ଭୁବନେଶ୍ବର: ଇଣ୍ଡିଆନ୍ ଆରୋଜ୍ର ରାଇଟ୍ ପୁଲ୍ ବ୍ୟାକ୍ ଟଙ୍କଧର ବାଗ୍ ଆଇଏସ୍ଏଲ୍ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ଟଙ୍କଧରଙ୍କ ସହିତ ଓଡ଼ିଶା ଏଫ୍ସି ଅଢେଇ ବର୍ଷିୟା ଚୁକ୍ତି ସ୍ବାକ୍ଷର କରିଛି। ତେବେ ଟଙ୍କଧରଙ୍କୁ ପଡ଼ିଆକୁ ଓହ୍ଲାଇବାକୁ ହେଲେ ଅଧିକ ଦିନ ଅପେକ୍ଷା କରିବାକୁ ହେବ। କାରଣ ତାଙ୍କୁ ବର୍ତ୍ତମାନ ଦଳର ଅତିରିକ୍ତ ଖେଳାଳିଙ୍କ ସହିତ ସାମିଲ କରାଯିବ ଓ ଓଡ଼ିଶା ଏଫ୍ସିର ଅବଶିଷ୍ଟ ମ୍ୟାଚ୍ଗୁଡ଼ିକୁ ଅନ୍ୟ ଖେଳାଳିଙ୍କ ସହିତ ବାହାରେ ବସି (ପ୍ରି-ସିଜନ୍) ଅଭିଜ୍ଞତା ସାଉଁଟିବାକୁ ପଡ଼ିବ। ପରବର୍ତ୍ତୀ ଋତୁ ଅର୍ଥାତ୍ ୨୦୨୩-୨୪ ବେଳକୁ ଟଙ୍କଧରଙ୍କୁ ମୂଖ୍ୟ ଦଳରେ ସାମିଲ କରାଯିବ ବୋଲି ସୂଚନା ମିଳିଛି।
ଝାରସୁଗୁଡ଼ା ସରବାହାଲ ଅଞ୍ଚଳର ଟଙ୍କଧର ତାଙ୍କର ପ୍ରଥମ ପ୍ରଶିକ୍ଷକ ପର୍ଶୁ ସେହୁଲଙ୍କଠୁ ପ୍ରଶିକ୍ଷଣ ପାଇବା ପରେ ରାଜ୍ୟ କ୍ରୀଡ଼ା ଛାତ୍ରାବାସକୁ ମନୋନୀତ ହୋଇଥିଲେ। ବଲାଙ୍ଗୀର ଛାତ୍ରାବାସରେ ପ୍ରଶିକ୍ଷକ ପାରାସାର ବାଗ୍ଙ୍କ ଅଧିନରେ ସେ ଅଭ୍ୟାସ କରିବା ପରେ ଭାରତୀୟ ୧୫ ବର୍ଷରୁ କମ୍ ଦଳରେ ସ୍ଥାନ ପାଇଥିଲେ। ଏହାପରଠୁ ପ୍ରତି ବୟସବର୍ଗରେ ସେ ଖେଳିବା ସହ ଦୁଇ ବର୍ଷ ତଳେ ଇଣ୍ଡିଆନ୍ ଆରୋଜ୍ ପାଇଁ ରାଇଟ୍ ପୁଲ୍ ବ୍ୟାକ୍ ଭାବେ ଖେଳିଥିଲେ। ଗତବର୍ଷ ସେ ୨୦ ବର୍ଷରୁ କମ୍ ସାଫ୍ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ବ କରିଥିଲେ। ତେବେ ଓଡ଼ିଶା ଏଫ୍ସିରେ ଯୋଗଦେବା ସଂପର୍କରେ ଟଙ୍କଧର ଅଧିକ ଖୁସି ଥବା କହିଥିଲା ବେଳେ ଏହି ଦଳ ପାଇଁ ଖେଳିବାକୁ ସେ ଆଗରୁ ସ୍ବପ୍ନ ଦେଖିଥିଲେ। ଏବେ ତାହା ସାକାର ହେବାକୁ ଯାଉଛି। ସେ କହିଛନ୍ତି ଯେ ଓଡ଼ିଶା ଏଫ୍ସି ନିଜ ଟିମ୍ ଭଳି ଲାଗୁଛି। ଇଣ୍ଡିଆନ୍ ଆରୋଜ୍ ସହ ଥିବା ବେଳେ ବହୁତ କିଛି ଶିଖିବାକୁ ମିଳିଛି, ଏଠାରେ ମଧ୍ୟ ପ୍ରଶିକ୍ଷଣ ଆରମ୍ଭ ହେଲାଣି ଏବଂ ନୂଆନୂଆ କଥା ଜାଣିବାକୁ ମିଳୁଛି। ଏହି ଅଭିଜ୍ଞତାକୁ ସାଙ୍ଗରେ ନେଇ ଓଡ଼ିଶା ଏଫ୍ସିକୁ ଭଲ ଫଳାଫଳ ଦେବାକୁ ଚାହିଁବି। ଆଗକୁ ଭାରତୀୟ ଦଳରୁ ଖେଳିବା ଲକ୍ଷ୍ୟ ରଖିଥିବା ଟଙ୍କଧର ପ୍ରତିକ୍ରିୟା ଦେଇଛନ୍ତି।
