ଫିଫା ବିଶ୍ବକପ୍‌ ଲକ୍ଷ୍ୟରେ ପ୍ରତିଭା ଅନ୍ବେଷଣ ଯୋଜନା, ଓଡ଼ିଶା ସରକାରଙ୍କୁ ଏଆଇଏଫଏଫ୍ ପ୍ରଶଂସା

ନୂଆଦିଲ୍ଲୀ: ଭାରତକୁ ଏକ କ୍ରୀଡ଼ା ଶକ୍ତି ଭାବେ ପରିଣତ କରିବାକୁ ସରକାର ଫୁଟ୍‌ବଲ୍‌ ଉପରେ ବିଶେଷ ଗୁରୁତ୍ବ ଦେବେ। ସାରା ଦେଶରେ ପ୍ରତିଭା ଅନ୍ବେଷଣ କରିବା ଲାଗି ୫ଟି ଜୋନ୍‌ରେ ସମିତି ଗଠନ କରାଯିବ। ଫିଫା ବିଶ୍ବକପ୍‌କୁ ଯୋଗ୍ୟତା ଏହାର ପ୍ରମୁଖ ଲକ୍ଷ୍ୟ ହେବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ସୋମବାର ସୁନିଲ ଛେତ୍ରୀଙ୍କ ୩୬ତମ ଜନ୍ମ ଦିନ ଅବସରରେ ଦିଲ୍ଲୀ ଫୁଟ୍‌ବଲ୍‌ ଦ୍ବାରା ଆୟୋଜିତ ଭର୍ଚୁଆଲ୍‌ କାର୍ଯ୍ୟକ୍ରମରେ ପ୍ରକାଶ କରିଛନ୍ତି। ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘର ସହ ସହଭାଗିତାରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଅନୁଦାନ ଚାଲୁଥିବା ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ପ୍ରତିଭା ଅନ୍ବେଷଣ କରାଯିବ। ଏହା ଏକ ସୁନ୍ଦର ପଦକ୍ଷେପ ହେବ। ଆସନ୍ତା କିଛି ମାସ ମଧ୍ୟରେ ସମିତି ଗଠନ କରାଯିବ ବୋଲି ରିଜିଜୁ ପ୍ରକାଶ କରିଛନ୍ତି।
ସାଧାରଣ ନୁହେଁ ଆମକୁ ପେସାଗତ ଉପରେ କାର୍ଯ୍ୟ କରିବାକୁ ପଡ଼ିବ। ଏଥିଲାଗି ଉତ୍ତର-ପୂର୍ବ, କେନ୍ଦ୍ରୀୟ ଭାରତର ଆଦିବାସୀ ଅଞ୍ଚଳ, ଉପକୂଳବର୍ତ୍ତୀ ଅଞ୍ଚଳ, ଦକ୍ଷିଣ କିମ୍ବା ଉତ୍ତରରେ ୧୨ ବର୍ଷରୁ କମ୍ ପ୍ରତିଭାବାନ ପିଲାମାନଙ୍କୁ ଖୋଜିବାକୁ ପଡ଼ିବ। ଯଦି ଆମେ ୧୦-୧୫ ବର୍ଷ ମଧ୍ୟରେ ଅଲିମ୍ପିକ୍ସ ଏବଂ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଚାହୁଁଛୁ ତେବେ ଆମକୁ ୧୨ ବର୍ଷରୁ କମ୍ ପିଲାମାନଙ୍କୁ ଖୋଜି ପ୍ରଶିକ୍ଷଣ ପ୍ରଦାନ କରିବାକୁ ପଡ଼ିବ। ମୋର ବିଶ୍ବାସ ଆମେ ଏହା କରିପାରିବା। ଫୁଟ୍‌ବଲ୍‌ ବିଶ୍ବର