ବରିଷ୍ଠଙ୍କ ସହାୟତା ନେଉଛି: ପନ୍ତ୍‌

ମୁମ୍ବାଇ : ଦିଲ୍ଲୀ କ୍ୟାପିଟାଲ୍‌ସ ଦଳରେ ଯଥେଷ୍ଟ ଅଭିଜ୍ଞ ଓ ବରିଷ୍ଠ ଖେଳାଳି ରହିଥିବା ଯୁବ ଅଧିନାୟକ ଋଷଭ ପନ୍ତ୍‌ଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ଶିଖର ଧାୱନ୍‌, ଆଜିଙ୍କ୍ୟ ରାହାଣେ ଓ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ଙ୍କ ଭଳି ଦକ୍ଷ ଖେଳାଳିଙ୍କ ଉପସ୍ଥିତି ମୋତେ ଆଶ୍ବସ୍ତ କରିଛି। ମୁଁ ମଧ୍ୟ ଦଳର ରଣନୀତି ନିଷ୍ପତ୍ତି କ୍ଷେତ୍ରରେ ସେଭଳି ବରିଷ୍ଠଙ୍କ ସହାୟତା ନେଉଛି ବୋଲି କହିଛନ୍ତି ପନ୍ତ୍। ଆଇପିଏଲ୍‌ ଇତିହାସରେ ଅନ୍ୟତମ ସର୍ବକନିଷ୍ଠ ଅଧିନାୟକ ପନ୍ତ୍‌ ଆହତ ଶ୍ରେୟସ ଆୟରଙ୍କଠୁ ନେତୃତ୍ବ ଭାର ଗ୍ରହଣ କରିଛନ୍ତି। ମୁଁ ଏହି ଦଳର ୱିକେଟ୍‌ରକ୍ଷକ ଥିଲାବେଳେ କ୍ଷେତ୍ରରକ୍ଷଣ ସଜା ଯେଭଳି ହେଉଥିଲା ସେଥିରେ ବିଶେଷ ପରିବର୍ତନ ହେବନାହିଁ। ‘‘ତଥାପି କିଭଳି କ୍ଷେତ୍ରରକ୍ଷଣ ସଜଡାଯିବ ଏବଂ ଦଳୀୟ ରଣନୀତି ନିଷ୍ପତ୍ତି ନିଆଯିବ ସେନେଇ ମୁଁ ଧାୱନ୍‌, ଅଶ୍ବିନ୍‌ ଓ ରାହାଣେଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ସହ ଆଲୋଚନା କରିଛି।’’ ବୋଲି ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ପନ୍ତ୍। ମୁଁ ମଧ୍ୟ ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ, ବୋଲିଂ ପ୍ରଶିକ୍ଷକ ଜେମ୍‌ସ ହୋପ୍‌ସଙ୍କ ସହ କଥାବାର୍ତା କରିଛି। ଆମ ଦଳରେ ଉଭୟ ବରିଷ୍ଠ ଓ କନିଷ୍ଠଙ୍କ ଉତ୍ତମ ମିଶ୍ରଣ ରହିଛି। ତେଣୁ ପଣ୍ଟିଂଙ୍କ ସହାୟତାରେ ଆମେ ଚଳିତ ବର୍ଷ କିଛି ଭିନ୍ନ କରିପାରିବୁ ବୋଲି କହିଛନ୍ତି ପନ୍ତ୍‌। ଧୋନିଙ୍କ ଭଳି ସେ ମଧ୍ୟ ଷ୍ଟମ୍ପ୍‌ ପଛରେ ରହି ଦଳର ନେତୃତ୍ବ ନେବାରେ ବିଶେଷ କିଛି ଅସୁବିଧା ହେବନାହିଁ ବୋଲି କହିଛନ୍ତି। ୱିକେଟ୍‌ରକ୍ଷକ ଭାବେ କ୍ଷେତ୍ରରକ୍ଷଣ ସଜାଡ଼ିବାରେ ସହାୟତା କରୁଥିଲି, ଏବେ ଅଧିନାୟକ ଭାବେ ସିଧାସଳଖ ସଜାଡ଼ିପାରିବି ବୋଲି କହିଛନ୍ତି। ତେଣୁ ଏନେଇ ବିଶେଷକିଛି ଫରକ ପଡ଼ିବନି।

ଅଧିନାୟକ ଭାବେ ଶନିବାର ଆଇପିଏଲ୍‌ରେ ଯେ ମୋର ପ୍ରଥମ ମ୍ୟାଚ୍‌ ସେନେଇ ଆଦୌ ଭାବିନି। ମୁଁ କେବଳ ସବୁକିଛିକୁ ସରଳ ଭାବେ ନେଉଛି ଏବଂ ମୋର ଶତପ୍ରତିଶତ ଦେବା କଥା ଚିନ୍ତା କରିଛି। ଅନ୍ୟପକ୍ଷରେ ‘‘ଦଳଗତ ଭାବେ ଆମେ ଉନ୍ନତ ଖେଳିବାର ଏବଂ କିଛି ଭଲ ଫଳାଫଳ ପାଇବାର ଆଶା ରଖିବୁ। ତେଣୁ ଆମ ପାଇଁ ଚେନ୍ନାଇ ସୁପର କିଙ୍ଗ୍‌ସ କେବଳ ଏକ ମ୍ୟାଚ୍‌ ହେବ। ତଥାପି ପ୍ରଥମ ମ୍ୟାଚ୍‌ ଜିତି ଆଗକୁ ବଢ଼ିବାର ଆଶା ଛାଡ଼ିବୁନି। କିନ୍ତୁ ଆମେ ଜାଣିଛୁ ଶନିବାର ମ୍ୟାଚ୍‌ ଜିତିବାକୁ ହେଲେ ଆମ ସମସ୍ତଙ୍କୁ ଭଲ ଖେଳିବାକୁ ପଡ଼ିବ’’ ବୋଲି ପଣ୍ଟିଂ କହିଛନ୍ତି। ସୁରେଶ ରାଇନାଙ୍କ ଅନୁପସ୍ଥିତି ଗତ ସଂସ୍କରଣରେ ସିଏସ୍‌କେ ସୁଯୋଗକୁ କ୍ଷତି ପହଞ୍ଚାଇଥିଲା। ସିଏସ୍‌କେ ଆଇପିଏଲ୍‌ ଇତିହାସରେ ଅନ୍ୟତମ ସଫଳତମ ଦଳ। ତାଙ୍କ ପାଖରେ ଧୋନିଙ୍କ ଭଳି ମହାନ୍‌ ଅଧିନାୟକ ଓ ଖେଳାଳି ରହିଛନ୍ତି। ସେମାନେ ସବୁବେଳେ ସ୍ଥିର କ୍ରିକେଟ୍‌ ଖେଳିବାର ପ୍ରୟାସ କରିଥାଆନ୍ତି ବୋଲି ପଣ୍ଟିଂ କହିଛନ୍ତି। ତଥାପି ଚଳିତ ସଂସ୍କରଣରେ ପ୍ରଥମ ମ୍ୟାଚ୍‌ ପୂର୍ବରୁ ୧୦-୧୧ ଦିନର ପ୍ରଶିକ୍ଷଣ ଆମ ପାଇଁ ଯଥେଷ୍ଟ ପ୍ରସ୍ତୁତି ରହିବ। ନିଶ୍ଚିତ ଭାବେ ଆମ ପ୍ରଦର୍ଶନ ନେଇ କୌଣସି କ୍ଷମାର ସ୍ଥାନ ରହିବନି ବୋଲି ପଣ୍ଟିଂ ଚେତାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର