ଶୃଙ୍ଖଳା ବିଜୟ ଓ ବିଶ୍ବ ଫାଇନାଲ୍‌ ଉପରେ ନଜର, କ୍ଷେତ୍ରରକ୍ଷଣ କଳାକୁ ଶାଣିତ କରୁଛି କୋହଲି ବାହିନୀ

ଅହମଦାବାଦ: ଗୁରୁବାରଠାରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ତଥା‌ ଶେଷ ଟେଷ୍ଟ୍‌ରେ ଭାରତ ଯୁଗଳ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଚାରି ଟିକିଆ ଶୃଙ୍ଖଳାରେ ୨-୧ରେ ଆଗୁଆ ଥିବା ଭାରତ ଏହି ମ୍ୟାଚ୍‌କୁ ଅମୀମାଂସିତ ରଖିପାରିଲେ ଶୃଙ୍ଖଳା ବିଜୟୀ ହେବା ସହ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ଖେଳିବ। ହେଲେ ବିଜୟର ମିଠା ସ୍ବାଦ ଚାଖିଲେ ଶୃଙ୍ଖଳାକୁ ଆଧିପତ୍ୟଭରା ବ୍ୟବଧାନ ଅର୍ଥାତ୍ ୩-୧ରେ ଜିତିବାର ଗୌରବ ଅର୍ଜନ କରିବ। ଦିବା-ରାତ୍ର ଭିତ୍ତିରେ ଖେଳାଯାଇଥିବା ତୃତୀୟ ଟେଷ୍ଟ୍‌କୁ ଭାରତ ୧୦ ୱିକେଟ୍‌ରେ ଜିତିବା ପରେ ଚତୁର୍ଥକୁ ମଧ୍ୟ ସଫଳତାର ସହ ଶେଷ କରିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଗୋଲାପି ବଲ୍‌ରେ ଖେଳିବା ପରେ ପୁଣି ଥରେ ଲାଲ୍ ବଲ୍ ଆହ୍ବାନର ସମ୍ମୁଖୀନ ହେବା କିନ୍ତୁ କୋହଲି ବାହିନୀ ପାଇଁ ସେତେଟା ସହଜ ହେବନି। ସେଥିପାଇଁ ଚତୁର୍ଥ ଟେଷ୍ଟ୍‌କୁ ଜିତି ୨-୨ର ସ୍କୋର ଲାଇନ୍ ସହ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଯିବାକୁ ଇଂଲଣ୍ଡ ଲକ୍ଷ୍ୟ ରଖିଛି ବୋଲି ସ୍ପିନର ଜ୍ୟାକ୍ ଲିଚ୍ କହିଛନ୍ତି।

ନେଟ୍ସରେ ଅଭ୍ୟାସ କରିବାର ଦିନକ ପରେ ଭାରତୀୟ କ୍ରିକେଟ୍ ଦଳ ମଙ୍ଗଳବାର ତା’ କ୍ଷେତ୍ରରକ୍ଷଣ କଳାକୁ ଆହୁରି ଶାଣିତ କରିବାକୁ ଚେଷ୍ଟା କରିଥିଲା। ଆଜି ଯୁବ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ ସ୍ଥାନୀୟ ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମ୍‌ରେ ଡାଇଭିଂ ଅଭ୍ୟାସ କରିଥିଲେ। ସେହିଭଳି ୱାସିଂଟନ ସୁନ୍ଦର ଥ୍ରୋଇଂ ଅଭ୍ୟାସ କରୁଥିଲେ। ସ୍ପିନର କୁଲଦୀପ ଯାଦବ ଓ ଦ୍ରୁତ ବୋଲର ଉମେଶ ଯାଦବ ‌ଫିଲ୍ଡ ଡ୍ରିଲ୍ କରୁଥବା ଦେଖିବାକୁ ମିଳିଥିଲେ। ଭାରତୀୟ ଦଳର କ୍ଷେତ୍ରରକ୍ଷଣ ଅଭ୍ୟାସର ଭିଡିଓ ବିସିସିଆଇ ମଧ୍ୟ ଟ୍ବିଟ୍ କରିଥିଲେ। ଏହି ଭିଡିଓରେ ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ନେଟ୍ସରେ ବ୍ୟାଟିଂ କରୁଥିଲା ବେଳେ ହିଟ୍ ମ୍ୟାନ୍ ରୋହିତ ଶର୍ମା ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସହ ଆଲୋଚନା ପର୍ଯ୍ୟାଲୋଚନା କରୁଥିବାର ଦୃଶ୍ୟ ରହିଛି। ଚଳିତ ଶୃଙ୍ଖଳାରେ ରୋହିତ, ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍ ଅଶ୍ବିନ ଚମତ୍କାର ପ୍ରଦର୍ଶନ କରିଥିଲା ବେଳେ ଚତୁର୍ଥ ଟେଷ୍ଟ୍‌ରେ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ୍‌ରୁ ଏକ ବଡ଼ ସ୍କୋର ଆଶାରେ ରହିଛନ୍ତି ପ୍ରଶଂସକ। ଶେଷଥର ପାଇଁ କୋହଲି ୨୦୧୯ ମସିହାରେ ଇଡେନ୍ ଗାର୍ଡେନ୍ସଠାରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଦିବା-ରାତ୍ର ଟେଷ୍ଟ୍‌ରେ ଶତକ ଅର୍ଜନ କରିଥିଲେ। ‌‌ମୋଟେରାର ଟର୍ନିଂ ପିଚ୍‌କୁ ନେଇ ଚାଲିଥିବା ତର୍କ ବିତର୍କ ଭିତରେ ଚତୁର୍ଥ ଟେଷ୍ଟ୍ ପିଚ୍ ମଧ୍ୟ ଦ୍ବିତୀୟ ଓ ତୃତୀୟ ଟେଷ୍ଟ୍‌ରେ ବ୍ୟବହୃତ ହୋଇଥିବା ପିଚ୍ ସଦୃଶ ବୋଲି କହି ଭାରତୀୟ ଉପଅଧିନାୟକ ଅଜିଙ୍କ୍ୟ ରାହା‌ଣେ ମ୍ୟାଚ୍ ଆରମ୍ଭ ହେବାର ଦିନକ ପୂର୍ବରୁ ଇଂଲଣ୍ଡକୁ ବ୍ରହ୍ମାସ୍ତ୍ର ଛାଡ଼ିଛନ୍ତି।

ସମ୍ବନ୍ଧିତ ଖବର