ତମାଣ୍ଡୋ କପ୍‌ ଫୁଟ୍‌ବଲ୍‌ ଆରମ୍ଭ ଉଦ୍‌ଘାଟନୀ ମ୍ୟାଚ୍‌ରେ ଉତ୍କଳ ବିଜୟୀ

ଖଣ୍ଡଗିରି: ଶିବଶକ୍ତି କ୍ଲବ୍‌ ଆନୁକୂଲ୍ୟରେ ତମାଣ୍ଡୋ ମିନି ଷ୍ଟାଡିୟମ୍‌ରେ ଶୁକ୍ରବାରଠୁ ଆରମ୍ଭ ହୋଇଥିବା ୨୫ତମ ତମାଣ୍ଡୋ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଜଟଣୀର ଉତ୍କଳ ସ୍ପୋର୍ଟିଂ ବିଜୟୀ ହୋଇଛି। ଜଟଣୀ ଦଳ ୧-୦ ଗୋଲ୍‌ରେ କଟକର ଜୟଦୁର୍ଗା କ୍ଲବକୁ ପରାସ୍ତ କରିଛି। ଶନିବାର ଜଟଣୀ ଦଳ ଅନୁଗୁଳ ପତାକା ଏକେ କ୍ଲବ୍‌କୁ ଭେଟିବ। ସଂଘର୍ଷପୂର୍ଣ ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା। ତେବେ ଦ୍ୱିତୀୟାର୍ଧ ଆରମ୍ଭରୁ ଜଟଣୀ ଦଳ କଟକ ଦଳକୁ ଚକ୍‌ମା ଦେଇଥିଲା। ୩୨ ମିନିଟ୍‌ରେ ଜଟଣୀ ଦଳର ସୁବାସ ସିଂ ଚମତ୍କାର ଗୋଲ୍‌ କରିଥିଲେ। ଶେଷ ପର୍ଯ୍ୟନ୍ତ ଆଉ କୌଣସି ଗୋଲ୍‌ ନହେବାରୁ ଜଟଣୀ ଦଳ ମ୍ୟାଚ୍‌ ଜିତି ନେଇଥିଲା। ମ୍ୟାଚ୍‌ ପରିଚାଳନା କରିଥିଲେ ସୁଦୀପ ଦାସ, ଜ୍ୟୋତିରଂଜନ ସ୍ୱାଇଁ, ଅବିନାଶ ପଟ୍ଟନାୟକ, ବେଣୁଧର ଦାସ। ଜଟଣୀର ପୂର୍ବତନ ବିଧାୟକ ସୁରେଶ ରାଉତରାୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତା ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ବ୍ଲକର ପୂର୍ବତନ ଅଧ୍ୟକ୍ଷ ସଂଜିଲ୍‌ କୁମାର ବଳିୟାରସିଂହ, ଦୁଃଶାସନ ସ୍ୱାଇଁ, ତମାଣ୍ଡୋ ସରପଞ୍ଚ ଜଗମୋହନ ପ୍ରଧାନ, କ୍ରୀଡ଼ା ସଂଗଠକ ନବରଂଜନ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର