ନୂଆଦିଲ୍ଲୀ: ୨୦୨୫ ଏସିଆ କପ୍ ଫାଇନାଲରେ ଭାରତଠାରୁ ପାକିସ୍ତାନ ଦଳ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ରବିବାର ଫାଇନାଲ ଖେଳାଯାଇଥିବା ବେଳେ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଭାରତ ନବମ ଥର ପାଇଁ ଏସିଆ କପ୍ ମୁକୁଟ ଜିତିଥିଲା। ପରାଜୟ ପରେ ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ତନବୀର ଅହମ୍ମଦ ରାଗ ତମତମ ହୋଇ ନିଜ ଦଳକୁ ସମାଲୋଚନା କରିଛନ୍ତି। ଏକ ପାକିସ୍ତାନୀ ଟିଭି ଚ୍ୟାନେଲରେ ସିଧା ପ୍ରସାରଣ ସମୟରେ ତନବୀର ନିଜ ଦେଶର ଖେଳାଳିମାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଦଳ ଫାଇନାଲରେ ଖେଳିବା ପାଇଁ ଯୋଗ୍ୟ ନୁହେଁ।
ତନବୀର କହିଥିଲେ ଯେ, "ସେମାନେ (ଭାରତ) ଫାଇନାଲ ଜିତିଲେ। ଆମ ଦଳ ସବୁବେଳେ ପ୍ରତିଦ୍ୱନ୍ଦ୍ୱିତା ବିଷୟରେ ବହୁତ ବଡ଼ ବଡ଼ କଥା କହେ, କିନ୍ତୁ ସେମାନେ କାମରେ ଦେଖାଇଦେଲେ ଯେ କାହାର ଶକ୍ତି ଅଧିକ। ସେମାନେ ଆମକୁ ଜଣାଇଦେଲେ ଯେ, ସେମାନେ ସବୁକିଛି ଏବଂ ତୁମେ କେବଳ ହାରିବା ପାଇଁ ଯୋଗ୍ୟ।"
ତନବୀର ପାକିସ୍ତାନୀ ଖେଳାଳିମାନଙ୍କ ଉପରେ ତାଙ୍କର କ୍ରୋଧ ପ୍ରକାଶ କରି ଆହୁରି କହିଥିଲେ ଯେ, "ଭାରତ ଦେଖାଇଦେଲା ଯେ, ସେ ସବୁଥିରେ ପାରଙ୍ଗମ। ତୁମର ବ୍ୟାଟିଂ ଶୂନ ଥିଲା... ଅତି ଥାର୍ଡ କ୍ଲାସ୍। ସାରା ଟୁର୍ଣ୍ଣାମେଣ୍ଟରେ, ତୁମର ଅଧିନାୟକ ପ୍ରେସ୍ କନଫରେନ୍ସରେ ନିଜକୁ ରକ୍ଷା କରି ଚାଲିଥିଲେ। ଅଧିନାୟକ ଏବଂ ମୁଖ୍ୟ ପ୍ରଶିକ୍ଷକ ବାରମ୍ବାର କହୁଥିଲେ, 'ଆମର ଖେଳାଳିମାନେ ସମସ୍ତେ ବିଶ୍ୱସ୍ତରୀୟ... ହେଲେ ଆଜି କ'ଣ ହେଲା? ମୁଁ ବାଂଲାଦେଶ ଦଳକୁ ଧନ୍ୟବାଦ ଦେବି, ଯେଉଁମାନେ ଏତେ ଖରାପ କ୍ରିକେଟ ଖେଳି ଆମକୁ ଫାଇନାଲକୁ ନେଲେ। ମୁଁ ଶ୍ରୀଲଙ୍କାକୁ ମଧ୍ୟ ଧନ୍ୟବାଦ ଦେଉଛି, ଯାହାର ଖରାପ ପ୍ରଦର୍ଶନ ପାକିସ୍ତାନକୁ ଏହି ସ୍ଥାନରେ ପହଞ୍ଚିବାରେ ସାହାଯ୍ୟ କରିଥିଲା। ଶ୍ରୀଲଙ୍କା ଦ୍ୱିତୀୟ ସ୍ଥାନ ପାଇବାକୁ ଯୋଗ୍ୟ ଥିଲା।"
୪୬ ବର୍ଷୀୟ ତନବୀର ଅହମ୍ମଦଙ୍କ ଏହି ବକ୍ତବ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କ୍ରିକେଟ୍ ପ୍ରଶଂସକ ତାଙ୍କ ସ୍ପଷ୍ଟବାଦୀତାକୁ ପ୍ରଶଂସା କରୁଛନ୍ତି। ଦ୍ରୁତ ବୋଲର ତନବୀର ଅହମ୍ମଦ ୨୦୧୦ ରୁ ୨୦୧୩ ମଧ୍ୟରେ ପାକିସ୍ତାନ ପାଇଁ ପାଞ୍ଚଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ ଏବଂ ୧୭ ୱିକେଟ୍ ନେଇଥିଲେ।
tanvir-ahmed | blasts-pakistan-players