ଭାରତ ପାଇଁ ଖେଳିବା ଲକ୍ଷ୍ୟରେ ତରାନ୍ନା

ଅଷ୍ଟମ ଶ୍ରେଣୀରୁ ଆଗମନ, ବ୍ୟାଟର୍‌ରୁ ବୋଲିଂ ଅଲ୍‌ରାଉଣ୍ଡର୍‌

ଭୁବନେଶ୍ବର (ସୁରେଶ ସ୍ବାଇଁ): ଓଡ଼ିଶା କ୍ରିକେଟ୍‌ର ଉଦୀୟମାନ ମହିଳା ଅଲ୍‌ରାଉଣ୍ଡର୍‌ ତରାନ୍ନା ପ୍ରଧାନ ସରୋଜ ମହାସୁଆର ସ୍ମାରକୀ ଶ୍ରେଷ୍ଠ ଯୁବ କ୍ରିକେଟର୍‌ ସମ୍ମାନ ପାଇବା ପରେ ଉଲ୍ଲସିତ ହୋଇପଡ଼ିଛନ୍ତି। ପ୍ରଥମ ଥର ପାଇଁ ମୁଁ ଏକ ପୁରସ୍କାର ଜିତିବାର ଅଭିଜ୍ଞତା ଓ ଅନୁଭବ ପାଇଥିବାରୁ ଉତ୍ସାହିତ ହୋଇଛି। ଏହା ମୋତେ ଆଗକୁ ବଢ଼ିବାକୁ ନିଶ୍ଚିତ ପ୍ରୋତ୍ସାହିତ କରିବ। ଏଭଳି ଏକ ସମ୍ମାନ ପାଇବା ଲାଗି ମୋତେ ଗଢ଼ି ତୋଳିଥିବାରୁ ମୁଁ ପ୍ରଥମେ ମୋ କ୍ରିକେଟ୍‌ ଗୁରୁ କ୍ଷୀରୋଦ ସାର୍ (କ୍ଷୀରୋଦ ବେହେରା)ଙ୍କୁ ଦେବି। ‌କୌଣସି କ୍ରୀଡ଼ା ପୃଷ୍ଠଭୂମି ପରିବାରରୁ ଆସିନଥିଲେ ମଧ୍ୟ ମୋତେ ପିତାମାତା ଉତ୍ସାହିତ କରି ଆସିଛନ୍ତି। ମୋର ପରବର୍ତୀ ଲକ୍ଷ୍ୟ ଓଡ଼ିଶା ସିନିୟର୍‌ ଦଳରୁ ଖେଳିବା ଏବଂ ଭବିଷ୍ୟତରେ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିବା ମୋ ଖେଳ ଜୀବନର ସ୍ବାଭାବିକ ଲକ୍ଷ୍ୟ ହେବ ବୋଲି ପୁରସ୍କାର ଗ୍ରହଣର କିଛି ସମୟ ପୂର୍ବରୁ ‘ସମ୍ବାଦ’ ସହ କଥା ହେବା ବେଳେ ପ୍ରକାଶ କରିଥିଲେ ତରାନ୍ନା।

