ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇବେ ତପନ ପାଣିଗ୍ରାହୀ: ସୃଷ୍ଟି କରିଛନ୍ତି ଅନେକ ଜାତୀୟ-ଅନ୍ତର୍ଜାତୀୟ ସନ୍ତରଣ ତାରକା

ପୁରୀ ସହ ରହିଛି ଭାବପୂର୍ଣ୍ଣ ସଂପର୍କ, ପ୍ରସ୍ତାବ ମିଳି‌ଲେ ଓଡ଼ିଶା ଆସିବେ

ଭୁବନେଶ୍ବର: ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ)ର ପୂର୍ବତନ ସନ୍ତରଣ ପ୍ରଶିକ୍ଷକ ତପନ କୁମାର ପାଣିଗ୍ରାହୀଙ୍କ ନାମ ଦ୍ରୋଣାଚାର୍ଯ୍ୟ ଜୀବନବ୍ୟାପୀ ପୁରସ୍କାର ଲାଗି ସୁପାରିସ କରିଛି ଜାତୀୟ କ୍ରୀଡ଼ା ପୁରସ୍କାର ଚୟନସମିତି। ଓଡ଼ିଶାରେ ରହୁନଥିଲେ ମଧ୍ୟ ଶ୍ରୀ ପାଣିଗ୍ରାହୀଙ୍କର ଓଡ଼ିଶା ସହ ନିବିଡ଼ ସଂପର୍କ ରହିଛି। ସଂପ୍ରତି ମହାରାଷ୍ଟ୍ରର ପୁଣେରେ ରହୁଥିବା ଏହି ପ୍ରତିଷ୍ଠିତ ସନ୍ତରଣ ପ୍ରଶିକ୍ଷକଙ୍କ ଜେଜେ ବାପା ଥିଲେ ପୁରୀ ବାସିନ୍ଦା। ପରବର୍ତ୍ତୀ ସମୟରେ କିନ୍ତୁ ସେ ପଶ୍ଚିମବଙ୍ଗର ମେଦିନାପୁରକୁ ସ୍ଥାନାନ୍ତର ହୋଇଯାଇଥିଲେ। ସେହିଠାରେ ହିଁ ତପନଙ୍କ ଜନ୍ମ। ପିଲାବେଳ, ପାଠପଢ଼ା ସହ ସନ୍ତରଣ କ୍ୟାରିୟର ପଶ୍ଚିମବଙ୍ଗରେ ଆଗକୁ ବଢ଼ିଛି। ଓଡ଼ିଶାକୁ କିନ୍ତୁ ସେ ବହୁତ ଭଲ ପାଆନ୍ତି। ଭଲ ଭାବେ ଓଡ଼ିଆ କହି ପାରୁନଥିଲେ ମଧ୍ୟ ପୁରୀ ସହ ସେଥିପାଇଁ ତାଙ୍କର ଆବେଗଭରା ସଂପର୍କ ରହିଛି। ଭୁବନେଶ୍ବର ଓ ପୁରୀରେ ଏବେ ବି ତାଙ୍କର ବହୁ ସଂପର୍କିୟ ରୁହନ୍ତି। ଦ୍ରୋଣାଚାର୍ଯ୍ୟ ପୁରସ୍କାର ତାଲିକାରେ ସ୍ଥାନ ପାଇବା ନେଇ ବେଶ୍ ଖୁସି ଥିବା ଶ୍ରୀ ପାଣିଗ୍ରାହୀ କିଛି ଦିନ ଓଡ଼ିଶାରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏପରିକି ରାଜ୍ୟର ଏକନମ୍ବର ମହିଳା ସନ୍ତରଣ ତାରକା ପ୍ରତ୍ୟାଶା ରାୟଙ୍କ ସହ ଅନ୍ୟ କେତେକ ଓଡ଼ିଶା ପିଲାଙ୍କୁ ସନ୍ତରଣ ପ୍ରଶିକ୍ଷଣ ଦେଇଥିବା ସେ ଦାବି କରନ୍ତି। ସେହିଭଳି ତାଙ୍କ ପ୍ରଶିକ୍ଷଣରେ ଏକାଧିକ ଅଲିମ୍ପିଆନ୍ ସୃଷ୍ଟି ହୋଇଛନ୍ତି। ଭାରତୀୟ ସନ୍ତରଣ ପ୍ରତି କରିଥିବା ଅବଦାନ ଲାଗି ଶ୍ରେଷ୍ଠ ପ୍ରଶିକ୍ଷକ ଭାବେ ତାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିବାକୁ ଯାଉଛି। ଓଡ଼ିଶା ବାହାରେ ରହି ଓଡ଼ିଆଙ୍କୁ ଗର୍ବିତ କରୁଥିବା ସଫଳ ପ୍ରଶିକ୍ଷକଙ୍କ ମଧ୍ୟରୁ ସେ ଅନ୍ୟତମ। ଏହା ପୂର୍ବରୁ ବ୍ରହ୍ମପୁରର ବଡ଼ଖେମୁଣ୍ଡି ବାସିନ୍ଦା ବ୍ରଜଭୂଷଣ ମହାନ୍ତି ଜାତୀୟ ମୁଷ୍ଟିଯୁଦ୍ଧ ପାଇଁ କରିଥିବା ବଳିଷ୍ଠ ଅବଦାନ ଲାଗି ୨୦୧୭ ମସିହାରେ ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଲାଭ କରିଥିଲେ। ସେନାରେ ଚାକିରି କରି ବହୁ ଭାରତୀୟ ମୁଷ୍ଟିଯୋଦ୍ଧା ସୃଷ୍ଟି କରିଥିଲେ ବ୍ରଜ ଭୂଷଣ।

