ଲକ୍ଷ୍ନୌ: ଭାରତର ଲକ୍ଷ୍ନୌରେ ଆଫ୍‌ଗାନିସ୍ତାନ-‌‌ୱେଷ୍ଟ୍‌ଇଣ୍ଡିଜ୍‌ ଦିନିକିଆ ଶୃଙ୍ଖଳା ବୁଧବାରଠୁ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ ଦେଖିବାକୁ ଆଫ୍‌ଗାନିସ୍ତାନରୁ ଆସିଛନ୍ତି ସେର୍‌ ଖାନ୍‌ ନାମକ ଜଣେ ୮ ଫୁଟ ୨ ଇଞ୍ଚ ଉଚ୍ଚର ଡେଙ୍ଗା କ୍ରିକେଟ୍‌ ପ୍ରଶଂସକ। ଏତେ ଡେଙ୍ଗା ପାଇଁ ତାଙ୍କୁ ଲକ୍ଷ୍ନୌରେ ଥିବା କୌଣସି ହୋଟେଲ ରୁମ୍‌ ଭଡ଼ାରେ ମିଳିନଥିଲା। ବହୁ ହୋଟେଲ ବୁଲିବା ପରେ କେହି ରଖିବାକୁ ରାଜି ନ ହେବାରୁ ସେ ନିରାଶ ହୋଇ ପୁଲିସର ଦ୍ବାରସ୍ଥ ‌ହୋଇଥିଲେ। ଏହା ପରେ ପୁଲିସ ସହଯୋଗରେ ତାଙ୍କୁ ନାକା ଅଞ୍ଚଳରେ ଥିବା ହୋଟେଲ ରାଜଧାନୀରେ ମଙ୍ଗଳବାର ରାତିରେ ରହିବାର ବ୍ୟବସ୍ଥା ହୋଇଥିଲା। କାବୁଲର ଏହି ଡେଙ୍ଗା ବ୍ୟକ୍ତିଙ୍କୁ ଦେଖିବାକୁ ୨୦୦ରୁ ଊର୍ଧ୍ବ ସ୍ଥାନୀୟ ଲୋକ ବୁଧବାର ସକାଳେ ହୋଟେଲ ଆଗରେ ଭିଡ଼ ଜମାଇଥିଲେ। ଭିଡ଼କୁ ଦେଖି ପୁଲିସ‌ ସେର୍‌ ଖାନ୍‌ଙ୍କୁ ଏସ୍‌କର୍ଟ କରି ଏକନା ଷ୍ଟାଡିୟମକୁ ନେଇଥିଲେ।