ତାମିଲନାଡ଼ୁ, ମୁମ୍ବାଇ କ୍ୱାର୍ଟର୍‌ ଆଶା କାଏମ

ଇନ୍ଦୋର: ଓଡ଼ିଶା ସାମିଲ ଥିବା ଗ୍ରୁପ୍‌ ‘ସି’ ରଣଜୀ ଟ୍ରଫି ଲିଗ୍‌ର ଅନ୍ୟ ଦୁଇ ମ୍ୟାଚ୍‌ରେ ତାମିଲନାଡ଼ୁ ଏବଂ ମୁମ୍ବାଇ ପ୍ରଥମ ପାଳି ଅଗ୍ରଣୀ ନେବା ସହ କ୍ୱାର୍ଟର୍‌ ଫାଇନାଲ୍‌ ଆଶା ଉଜ୍ଜୀବିତ ରଖିଛନ୍ତି। ଇନ୍ଦୋରରେ ଖେଳାଯାଇଥିବା ଆନ୍ଧ୍ରପ୍ରଦେଶ-ମୁମ୍ବାଇ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଛି। ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ମୁମ୍ବାଇକୁ ୩ ଏବଂ ଆନ୍ଧ୍ରକୁ ୧ ପଏଣ୍ଟ୍‌ ମିଳିଛିି। ମୁମ୍ବାଇର ପ୍ରଥମ ପାଳି ୩୩୨ ଜବାବରେ ଆନ୍ଧ୍ର ୨୧୫ ରନ୍‌ କରିଥିଲା। ଦ୍ୱିତୀୟ ପାଳିରେ ମୁମ୍ବାଇ ୨୭୯/୬ରେ ଘୋଷଣା କରିଥିଲା। ୩୯୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଆନ୍ଧ୍ର ଚତୁର୍ଥ ଦିନ ଶେଷ ସୁଦ୍ଧା ୫ ଓ୍ଵିକେଟ୍‌ ହରାଇ ୨୧୯ ରନ୍‌ କରିଥିଲା। ମୁମ୍ବାଇ ପକ୍ଷରୁ ଦ୍ୱିତୀୟ ପାଳିରେ ଶ୍ରେୟସ୍‌ ଆୟର ୮୯ ରନ୍‌ କରିଥିଲେ। କେଏସ୍‌ ଭରତ (୮୯) ଏବଂ ରିକି ଭୂଇ (୫୫) ଅର୍ଧଶତକ ହାସଲ କରି ଆନ୍ଧ୍ରକୁ ପରାଜୟରୁ ରକ୍ଷା କରିଥିଲେ। କର୍ଷ କୋଥାରି ୩ ଏବଂ ସାର୍ଦୁଲ ଠାକୁର ୨ ଓ୍ଵିକେଟ୍‌ ନେଇଥିଲେ।
ସେହିଭଳି ଅନ୍‌ଗୋଲ୍‌ରେ ଏହି ଗ୍ରୁପ୍‌ର ଖେଳାଯାଇଥିବା ତାମିଲନାଡ଼ୁ-ମଧ୍ୟପ୍ରଦେଶ ମ୍ୟାଚ୍‌ ମଧ୍ୟ ଅମୀମାଂସିତ ଭାବେ ଶେଷ ହୋଇଥିଲା। ହେଲେ ତାମିଲନାଡ଼ୁ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ୩ ଏବଂ ମଧ୍ୟପ୍ରଦେଶ ୧ ପଏଣ୍ଟ୍‌ ପାଇଛିା। ମଧ୍ୟପ୍ରଦେଶର ୨୬୪ ରନ୍‌ ଜବାବରେ ତାମିଲନାଡ଼ୁ ୩୨୬ ରନ୍‌ କରି ପ୍ରଥମ ପାଳି ଆଗୁଆ ରହିଥିଲା। ଦ୍ୱିତୀୟ ପାଳିରେ ମଧ୍ୟପ୍ରଦେଶ ହରପ୍ରୀତ ସିଂହ ଭାଟିଆ (୧୦୦*)ଙ୍କ ଶତକ ଏବଂ ରଜତ ପଟିଦାର (୮୯), ଅଙ୍କିତ ଦାନେ (୬୫*) ଓ ଶୁଭମ ଶର୍ମା (୫୬)ଙ୍କ ଅର୍ଧଶତକ ବଳରେ ୩୫୧/୪ରେ ପାଳି ଘୋଷଣା କରିଥିଲା। ୨୮୯ ରନ୍‌ର ବିଜୟ ଲକ୍ଷ୍ୟରେ ତାମିଲନାଡ଼ୁ ୧ ଓ୍ଵିକେଟ୍‌ ହରାଇ ୭୯ ରନ୍‌ କରିଥିଲା। ଅଭିନବ ମୁକୁନ୍ଦ (୩୨) ଏବଂ ବାବା ଅପରାଜିତ (୩୦) ଅପରାଜିତ ରହିଥିଲେ।

ସମ୍ବନ୍ଧିତ ଖବର