ଅଷ୍ଟମ ଶ୍ରେଣୀରୁ ଆଗମନ
ଖୋର୍ଦ୍ଧାର ମୂଳ ଅଧିବାସୀ ତରାନ୍ନାଙ୍କ ପିତା ଧର୍ମେନ୍ଦ୍ର କୁମାର ପ୍ରଧାନ ସିଆରପିଏଫ୍‌ରେ ନିଯୁକ୍ତ ଥିବାରୁ ତାଙ୍କୁ ଦେଶର ବିଭିନ୍ନ ପ୍ରାନ୍ତରେ ରହିବାକୁ ପଡ଼ିଥିଲା। ଖେଳକୁଦ ପ୍ରତି ଝିଅର ଦୁର୍ବଳତାକୁ ଦେଖି ମା’ ଗାୟତ୍ରୀ ପ୍ରଧାନ ହିଁ ପ୍ରଥମେ ବିଧିବଦ୍ଧ କ୍ରିକେଟ୍‌ ଖେଳିବା ଲାଗି ପରାମର୍ଶ ଦେଇଥିଲେ। ଜଣେ ପରିଚିତ ଲୋକଙ୍କ ପରାମର୍ଶ କ୍ରମେ ନୂଆପଲ୍ଲୀସ୍ଥିତି ଏସ୍‌ଜିଓ ପଡ଼ିଆରେ ଜାଗୃତି କ୍ରିକେଟ୍‌ ଏକାଡେମିରେ ସାମିଲ ହେବା ପରେ ତରାନ୍ନାଙ୍କ ଖେଳ ଜୀବନ ପ୍ରଷ୍ଫୁଟିତ ହୋଇଛି। କେନ୍ଦ୍ରୀୟ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ତରାନ୍ନା କ୍ରିକେଟ୍‌କୁ କ୍ୟାରିୟର୍ କରିବାକୁ ଆସିଥିଲେ। ଏବେ ଆଗକୁ ଆଗକୁ ବଢ଼ି ଚାଲେଞ୍ଜର୍ସ ଟ୍ରଫିରେ‌ ଖେଳିବା ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ପ୍ରତିଭାର ଝଲକ ଦେଖାଇଛନ୍ତି। ୨୦୧୬-୧୭ ଋତୁରେ ରାଜ୍ୟ ୧୯ ବର୍ଷରୁ କମ୍‌ ମହିଳା ଦଳରୁ ପ୍ରତିନିଧିତ୍ବ କରି ଆସାମ ବିପକ୍ଷରେ କରିଥିବା ପଦାର୍ପଣକୁ ସ୍ମରଣୀୟ ବିବେଚନା କରନ୍ତି ତରାନ୍ନା।
ଝୁଲନ, ସୁଶ୍ରୀ ପ୍ରେରଣା
ଭାରତୀୟ ଦଳର ପୂର୍ବତନ ଅଧିନାୟିକା ଝୁଲନ ଗୋସ୍ବାମୀ ଏବଂ ଓଡ଼ିଶାର ଅନ୍ୟତମ ପ୍ରତିଭା ସମ୍ପନ୍ନ କ୍ରିକେଟର୍‌ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନଙ୍କ ପ୍ରେରଣା ତରାନ୍ନାଙ୍କ ପ୍ରେରଣାର ଉତ୍ସ ପାଲଟିଛି। ଝୁଲନଙ୍କ ଖେଳକୁ‌‌ ଦେଖି ସେ ପ୍ରଭାବିତ ହୋଇଥିବା ବେଳେ କୌଣସି ପୁରୁଷ ଭାରତୀୟ କ୍ରିକେଟରଙ୍କୁ ଅନୁସରଣ କରନ୍ତି ନାହିଁ ବୋଲି ତରାନ୍ନା ପ୍ରକାଶ କରିଥିଲେ। ନିଜ କ୍ଲବ୍‌ର ସୁଶ୍ରୀ ‌ଦିବ୍ୟଦର୍ଶିନୀଙ୍କୁ କିନ୍ତୁ ଅନୁସରଣ କରି ବୋଲିଂ ଅଲ୍‌ରାଉଣ୍ଡର୍‌ ହେବାକୁ ଚେଷ୍ଟା କରିଛନ୍ତି। ସୁଶ୍ରୀ ‌ଦିଦିଙ୍କ କଠିନ ପରିଶ୍ରମକୁ ମୁଁ ଦେଖି ଆସିଛି ଏବଂ କ୍ଷୀରୋଦ ସାର୍‌ଙ୍କ ଯତ୍ନ ମୋତେ ଏତେ ବାଟ ଆଣିଛି ବୋଲି ପ୍ରକାଶ କରିଥିଲେ ତରାନ୍ନା।
ୱିକେଟ୍‌ ଦଖଲ ଦକ୍ଷତା ଭଲ: କ୍ଷୀରୋଦ
ରାଜ୍ୟକୁ ବହୁ ମହିଳା କ୍ରିକେଟର୍ ପ୍ରଦାନ କରିଥିବା କ୍ଷୀରୋଦ ବେ‌ହେରା ଦୃଢ଼ ଆତ୍ମବିଶ୍ବାସ ତରାନ୍ନାଙ୍କ ଭବିଷ୍ୟତକୁ ନେଇ। ତରାନ୍ନାଙ୍କ ନିକଟରେ ଥିବା ୱିକେଟ୍‌ ଦଖଲ ଦକ୍ଷତା ମୋତେ ବିଶେଷ ପ୍ରଭାବିତ କରିଛି। ଖେଳ ଜୀବନର ପ୍ରାରମ୍ଭରେ ସେ ଭଲ ବ୍ୟାଟିଂ ବି କରୁଥିଲା, କିନ୍ତୁ ତା’ର ଉଚ୍ଚତା ଓ ଦକ୍ଷତାକୁ ଦେଖି ମୁଁ ବୋଲିଂ କରିବାକୁ ପରାମର୍ଶ ଦେଇଥିଲି। ବଡ଼ ପରିଶ୍ରମୀ ଓ ଶୃଙ୍ଖଳିତ ପିଲାଟିଏ ସେ। ଯେତେବେଳେ ଖୋଜିବ ପଡ଼ିଆରେ ଥିବ। ସୁଶ୍ରୀ ଓ ପ୍ରଜ୍ଞା ମହାନ୍ତିଙ୍କ ସହ ‌ଖେଳି ନିଜ ଜୀବନ ଗଢ଼ିଛି। ଜାଗୃତି କ୍ରିକେଟ୍‌ ଏକାଡେମିରେ ପୁରୁଷ ବର୍ଗର ଅଭିଜ୍ଞ‌ ‌ଖେଳାଳିମାନଙ୍କୁ ଭଲ ଗତିରେ ବୋଲିଂ କରିବାରୁ ଫାଇଦା ବି ତାକୁ ମିଳିଛି। ବରିଷ୍ଠ ବର୍ଗରେ ଖେଳିଲେ ନିଶ୍ଚିତ ସେ ଅଧିକ ଶାଣିତ ହୋଇଯିବ ବୋଲି ପ୍ରକାଶ କରିଥ‌ିଲେ କ୍ଷୀରୋଦ।

