କଟକ : ଓଡ଼ି‌ଶା କ୍ରିକେଟ୍‌ ଆସୋସିଏସନ୍ ପକ୍ଷରୁ ଭିଜନ୍‌-୨୪ କାର୍ଯ୍ୟକ୍ରମରେ ପ୍ରଥମ କରି ପ୍ରତିଭା ଚୟନ (ଟ୍ୟାଲେଣ୍ଟ୍) ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ୨୭ ତାରିଖରୁ ଏହି ଶିବିର ଆରମ୍ଭ ହେବ। ସ୍ବତନ୍ତ୍ର ଭାବେ ସ୍ପିନ୍‌ର ଖୋଜିବାକୁ ଏହି ଶିବିରର ଆୟୋଜନ କରାଯାଇଛି। ଆସନ୍ତା ଜୁନ୍‌ ମାସରେ ସ୍ପିନର ଚୟନ ଶିବିର ଅନୁ‌ଷ୍ଠିତ ହେବ। ମୋଟ ୩୦ ଜଣ ପ୍ରତିଭାଙ୍କୁ ଚୟନ କରାଯାଇ ଏକ ସ୍ବତନ୍ତ୍ର ଶିବିରରେ କୋଚିଂ ଦିଆଯିବ। ଏହି ଶିବିର ମେ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ତେବେ ଏହି ଶିବିର ପାଇଁ କେବଳ ୧୫ରୁ ୩୦ ବର୍ଷ ବୟସ ବର୍ଗ‌ର ପ୍ରତିଭାମାନେ ସେମାନଙ୍କ ନାମ ପଞ୍ଜୀକରଣ କରିପାରିବେ। ପଞ୍ଜୀକୃତ ପ୍ରତିଭା‌ମାନେ ଓସିଏର କୌଣସି ବୟସ ବର୍ଗ ଦଳରେ ପୂର୍ବରୁ ପ୍ରତିନିଧିତ୍ବ କରିନଥିବା ଆବଶ୍ୟକ ବୋଲି ଓସିଏ ସ୍ପଷ୍ଟ କରିଛି। ଶିବିର ପାଇଁ ସର୍ବାଧିକ ୩୦୦ ପ୍ରତିଭ‌ା ନାମ ପଞ୍ଜୀକରଣ କରିପାରିବେ। ଯେଉଁ ୩୦୦ ପ୍ରତିଭା ପ୍ରଥମେ ପଞ୍ଜୀକରଣ କରିଥିବେ ସେମାନଙ୍କୁ ସୁଯୋଗ ଦିଆଯିବ। ଏହି ଶିବିରରେ ଉଭୟ ସିନିଅର ଓ ଜୁନିଅର କୋଚ୍ ପ୍ରତିଭା ଚୟନ କରିବେ।

ଓସିଏର ନବ ନିଯୁକ୍ତ ମୁଖ୍ୟ କୋଚ୍ ଦିନେଶ ମୋଙ୍ଗିଆ ପ୍ରତିଭା ଚୟନ ଶିବିରରେ ଯୋଗଦେବେ। ପ୍ରାଥମିକ ଶିବିର ତିନିଟି ପର୍ଯ୍ୟ‌ାୟରେ ଅନୁଷ୍ଠିତ ହେବ। ଦ୍ବିତୀୟ ପର୍ଯ୍ୟାୟ ଶିବିର ପାଇଁ ୩୦ ଜଣ ଖେଳାଳିଙ୍କୁ ଚୟନ କରାଯିବ। ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଭି ରାଜୁ ଜୁନ୍‌ ମାସରେ ସ୍ବତନ୍ତ୍ର ଭ‌‌ାବେ ସ୍ପିନର ଶିବିର ଆୟୋଜନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆଗକୁ ଓସିଏ ପକ୍ଷରୁ ଏହିଭଳି ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛି। ଗୁଗ୍‌ଲ ଫର୍ମରେ ଖେଳାଳିମାନେ ନିଜର ନାମ ପଞ୍ଜୀକରଣ କରିପାରିବେ।