‘ଖେଳାଳି ସୃଷ୍ଟି ପାଇଁ ଦକ୍ଷ ପ୍ରଶିକ୍ଷକ ଜରୁରି’

କିଟ୍‌ରେ ଆୟୋଜିତ ଫୁଟବଲ୍‌ କୋଚେସ୍‌ ରିଫ୍ରେସର ପାଠ୍ୟକ୍ରମ ବା ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ ଶିବିର ପରିଚାଳନା ପାଇଁ ଓଡ଼ିଶା ଆସିଥିଲେ ଦେଶର ପ୍ରତିଷ୍ଠିତ ଫୁଟ୍‌ବଲ୍‌ ପ୍ରଶିକ୍ଷକ ତଥା ସର୍ବଭାରତୀୟ ଫୁଟ୍‌ବଲ୍‌ ସଂଘର ବୈଷୟିକ ନିର୍ଦେଶକ ସାଭିଓ ମାଡିରା। ଗୋଆ ପାଣି ପବନରେ ବଢ଼ି ଖେଳାଳିରୁ ପ୍ରଶିକ୍ଷକ ପାଲଟିଥିବା ୫୨ ବର୍ଷୀୟ ସାଭିଓ ଏହି ଅବସରରେ ଓଡ଼ିଶାର ୨୫ ଜଣ ପ୍ରଶିକ୍ଷକଙ୍କୁ ଫୁଟ୍‌ବଲ୍‌ ବିକାଶର ଗୁରୁମନ୍ତ୍ର ଦେଇଥିଲେ। ୪ ଦିନିଆ ପ୍ରଶିକ୍ଷଣ ଶିବିରକୁ ସଫଳତାର ସହ ଶେଷ କରି ଗୋଆ ଫେରିବା ପୂର୍ବରୁ ତାଙ୍କୁ ଭେଟିଥିଲେ ଦେବାଶିଷ ସୁନ୍ଦରାୟ।
ପ୍ରଶ୍ନ: କିଟ୍‌ରେ ଆପଣ କରିଥିବା କୋଚେସ୍‌ ରିଫ୍ରେସର କାର୍ଯ୍ୟକ୍ରମ ବା ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ ଶିବିର ଓଡ଼ିଶା ଫୁଟ୍‌ବଲ୍‌କୁ କିଭଳି ଭାବେ ସହାୟ ହେବ? ଏଥିରୁ ରାଜ୍ୟ ଫୁଟ୍‌ବଲ୍‌କୁ କେମିତି ଓ କ’ଣ ଫାଇଦା ମିଳିବ?
ସାଭିଓ: ଏଭଳି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ହେଲା ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣର ନୂଆ କୌଶଳ ଏବଂ ଜ୍ଞାନ ବିପଷରେ ଅବଗତ କରାଇବା। ତା’ ସହ ନିଜ ନିଜ ମଧ୍ୟରେ ସଂପର୍କ ସ୍ଥାପନ କରି ଫୁଟ୍‌ବଲ୍‌ ଜ୍ଞାନର ଆଦାନ ପ୍ରଦାନ କରିବା। ପରିବର୍ତିତ ପରିସ୍ଥିତି ଏବଂ ସର୍ବଦା ବଦଳୁ ଥିବା ଫୁଟ୍‌ବଲ୍‌ ନିୟମ ଏବଂ କଳା କୌଶଳ ବିଷୟରେ ଜାଣିବା ଆଜିକାଲିର ପ୍ରଶିକ୍ଷକଙ୍କ ପାଇଁ ଏକାନ୍ତ ଅପରିହାର୍ଯ୍ୟ। ଯଦି ଆମେ ଓଡ଼ିଶା ଓ ଭାରତୀୟ ଫୁଟ୍‌ବଲ୍‌କୁ ଆଗକୁ ନେବାକୁ ଚାହୁୁଁଛେ, ତାହାଲେ ଆମକୁ ପ୍ରଥମେ ଭଲ ପ୍ରଶିକ୍ଷକ ସୃଷ୍ଟି କରିବାକୁ ହେବ। ରାଜ୍ୟ ଓ ଜାତୀୟ ସ୍ତରରେ ଏଭଳି କାର୍ଯ୍ୟକ୍ରମ ନିୟମିତ ହେବା ଦରକାର ବୋଲି ମୁଁ ଭାବୁଛି।
ପ୍ରଶ୍ନ: ଆଗରୁ ବି ଆପଣ ଓଡ଼ିଶାରେ ଏଭଳି ପାଠ୍ୟକ୍ରମ କରିଛନ୍ତି। ଏଥରର ଶିବିରରେ କି ଭିନ୍ନତା ଥିଲା? ଚଳିତ ଥରର ପାଠ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ପ୍ରଶିକ୍ଷକଙ୍କ ମୂଲ୍ୟାୟନ ଆପଣ କିଭଳି ଭାବେ କରିବେ?