ବ୍ୟାଟର୍‌ରୁ ବୋଲିଂ ଅଲ୍‌ରାଉଣ୍ଡର୍‌
୪ ବର୍ଷ ତଳେ ରାଜ୍ୟ ଦଳରୁ ପଦାର୍ପଣ ବେଳେ ବ୍ୟାଟିଂରେ ପାଳି ଆରମ୍ଭ କରିଥିଲେ ତରାନ୍ନା। ଏବେ କିନ୍ତୁ ନିଜକୁ ଜଣେ ବୋଲିଂ ଅଲରାଉଣ୍ଡର୍ ଭାବେ ଉପସ୍ଥାପିତ କରିସାରିଛନ୍ତି। ଏଭଳି ପରିବର୍ତ୍ତନ ସମ୍ପର୍କରେ ପ୍ରଶ୍ନ ହେବାରୁ ତରାନ୍ନା କହିଥିଲେ ମାତ୍ର ୨ ବର୍ଷ ତଳେ ମୁଁ ବୋଲିଂ ଉପରେ ଏକାଗ୍ରତା ଦେଇଥିଲି। ବିଗତ ଋତୁରେ ୧୯ ଓ ୨୩ ବର୍ଷରୁ କମ୍‌ ବର୍ଗରେ ରାଜ୍ୟର ଅଗ୍ରଣୀ ବୋଲର ହେବା ମୋତେ ଢେର ଆତ୍ମବିଶ୍ବାସ ଦେଇଛି। ପରିବାର ଲୋକଙ୍କ ସମର୍ଥନ ଏବଂ ଗୁରୁଙ୍କ ମାର୍ଗଦର୍ଶନ ମୋତେ ଆଗକୁ ଯିବାକୁ ପ୍ରେରଣା ଯୋଗାଇଛି।

 

ସମ୍ବନ୍ଧିତ ଖବର