‘‘ମୋ ଜେଜେ ବାପା ଥିଲେ ପୁରୀର ବାସିନ୍ଦା। ହେଲେ ମୁଁ ପଶ୍ଚିମବଙ୍ଗର ପାଣିପାଗରେ ବଢ଼ିଛି। ଓଡ଼ିଶା‌ରେ କିଛି ଦିନ କାମ ବି କରିଛି। ପ୍ରତିଷ୍ଠିତ ସନ୍ତରଣ ପ୍ରଶିକ୍ଷକ ସୁରେନ୍ଦ୍ର ନାଏକ ମୋର ଭଲ ବନ୍ଧୁ। ମୁଁ ପ୍ରତ୍ୟାଶା ରାୟଙ୍କୁ ବି ପ୍ରଶିକ୍ଷଣ ଦେଇଛି। ଓଡ଼ିଶା କ୍ରୀଡ଼ା ନିର୍ଦ୍ଦେଶକ ଏକଦା ମୋତେ ଫୋନ୍ କରି ଓଡ଼ିଶା ଆସିବାକୁ କହିଥିଲେ। ଭଲ ପ୍ରସ୍ତାବ ମିଳିଲେ ମୁଁ ନିଶ୍ଚୟ ଓଡ଼ିଶ‌ାରେ କାମ କରିବାକୁ ଭଲ ପାଇବି। ଓଡ଼ିଶାରେ କିଛି ଭଲ ସନ୍ତରଣ ତାରକା ସୃଷ୍ଟି କରିବାକୁ ମୋର ଲକ୍ଷ୍ୟ ଅଛି। ଦ୍ରୋଣାଚାର୍ଯ୍ୟ ପୁରସ୍କାର ଲାଗି ମନୋନୀତ ହୋଇଥିବାରୁ ବହୁତ ଖୁସି ଲାଗୁଛି’’ ବୋଲି ‘ସମ୍ବାଦ’ ସହ କଥା ହେଲା ବେଳେ କହିଛନ୍ତି ଶ୍ରୀ ପାଣିଗ୍ରାହୀ। ସୂଚନାଯୋଗ୍ୟ ଯେ ନିଜ ଲମ୍ବା ସମୟ ପ୍ରଶିକ୍ଷଣ ଜୀବନରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳିଙ୍କୁ ସୃଷ୍ଟି କରିଥିବା ଶ୍ରୀ ପାଣିଗ୍ରାହୀଙ୍କ ଝିଅ ଅନନ୍ୟା ପାଣିଗ୍ରାହୀ ଏକଦା ଭାରତର ଏକନମ୍ବର ମହିଳା ସନ୍ତରଣ ତାରକା ଥିଲେ। ଅନନ୍ୟା ବିଶ୍ବ ସ୍କୁଲ ସନ୍ତରଣ ସହ ଅନେକ ଅନ୍ତର୍ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିଥିଲେ। ‌