ସାଭିଓ: ମୁଁ ୨୦୧୫ରେ କଳିଙ୍ଗ ଷ୍ଟାଡିୟମରେ ଏଭଳି ଏକ କାର୍ଯ୍ୟକ୍ରମ କରିଥିଲି। ଏଥର ଦ୍ୱିତୀୟ ଥର ପାଇଁ ଭୁବନେଶ୍ୱର ଆସିଛି। ଗତ ଦୁଇ ବର୍ଷ ଭିତରେ ଭୁବନେଶ୍ୱରରେ ଅନେକ ବିକାଶ ହୋଇଥିବା ଦେଖି ପାରୁଛି। କଳିଙ୍ଗ ଷ୍ଟାଡିୟମ୍‌ ଭିତ୍ତିଭୂମିକୁ ବି ଅନ୍ତର୍ଜାତୀୟ ମାନର କରାଯାଇଥିବା ଶୁଣିଛି। ସେଠାକୁ ଯିବାକୁ ଚାହୁଁଥିଲେ ମଧ୍ୟ ସମୟ ଅଭାବରୁ ଯାଇ ପାରିଲି ନାହିଁ। ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିବା ପ୍ରଶିକ୍ଷକଙ୍କୁ ମାତ୍ର ୪ ଦିନ ଭିତରେ ଆକଳନ କରିହେବ ନାହିଁ। ହେଲେ ସେମାନଙ୍କ ପାଖରେ ପରବର୍ତୀ ସ୍ତରକୁ ଯିବାର ଯୋଗ୍ୟତା ଅଛି ବୋଲି ମୁଁ ହୃଦୟଙ୍ଗମ କରିଛି। ସେମାନଙ୍କୁ ଏଥିଲାଗି କଠିନ ପରିଶ୍ରମ କରିବାକୁ ହେବ। ଏଠାକାର କିଛି ପ୍ରଶିକ୍ଷକ ଏନ୍‌ଆଇଏସ୍‌ ପାଠ୍ୟକ୍ରମ କରିଛନ୍ତି। ହେଲେ ଏଏଫସି ପାଠ୍ୟକ୍ରମ କରି ନାହାନ୍ତି। ଏଣୁ ଏନଆଇଏସ୍‌ ସହ ଏଏଫ୍‌ସି ପାଠ୍ୟକ୍ରମ କରିବାକୁ ମୁଁ ସେମାନଙ୍କୁ ଆହ୍ଵାନ କରିଛି।
ପ୍ରଶ୍ନ: ଏବେକାର ଭାରତୀୟ ଫୁଟ୍‌ବଲ୍‌ ଦଳ ବିଷୟରେ ଆପଣ କ’ଣ କହିବେ। ଫୁଟ୍‌ବଲ୍‌ରେ ଆମେ ତୁଳନାତ୍ମକ ଭାବେ ପଛରେ ପଡ଼ି ଯାଇଛେ ବୋଲି ଭାବୁଛନ୍ତି କି?