ଆଇଏସ୍ଏଲ୍ରେ ଗୁରୁବାର ଚେନ୍ନାଇର ଜବାହରଲାଲ୍ ନେହରୁ ଷ୍ଟାଡିୟମ୍ରେ ଓଡ଼ିଶା ଏଫ୍ସିର ପରବର୍ତ୍ତୀ ମୁକାବିଲା ଚେନ୍ନାୟିନ୍ ଏଫ୍ସି ସହିତ ହେବ। କୋଲକାତାରେ ଓଡ଼ିଶା ଏଫ୍ସି ଖେଳିଥିବା ଗତ ମ୍ୟାଚ୍ରେ ମୋହନବାଗାନ୍ଠୁ ୦-୨ ଗୋଲ୍ରେ ପରାଜିତ ହୋଇଥିବାରୁ ଚେନ୍ନାଇରେ ବିଜୟ ଧାରାକୁ ଫେରିବା ପାଇଁ ଆଶାବାଦୀ ଅଛି। ମୁଖ୍ୟ ପ୍ରଶିକ୍ଷକ ଜୋସେଫ ଗମ୍ବାଉ ମଧ୍ୟ ଦଳର ଖେଳାଳିମାନେ ଜିତିବା ପାଇଁ ଭୋକିଲା ଥିବା ସ୍ବୀକାର କରିଛନ୍ତି। ଗତ ମ୍ୟାଚ୍ରେ ଓଡ଼ିଶା ଏଫ୍ସି ପରାଜିତ ହୋଇଥିଲେ ବି ଖେଳାଳିମାନେ କଠିନ ପରିଶ୍ରମ କରୁନାହାନ୍ତି ବୋଲି କହିହେବନି। ହାର୍ ଜିତ୍ ଖେଳର ଏକ ଅଂଶ। ତେଣୁ ଆଗକୁ ଆଉ ୫ ମ୍ୟାଚ୍ ବାକି ଥିବାରୁ ସବୁ ମ୍ୟାଚ୍ ଜିତିବାକୁ ଆମେ ଚାହିଁବୁ ବୋଲି ଗମ୍ବାଉ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ତାଙ୍କ ମତରେ ଆଗକୁ ପ୍ରତ୍ୟେକ ମ୍ୟାଚ୍ କଡ଼ା ପ୍ରତିଦ୍ବନ୍ଦ୍ବିତାଭରା ହେବାକୁ ଯାଉଛି। ଯଦି ଚେନ୍ନାଇରେ ଓଡ଼ିଶା ଜିତେ ତା’ହେଲେ ଶ୍ରେଷ୍ଠ ୬ ମଧ୍ୟରେ ସ୍ଥାନ ପାଇବ। ଏଥିପାଇଁ ପ୍ରତିଯୋଗିତାରେ ସମସ୍ତଙ୍କୁ ସ୍ଥିର ପ୍ରଦର୍ଶନ ଦେବାକୁ ହେବ। ପ୍ରତି ଖେଳାଳି, ସହକାରୀଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ଖେଳି ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ ବୋଲି ଗମ୍ବାଉ କହିଛନ୍ତି। ସେହିପରି ଯୁବ ଖେଳାଳି ନିଖିଲ ପ୍ରଭୁ ଓଡ଼ିଶା ଏଫ୍ସିରୁ ପାଇଥିବା ପ୍ରଶିକ୍ଷଣକୁ ନେଇ ଉତ୍ସାହିତ ଅଛନ୍ତି। ତାଙ୍କ ମତରେ ଋତୁ ପୂର୍ବରୁ ତାଙ୍କ ଖେଳରେ ବହୁତ ଉନ୍ନତି ଆସିଛି। ଦଳର ସହକାରୀମାନେ ମୋ ଭିତର ଆତ୍ମବିଶ୍ବାସ ଭରିଛନ୍ତି। ଏଠାରେ କିଛି ନୂଆ କଥା ଶିଖିବାକୁ ମିଳିଛି। ଜଣେ ଯୁବ ଖେଳାଳି ଭାବେ ଭୁଲ୍ରୁ ଶିଖି ଆଗକୁ ବଢିବାକୁ ହେବ। ଦଳକୁ ଏକାଠି ହୋଇ ଖେଳିବାକୁ ହେବ। ମ୍ୟାଚ୍ରେ ହାରିବା କି ଜିତିବା ବଡ଼ କଥା ନୁହେଁ। ପ୍ରତ୍ୟେକ ମ୍ୟାଚ୍ ପାଇଁ ପ୍ରଶିକ୍ଷକଙ୍କ ପାଖରେ ରଣନୀତି ପ୍ରସ୍ତୁତ ଅଛି, ସେହି ଅନୁସାରେ ଆମକୁ ଖେଳିବାକୁ ହେବ ବୋଲି ନିଖିଲ କହିଛନ୍ତି। ଓଡ଼ିଶା ଏଫ୍ସି ବର୍ତ୍ତମାନ ସୁଦ୍ଧା ୧୫ ମ୍ୟାଚ୍ରୁ ୧୭ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ଓ ଚେନ୍ନାୟିନ ଏଫ୍ସି ୧୭ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ରହିଛି।