ଦ୍ରୋଣାଚାର୍ଯ୍ୟ ପୁରସ୍କାର : ଦ୍ରୋଣାଚାର୍ଯ୍ୟ (ନିୟମିତ): ପ୍ରୀତମ ସିୱାଚ (ହକି), ସନ୍ଦୀପ ସଙ୍ଗୱାନ (ହକି), ସୁଜିତ ମାନ୍ (କୁସ୍ତି), ଏମ୍ ରମଣ (ଟେବୁଲ ଟେନିସ୍), ସଂଧ୍ୟା ଗୁରଙ୍ଗ (ମୁଷ୍ଟିଯୁଦ୍ଧ), ପି ରାଧାକୃଷ୍ଣ ନାୟର (ଦୌଡ଼କୁଦ)। ଦ୍ରୋଣାଚାର୍ଯ୍ୟ (ଜୀବନବ୍ୟାପୀ): ଟିପି ଓସେଫ (ଦୌଡ଼କୁଦ), ମୁରଲୀ ଧରନ୍ (ବ୍ୟାଡମିଣ୍ଟନ୍), ଭାସ୍କର ଭଟ (ମୁଷ୍ଟୁଯୁଦ୍ଧ), ସରକାର ତଲୱାର (କ୍ରିକେଟ୍), ସିଆର କୁମାର (ହକି), ସର୍ପାଲ ସିଂହ (ହକି), ଅସନ କୁମାର (କବାଡ଼ି), ଜଗରୂପ ରାଠୀ (କୁସ୍ତି), ତପନ କୁମାର ପାଣିଗ୍ରାହୀ (ସନ୍ତରଣ)।
ଅର୍ଜୁନ ପୁରସ୍କାର: ଅର୍ପିନ୍ଦର ସିଂହ (‌ଦୌଡ଼କୁଦ), ସିମରନଜିତ କୌର (ମୁଷ୍ଟିଯୁଦ୍ଧ), ସିଏ ଭବାନୀ ଦେବୀ (ଅସିଚାଳନା), ଶିଖର ଧାୱନ (କ୍ରିକେଟ୍), ମୋନିକା ଦାହିଆ (ହକି), ବନ୍ଦନା କଟାରିଆ (ହକି), ସନ୍ଦୀପ ନରୱାଲ (କବାଡ଼ି), ହିମାନୀ ପରବ (ମଲଖମ୍ବ), ଅଭିଷେକ ବର୍ମା (ବନ୍ଧୁକଚାଳନା), ଅଙ୍କିତା ରାଇନା (ଟେନିସ୍), ଦୀପକ ପୁନିଆ (କୁସ୍ତି), ହରମନପ୍ରୀତ ସିଂହ (ହକି), ରୂପୀନ୍ଦର ପାଲ ସିଂହ (ହକି), ସୁରେନ୍ଦ୍ର କୁମାର (ହକି), ଅମିତ ରୋହିଦାସ (ହକି), ବୀରେନ୍ଦ୍ର ଲାକ୍ରା (ହକି), ହାର୍ଦିକ ସିଂହ (ହକି), ବିବେକ ସାଗର ପ୍ରସାଦ (ହକି), ନୀଳକାନ୍ତ ଶର୍ମା (ହକି), ସୁମିତ (ହକି), ସମସେର ସିଂହ (ହକି), ଦିଲପ୍ରୀତ ସିଂହ (ହକି), ଗୁରଜାନ୍ତ ସିଂହ (ହକି), ଲଳିତ କୁମାର ଉପାଧ୍ୟାୟ (ହକି), ମନଦୀପ ସିଂହ (ହକି), ବରୁଣ କୁମାର (ହକି), ସିମରନଜିତ ସିଂହ (ହକି), ଭାବିନା ପଟେଲ (ପାରା ବ୍ୟାଡମିଣ୍ଟନ୍), ଯୋଗେଶ କାଥୁନିଆ (ପାରାଦୌଡ଼କୁଦ), ସିଙ୍ଗରାଜ ଅଧୁନା (ପାରା ସୁଟିଂ), ପ୍ରବୀଣ କୁମାର (ଦୌଡ଼କୁଦ), ଶରଦ କୁମାର ( ପାରା ଦୌଡ଼କୁଦ), ହରବୀନ୍ଦର ସିଂହ (ପାରା ତୀରନ୍ଦାଜି), ସୁହାସ ୟଥିରାଜ ( ପାରା ବ୍ୟାଡମିଣ୍ଟନ୍)।

ସମ୍ବନ୍ଧିତ ଖବର