ସାଭିଓ: ଗତ ଦୁଇ ବର୍ଷ ହେବ ଭାରତୀୟ ଫୁଟ୍‌ବଲ୍‌ ଦଳ ଭଲ କରିଛି। ସୁନୀଲ ଛେତ୍ରୀଙ୍କ ଭଳି ଖେଳାଳି ଭାରତୀୟ ଫୁଟ୍‌ବଲ୍‌କୁ ଆହୁରି ଆଗକୁ ନେବେ ବୋଲି ଭାବୁଛି। ନୂଆ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବାର ସବୁଗୁଣ ସୁନୀଲଙ୍କ ପାଖରେ ଅଛି। ଏବେ ବଲିଉଡ୍‌ ତାରକା ଏବଂ କିଛି ବିଶିଷ୍ଠ ବ୍ୟବସାୟୀ ଭାରତୀୟ ଫୁଟ୍‌ବଲ୍‌ ସହ ଯୋଡ଼ି ହୋଇଛନ୍ତି। ଯାହା ବହୁତ ଭଲ କଥା। ହେଲେ ଆମ ସମସ୍ତଙ୍କୁ ମିଳିମିଶି ଫୁଟ୍‌ବଲ୍‌ର ବିକାଶ କରିବାକୁ ହେବ। ପ୍ରଶିକ୍ଷକ, ପ୍ରାୟୋଜକ, ସରକାର, ଗଣମାଧ୍ୟମ ଏବଂ ପ୍ରଶଂସକଙ୍କ ମିଳିତ ଉଦ୍ୟମରେ ହିଁ ଭାରତୀୟ ଫୁଟବଲ୍‌ ଆଗକୁ ବଢ଼ି ପାରିବ। ଆସନ୍ତା କିଛି ବର୍ଷ ଭିତରେ ସ୍ଥିତି ବଦଳିବ ବୋଲି ମୋର ଆଶା ଓ ବିଶ୍ୱାସ। ଗତ କିଛି ବର୍ଷରେ ଭାରତୀୟ ଫୁଟ୍‌ବଲ୍‌ରେ ଢେର ଉନ୍ନତି ହୋଇଛି। ହେଲେ ସେହି ତୁଳନାରେ ବିଦେଶୀ ଦଳ ଆହୁରି ଅଧିକ ଉନ୍ନତି କରିଛନ୍ତି।
ପ୍ରଶ୍ନ: ଓଡ଼ିଶାରୁ ବି ଅନେକ ଖେଳାଳି ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ଖେଳିଛନ୍ତି। ଆପଣ ସେମାନଙ୍କ ସହ ଖେଳିଛନ୍ତି କିମ୍ବା କେବେ ସଂସ୍ପର୍ଶରେ ଆସିଛନ୍ତି କି?
ସାଭିଓ: ହଁ ମୁଁ ଜାଣିଛି। ଦୁର୍ଭାଗ୍ୟଜନକ ଭାବେ କୌଣସି ଓଡ଼ିଆ ଖେଳାଳିଙ୍କ ସହ ଖେଳିବାର ସୌଭାଗ୍ୟ ମୋତେ ମିଳିନି। ହେଲେ ସେମାନେ ଓଡ଼ିଶା ଫୁଟ୍‌ବଲ୍‌ ପାଇଁ ବଳିଷ୍ଠ ଯୋଗଦାନ କରିଛନ୍ତି। ଆଗକୁ ସେମାନେ ଆହୁରି ଭଲ କାମ ବି କରି ପାରିବେ ବୋଲି ଭାବୁଛି।
ପ୍ରଶ୍ନ: ଫେବ୍ରୁଆରି ୨୫ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ଆଇଏସଏଲ୍‌ର ଏକ ମ୍ୟାଚ୍‌ ଖେଳାଯିବ। ଜାମସେଦପୁର ଏବଂ ବେଙ୍ଗାଲୁରୁ ଏଫ୍‌ସି ମଧ୍ୟରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍‌ ଓଡ଼ିଶା ଫୁଟବଲ୍‌କୁ ନୂଆ ଧାରା ଦେବ ବୋଲି ଭାବୁଛନ୍ତି କି?
ସାଭିଓ: ଆଇଏସ୍‌ଏଲ୍‌ ବିଷୟରେ ମୁଁ କିଛି କହିବାକୁ ଚାହୁଁନି। ହେଲେ ଜାମସେଦପୁର ଏବଂ ବେଙ୍ଗାଲୁରୁ ମଧ୍ୟରେ ଖେଳା ଯିବାକୁ ଥିବା ମ୍ୟାଚ୍‌ ଓଡ଼ିଶାରେ ଫୁଟ୍‌ବଲ୍‌ର ଲୋକପ୍ରିୟତା ବଢ଼ାଇବ ବୋଲି ଭାବୁଛି। ଏଠାରେ ଏଭଳି ମ୍ୟାଚ୍‌ ଅଧିକରୁ ଅଧିକ ଆୟୋଜନ ହେବା ଦରକାର। ଓଡ଼ିଶା ସରକାର ଫୁଟ୍‌ବଲ୍‌ର ବିକାଶ ପାଇଁ କିଛି ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି। ମୋ ରାଜ୍ୟ ଗୋଆ ଫୁଟବଲ୍‌ ପାଇଁ ପରିଚିତ। ହେଲେ ସେଠାରେ ବି ସରକାର କୌଣସି ଆଖି ଦୃଶିଆ ଫୁଟବଲ୍‌ କାର୍ଯ୍ୟକ୍ରମ କରୁ ନାହାନ୍ତି। କୋଚେସ୍‌ ରିଫ୍ରେସର କାର୍ଯ୍ୟକ୍ରମ ଆୟୋଜନ ପାଇଁ ମୁଁ ଓଡ଼ିଶା ସରକାରଙ୍କୁ ସାଧୁବାଦ ଦେବି। ପରବର୍ତୀ ଶିବିର ଅନ୍ୟୁନ ୧୦ ଦିନର କରିବାକୁ ଅନୁରୋଧ କରିବି।
ପ୍ରଶ୍ନ: ଅନ୍ତର୍ଜାତୀୟ ଫୁଟବଲ୍‌ ଖେଳିବା ଏବଂ ଅନ୍ତର୍ଜାତୀୟ ଦଳକୁ ପ୍ରଶିକ୍ଷଣ ଦେବାର ଯୁଗଳ ଅଭିଜ୍ଞତା ଆପଣଙ୍କର ଅଛି। ଫୁଟ୍‌ବଲ୍‌ ପ୍ରଶିକ୍ଷକ ହେବାକୁ ଇଚ୍ଛୁକ ଥିବା ଯୁବ ପ୍ରତିଭାଙ୍କୁ ଆପଣ କି ପରାମର୍ଶ ଦେବେ?
