ତନ୍ମୟଙ୍କ ଶତକ; ସୋଲାର ବିଜୟୀ

କୁଶ ପଟ୍ଟନାୟକ ସ୍ମାରକୀ ଏନ୍‌ଏମ୍‌ ଭୂୟାଁ ଟ୍ରଫି

ଭୁବନେଶ୍ୱର: ମୁକ୍ତେଶ୍ୱର କ୍ରିକେଟ୍‌ କ୍ଲବ୍‌ ଆନୁକୂଲ୍ୟରେ ଚାଲିଥିବା କୁଶ ପଟ୍ଟନାୟକ ସ୍ମାରକୀ ଏନ୍‌ଏମ୍‌ ଭୂୟାଁ ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତାରେ ରବିବାର କଟକର ସୋଲାର କ୍ରିକେଟ୍‌ କ୍ଲବ୍‌ ବିଜୟୀ ହୋଇଛି। ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ତନ୍ମୟ ମହାନ୍ତିଙ୍କ ବିସ୍ଫୋରକ ଶତକ (୬୦ ବଲ୍‌ରୁ ୧୦୭ ରନ୍‌, ୧୦ ଚୌକା ଓ ୯ ଛକା) ବଳରେ ସୋଲାର ୫ ଓ୍ଵିକେଟ୍‌ରେ ଆୟୋଜକ ମୁକ୍ତେଶ୍ୱର କ୍ରିକେଟ୍‌ କ୍ଲବ୍‌କୁ ପରାସ୍ତ କରିଦେଇଛି। ଟସ୍‌ ଜିତିଥିବା ମୁକ୍ତେଶ୍ୱର ଦଳ ଅନୁରାଗ ଷଡ଼ଙ୍ଗୀ (୬୮) ଓ ପ୍ରିୟବ୍ରତ ପ୍ରିୟରଞ୍ଜନ (୫୧)ଙ୍କ ଅର୍ଧଶତକ ସତ୍ତ୍ୱେ ୩୦.୨ ଓଭରରେ ୧୮୦ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଦିବ୍ୟଜ୍ୟୋତି ରଥ ୩, ପ୍ରଦୀପ୍ତ ଦାଶ ୨ ଓ୍ଵିକେଟ୍‌ ନେଇଥିଲା ବେଳେ ମୁକ୍ତେଶ୍ୱରର ୪ ଜଣ ବ୍ୟାଟ୍‌ସମ୍ୟାନ୍‌ ରନ୍‌ ଆଉଟ୍‌ ହୋଇଥିଲେ। ଜବାବରେ ସୋଲାର ୨୧.୫ ଓଭରରେ ୫ ଓ୍ଵିକେଟ୍‌ ବିନିମୟରେ ବିଜୟ ଲକ୍ଷ୍ୟ ୧୮୧ରେ ପହଞ୍ଚିଯାଇଥିଲା। ଦେବବ୍ରତ ପ୍ରଧାନ ଓ ଅନୁରାଗ ଷଡ଼ଙ୍ଗୀ ୨ ଲେଖାଏଁ ଓ୍ଵିକେଟ୍‌ ପାଇଥିଲେ। ଶତକୀୟ ପାଳି ପାଇଁ ତନ୍ମୟ ମହାନ୍ତିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ମୁକ୍ତେଶ୍ୱର କ୍ଲବ୍‌ର ଉପସଭାପତି ନବରଞ୍ଜନ ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର