡ୍ସ କ୍ରିକେଟ୍ ଲିଗ୍ର ରବିବାର ମ୍ୟାଚ୍ରେ ୱାଲ୍ଡ ଜିଆଣ୍ଟ୍ସ ୩ ୱିକେଟ୍ର ଇଣ୍ଡିଆ ମହାରାଜାସ୍କୁ ପରାସ୍ତ କରିଛି। ୨୧୦ ରନ୍କୁ ପିଛା କରୁଥିବା ୱାଲ୍ଡ ଜିଆଣ୍ଟ୍ସକୁ ଶେଷ ୬.୨ ଓଭରରେ ବିଜୟ ଲାଗି ୭୦ ରନ୍ ଆବଶ୍ୟକ ଥିଲା ବେଳେ ହାତରେ ମାତ୍ର ୪ ୱିକେଟ୍ ରହିଥିଲା। ହେଲେ ଦକ୍ଷିଣ ଆଫ୍ରିକୀୟ ସ୍ପିନର ଇମ୍ରାନ ତାହିର (୫୨*, ୧୯ ବଲ୍, ୩ ଚୌକା, ୫ ଛକା)ଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ୱାଲ୍ଡ ଜିଆଣ୍ଟ୍ସ ୩ ବଲ୍ ପୂର୍ବରୁ ମ୍ୟାଚ୍ ଜିତି ନେଇଥିଲା। ୱାଲ୍ଡ ପକ୍ଷରୁ କେଭିନ ପିଟରସନ୍ ୫୩ ଓ ଡାରେନ ସାମି ୨୮ ରନ୍ର ଉପଯୋଗୀ ପାଳି ଖେଳିଥିଲେ। ଇଣ୍ଡିଆ ମହାରାଜାସ୍ ପକ୍ଷରୁ ମୁନାଫ ପଟେଲ ଓ ଷ୍ଟୁଆର୍ଟ ବିନ୍ନି ୨ ଲେଖାଏଁ ୱିକେଟ୍ ନେଇଥିଲେ।
ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଆ ମହାରାଜାସ୍ ନମନ ଓଝା ଓ ମହମ୍ମଦ କୈଫ୍ଙ୍କ ତୃତୀୟ ୱିକେଟ୍ରେ ୨୦୨ ରନ୍ର ଭାଗୀଦାରି ବଳରେ ୩ ୱିକେଟ୍ ହରାଇ ୨୦୯ ରନ୍ କରିଥିଲା। ନମନ ଓଝା (୧୪୦, ୬୯ ବଲ୍, ୧୫ ଚୌକା, ୯ ଛକା)ଙ୍କ ଶତକ ଅର୍ଜନ କରି ଆଉଟ୍ ହୋଇଥିଲା ବେଳେ କୈଫ୍ (୫୩, ୪୭ ବଲ୍, ୧ ଚୌକା, ୩ ଛକା)ଙ୍କ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଦୁଇ ଜଣଙ୍କ ବାଦ୍ ଅନ୍ୟ କୌଣସ ଭାରତୀୟ ବ୍ୟାଟର୍ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ୱାସିମ ଜାଫର ଓ ବଦ୍ରିନାଥ ଶୂନ୍ରେ ଆଉଟ୍ ହୋଇଥିଲା ବେଳେ ୟୁସୁଫ ପଠାନ ୬ ରନ୍ରେ ଅପରାଜିତ ଥିଲେ।