ସାଭିଓ: କଠିନ ପରିଶ୍ରମ କରିବାକୁ ହେବ। ଖେଳକୁ ବୁଝୁଥିବା ଖେଳାଳି ହିଁ ଜଣେ ଭଲ ପ୍ରଶିକ୍ଷକ ହୋଇ ପାରିବ। ମୁଁ କହିବି ଖେଳାଳି ଜୀବନ ଶେଷ ହେବା ପୂର୍ବରୁ ସେମାନେ ବିଭିନ୍ନ ପ୍ରଶିକ୍ଷକ ପାଠ୍ୟକ୍ରମରେ ଯୋଗହେବା ଉଚିତ। ମୋ ପେସାଦାର ଜୀବନକୁ ନେଇ ମୁଁ ସନ୍ତୁଷ୍ଟ। ଏହି କ୍ଷେତ୍ରକୁ ଆସିଲେ ସେମାନଙ୍କୁ ବି ଆତ୍ମସନ୍ତୋଷ ଓ ସଫଳତା ମିଳି ପାରିବ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି।

ଅନ୍ତର୍ଜାତୀୟ ଖେଳାଳି, ଆଗଧାଡ଼ିର ପ୍ରଶିକ୍ଷକ

୧୯୬୫ ମସିହା ମାର୍ଚ ୨୦ ତାରିଖରେ ଗୋଆରେ ଜନ୍ମ ଗ୍ରହଣ କରିଥିବା ସାଭିଓ ମାଡିରା ସାଲଗାଓଁକର କ୍ଲବ୍‌ରୁ ନିଜ ଫୁଟବଲ୍‌ ଜୀବନ ଆରମ୍ଭ କରିଥିଲେ। ୧୯୯୩ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଏହି କ୍ଲବ୍‌ରୁ ଖେଳି ସେ ରୋଭର୍ସ କ୍ଲବ୍‌, ଫେଡେରେସନ୍‌ କ୍ଲବ୍‌ ଏବଂ ଜାତୀୟ ଫୁଟ୍‌ବଲ୍‌ ଲିଗ୍‌ ଜିତିଥିବା ଦଳର ସଦସ୍ୟ ହୋଇ ପାରିଥିଲେ। ମଧ୍ୟଭାଗରେ ଖେଳୁଥିବା ସାଭିଓ ପରେ ଭାରତୀୟ ଦଳରୁ ଖେଳିବାର ସୌଭାଗ୍ୟ ମଧ୍ୟ ଲାଭ କରିଥିଲେ। ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରୁ ଅବସର ନେବା ପରେ ସେ ପ୍ରଶିକ୍ଷଣରେ ମନୋନିବେଶ କରିଥିଲେ। ୨୦୦୧ରେ ସାଲଗାଓଁକର ସହକାରୀ ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ। ୨୦୦୮-୧୧ ଏବଂ ୨୦୧୨-୧୫ ଦୁଇଟି ପର୍ଯ୍ୟାୟରେ ସେ ଭାରତୀୟ ଫୁଟବଲ ଦଳର ସହକାରୀ ପ୍ରଶିକ୍ଷକ ଥିଲେ। ୨୦୧୧-୧୨ରେ ବର୍ଷକ ପାଇଁ ସେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ। ୨୦୧୫ରେ ସେ ଭାରତୀୟ ୨୩ ବର୍ଷରୁ କମ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ। ଏହା ପରେ ସେ ସର୍ବ ଭାରତୀୟ ଫୁଟବଲ୍‌ ସଂଘର ବୈଷୟିକ ନିର୍ଦେଶକ ପଦରେ ଅବସ୍ଥାପିତ ହୋଇଥିଲେ।

ସମ୍ବନ୍ଧିତ ଖବର