ମୁମ୍ବାଇ: ଚଳିତ ମହିଳା ପ୍ରିମିୟର୍ ଲିଗ୍ରେ ସୋମବାର ମୁମ୍ବାଇ ଇଣ୍ଡିଆନ୍ସଠାରୁ ପ୍ରତିଶୋଧ ନେବା ସହ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲ୍ ଶୀର୍ଷକୁ ଲମ୍ଫ ମାରିଛି। କ୍ରମାଗତ ୫ ବିଜୟ ସହ ଶୀର୍ଷ ସ୍ଥାନ ଦଖଲ କରିଥିବା ହର୍ମନପ୍ରୀତ୍ କୌରଙ୍କ ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ପରାଜୟ ସହ ଦ୍ବିତୀୟ ସ୍ଥାନକୁ ଖସିଯାଇଛି। କିନ୍ତୁ ସୋମବାରର ଦୁଇ ମ୍ୟାଚ୍ ପରେ ମୁମ୍ବାଇ, ଦିଲ୍ଲୀ, ୟୁପି ପ୍ଲେ ଅଫ୍ ସ୍ଥାନ ପକ୍କା କରି ନେଇଛନ୍ତି। ଆର୍ସିବି ଓ ଗୁଜରାଟ ଜାଏଣ୍ଟସର ସୁଯୋଗ ଖତମ ହୋଇଯାଇଛି।
ସୋମବାର ଦ୍ରୁତ ବୋଲରଙ୍କୁ ଖେଳିନପାରି ମୁମ୍ବାଇ ଇଣ୍ଡିଆନ୍ସ ୧୦୯/୮ରେ ସୀମିତ ରହିଥିଲା। ପୂଜା ବସ୍ତ୍ରକାର (୨୬), ହର୍ମନପ୍ରୀତ୍ କୌର୍ (୨୩), ଇସି ୱଙ୍ଗ୍ (୨୩), ଅମନଜୋତ୍ କୌର୍ (୧୯) କେବଳ ଦୁଇ ଅଙ୍କ ଛୁଇଁ ପାରିଥିଲେ। ମାରିଜାନ୍ କାପ୍, ଶିଖା ପାଣ୍ଡେ, ଜେସ୍ ୟୋନାସେନ୍ ପ୍ରତ୍ୟେକ ୨ ୱିକେଟ୍ ନେଇଥିଲେ। ଜବାବରେ ଦିଲ୍ଲୀ କେବଳ ଶେଫାଳି ବର୍ମା (୧୫ ବଲ୍ରୁ ୩୩)ଙ୍କ ୱିକେଟ୍ ହରାଇ ୯ ଓଭରରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଅଧିନାୟିକା ମେଗ୍ ଲାନିଙ୍ଗ (୨୨ ବଲରୁ ୩୨* ରନ୍) ଏବଂ ଆଲିସ୍ କାପସେ (୧୭ ବଲ୍ରୁ ୩୮* ରନ୍) ଦଳର ରନ୍ ହାର ବଢ଼ାଇବା ସହ ବୃହତ ବିଜୟ ଦେଇଥିଲେ। ସୂଚନାଯୋଗ୍ୟ, ଲିଗ୍ ପର୍ଯ୍ୟାୟର ପୂର୍ବ ମୁକାବିଲାରେ ଦିଲ୍ଲୀକୁ ମୁମ୍ବାଇ ୮ ୱିକେଟ୍ରେ ପରାସ୍ତ କରିଥିଲା। ଏବେ ଦିଲ୍ଲୀ ୯ ୱିକେଟ୍ରେ ଜିତି ମଧୁର ପ୍ରତିଶୋଧ ନେଇଛି। ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର୍ କାପ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୦୯/୮ (ପୂଜା ବସ୍ତ୍ରକାର-୨୬, ହର୍ମନପ୍ରୀତ୍ କୌର୍-୨୩, ଇସି ୱଙ୍ଗ-୨୩, ମାରିଜାନ୍ କାପ୍-୨/୧୩, ଶିଖା ପାଣ୍ଡେ-୨/୨୧, ଜେସ୍ ୟୋନାସେନ୍-୨/୨୫, ଅରୁନ୍ଧତୀ ରେଡ୍ଡୀ-୧/୧୦)। ଦିଲ୍ଲୀ କ୍ୟାପିଟାଲ୍ସ ୯ ଓଭରରେ ୧୧୦/୧ (ଶେଫାଳି ବର୍ମା-୩୩, ଆଲିସ୍ କାପସେ-୩୮*, ମେଗ୍ ଲାନିଙ୍ଗ-୩୨*, ହେଲେ ମାଥ୍ୟୁସ-୧/୨୭)।
