ଏସୀୟ କ୍ରୀଡ଼ା (୨୦୧୮, ଜକାର୍ତ୍ତା) ବିଜେତା ସଟ୍‌ପୁଟର ତାଜିନ୍ଦର ସିଂହ ନୂଆ ଏସୀୟ କୀର୍ତ୍ତିମାନ କରିଛନ୍ତି। ସେ ୨୧.୭୭ ମିଟର ସଟ୍‌ପୁଟ୍‌ ଫିଙ୍ଗି ନିଜ ନାମରେ ଥିବା ପୂର୍ବ ଏସୀୟ କୀର୍ତ୍ତିମାନ (୨୧.୪୯, ୨୦୨୧‌ ମସିହା) ଭାଙ୍ଗିଥିଲେ। ସେ ଏହି ପ୍ରତି‌ଯୋଗିତାର ଶ୍ରେଷ୍ଠ ପୁରୁଷ ଆଥ୍‌ଲେଟ୍‌ ହେବା ସହ ବୁଦାପେଷ୍ଟ ବିଶ୍ବ ଦୌଡ଼କୁଦ ସହ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଟିକେଟ୍‌ କରାୟତ୍ତ କରିଛନ୍ତି। ବିଶ୍ବ ଦୌଡ଼କୁଦ ଲାଗି ୨୧.୪୪ ଏବଂ ଏସୀୟ କ୍ରୀଡ଼ା ଲାଗି ୧୯ ମିଟର ମାର୍କ ରହିଥିଲା। ବାଧାଦୌଡ଼ ତାରକା ଜ୍ୟୋତି ୟାରାଜି ଶ୍ରେ‌ଷ୍ଠ ମହିଳା ଆଥ୍‌ଲେଟ୍‌ ପୁରସ୍କାର କରାୟତ୍ତ କରିଛନ୍ତି। ତାମିଲନାଡ଼ୁ ଶ୍ରେଷ୍ଠ ପୁରୁଷ ଦଳ ସହ ଦଳଗତ ବିଜେତା ଟ୍ରଫି ହାସଲ କରିଛି। ଉତ୍ତର ପ୍ରଦେଶକୁ ଶ୍ରେଷ୍ଠ ମହିଳା ଦଳ ପୁରସ୍କାର ମିଳିଛି। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ସର୍ବଭାରତୀୟ ଦୌଡ଼କୁଦ ସଂଘ (ଏଏଫ୍‌ଆଇ)ର ସଭାପତି ଆଦିଲ ସୁମରିୱାଲା, କ୍ରୀଡ଼ା ଓ ଯୁବସେବା ସଚିବ ଆର୍‌ ଭିନୀଲ କ୍ରିଷ୍ଣା, ଯୋଜନା କମିଟି ଅଧ୍ୟକ୍ଷ ଲଲିତ ଭାନୋଟ, ଏଏଫ୍‌ଆଇର ବରିଷ୍ଠ ଉପସଭାପତି ଅଞ୍ଜୁ ବବି ଜର୍ଜ ଓ କୋଷାଧ୍ୟକ୍ଷ ମଧୁକାନ୍ତ ପାଠକ ଉପସ୍ଥିତ ରହିଥିଲେ।