ଗୁଜରାଟକୁ ହରାଇ ପ୍ଲେ-ଅଫ୍ରେ ୟୁପି
ମୁମ୍ବାଇ: ଗୁଜରାଟ ଜାଏଣ୍ଟସ୍କୁ ୩ ୱିକେଟ୍ରେ ହରାଇ ୟୁପି ୱାରିଅର୍ସ ତୃତୀୟ ଦଳ ଭାବେ ପ୍ଲେ-ଅଫ୍ରେ ପ୍ରବେଶ କରିଛି। ଏହାଫଳରେ ଗୁଜରାଟ ସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ସ୍ବତଃ ଏହି ଦୌଡ଼ରୁ ବାଦ୍ ପଡ଼ିଛନ୍ତି। ଏବେ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ୟୁପି ୱାରିଅର୍ସ ମଧ୍ୟରେ ଶୀର୍ଷ ସ୍ଥାନକୁ ନେଇ ପ୍ରତିଦ୍ବନ୍ଦ୍ବିତା ହେବ। ଶୀର୍ଷ ଦଳ ସିଧାସଳଖ ଫାଇନାଲ୍କୁ ଯିବ ଏବଂ ଦ୍ବିତୀୟ ଓ ତୃତୀୟ ସ୍ଥାନର ଦଳ ପ୍ଲେ-ଅଫ୍ ମ୍ୟାଚ୍ ଖେଳିବେ।
ସୋମବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଗୁଜରାଟ ୬ ୱିକେଟ୍ ବିନିମୟରେ ୧୭୮ ରନ୍ କରିଥିଲା।
ପାୱାରପ୍ଲେ ମଧ୍ୟରେ ୩ ୱିକେଟ୍ (ଲୌରା ଉଲ୍ଭାର୍ଡଟ୍ ୧୭, ସୋଫିଆ ଡଙ୍କଲି ୨୩, ହର୍ଲିନ ଦେଓଲ ୪)ର ପତନ ଘଟିବା ପରେ ଡି. ହେମଲତା (୫୭) ଓ ଆସଲେ ଗାର୍ଡନର (୬୦) ଚତୁର୍ଥ ୱିକେଟ୍ରେ ୯୩ ରନ୍ ଭାଗୀଦାରି କରିଥିଲେ। ଉଭୟ ଦ୍ରୁତ ଭାବେ ରନ୍ ସଂଗ୍ରହ କରି ଗୁଜରାଟକୁ ଏକ ସୁବିଧାଜନକ ସ୍ଥାନରେ ପହଞ୍ଚାଇଥିଲେ। ବିଜୟ ଲକ୍ଷକୁ ପିଛା କରି ୟୁପି କିନ୍ତୁ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ତାହିଲା ମ୍ୟାକଗ୍ରା (୫୭), ଦୀପ୍ତି ଶର୍ମା (୬)ଙ୍କ ସହ ଛୋଟ ଛୋଟ ଭାଗୀଦାରି କରି ଗ୍ରେସ୍ ହାରିସ୍ (୭୨) ଦଳକୁ ବିଜୟ ନିକଟତର କରାଇଥିଲେ। ଗୋଟିଏ ବଲ୍ ପୂର୍ବରୁ ସୋଫି ଏସ୍ଲେଷ୍ଟୋନ୍ (୧୯) ଚୌକା ମାରି ଦଳକୁ ପ୍ଲେ-ଅଫ୍ରେ ପହଞ୍ଚାଇଥିଲେ। ହାରିସ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର: ଗୁଜରାଟ ଜାଏଣ୍ଟସ୍ ୨୦ ଓଭରରେ ୧୭୮/୬ (ଆସଲେ ଗାର୍ଡନର ୬୦, ଡି. ହେମଲତା ୫୭, ସୋଫିଆ ଡଙ୍କଲି ୨୩, ପାର୍ସଭି ଚୋପ୍ରା ୨/୨୯, ରାଜେଶ୍ବରୀ ଗାଏକ୍ବାଡ ୨/୩୯)। ୟୁପି ୱାରିଅର୍ସ ୧୯.୫ ଓଭରରେ ୧୮୧/୭ (ଗ୍ରେସ୍ ହାରିସ୍ ୭୨, ତାହିଲା ମ୍ୟାକଗ୍ରା ୫୭, କିମ୍ ଗାର୍ଥ ୨/୨୯, ମୋନିକା ପଟେଲ୍ ୧/୨୭)।