ସବୁଠାରୁ ଲୋକପ୍ରିୟ ଖେଳ। ଏହି ଖେଳରେ ଆମେ ଅଗକୁ ବଢ଼ିଲେ ଭାରତ କ୍ରୀଡ଼ା ଶକ୍ତିରେ ପରିଣତ ହେବ ବୋଲି ସେ କହିଛନ୍ତି। ଏଆଇଏଫ୍‌ଏଫ୍‌ ମାର୍ଗଦର୍ଶନରେ ଆମେ ଏହି ସମିତିରେ ପୂର୍ବତନ ଖେଳାଳିଙ୍କ ସହ ଫୁଟ୍‌ବଲ୍ ଜାଣିଥିବା ଲୋକଙ୍କୁ ରଖିବୁ। ତୃଣମୂଳସ୍ତରରେ ଯେପରିକି ପଞ୍ଚାୟତ ଓ ପୌରପାଳିକାସ୍ତରରେ ପ୍ରତିଭା ଅନ୍ବେଷଣ ଲାଗି ସ୍ଥାନୀୟ ଲିଗ୍ ଆୟୋଜନ କରିବାକୁ ରାଜ୍ୟ ସରକାର ଓ ମହାସଂଘକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ମନ୍ତ୍ରଣାଳୟ ଚିନ୍ତା କରୁଛି ବୋଲି ରିଜିଜୁ କହିଛନ୍ତି। ସୂଚନାଯୋଗ୍ୟ ଯେ ଏହି ଭର୍ଚୁଅଲ୍‌ କାର୍ଯ୍ୟକ୍ରମରେ ରିଜିଜୁଙ୍କ ସହ ଏଆଇଏଫ୍‌ଏଫ୍‌ ସଭାପତି ପ୍ରଫୁଲ୍ଲ ପଟେଲ, ସୁନିଲ ଛେତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।

ବିଶ୍ବକପ୍‌ ବିରଳରେ ୩ ଭାଇ ଭଉଣୀ
ରକ୍ଷା ବନ୍ଧନ ଅବସରରେ ଭାରତୀୟ ଫୁଟ୍‌ବଲ୍‌ର ବିଶ୍ବକପ୍‌ ଗୌରବ ବହନ କରିଥିବା ୩ ମଣିପୁରୀ ଭାଇ ଭଉଣୀଙ୍କ ଚର୍ଚା ହୋଇଥିଲା। ୨୦୧୭ ମସିହାରେ ଭାରତରେ ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ଫିଫା ବିଶ୍ବକପ୍‌ ଭାରତୀୟ ଦଳର ନେତୃତ୍ବ ନେଇଥିଲେ ଅମରଜିତ୍ ସିଂହ। ତାଙ୍କ ଭାଇ ଜିକ୍‌ସନ୍‌ ସିଂହ ଥୌନାଜାମ୍‌ ମଧ୍ୟ ଫିଫା ବିଶ୍ବକପ୍‌ରେ ପ୍ରଥମ ଗୋଲ ସ୍କୋରର୍ ହୋଇଥିଲେ। ଏବେ ଆସନ୍ତାବର୍ଷ ଭାରତରେ ଖେଳାଯିବାକୁ ଥିବା ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ୍‌ ପାଇଁ ଭାରତୀୟ ସମ୍ଭାବ୍ୟ ଦଳରେ ରହିଛନ୍ତି ଉଭୟଙ୍କ ଭଉଣୀ କ୍ରିତିକା‌ ଦେବୀ। ଭାରତୀୟ ଚୂଡାନ୍ତ ଦଳରେ କ୍ରିତିକା ସୁଯୋଗ ପାଇଲେ ଏହି ଭାଇ ଭଉଣୀ ବିରଳ କୃତିତ୍ବ ଅର୍ଜନ କରିବେ। ଅମରଜିତ୍ ଭାରତୀୟ ବରିଷ୍ଠ ଦଳରୁ ଖେଳି ସାରିଛନ୍ତି। ଜିକ୍‌ସନ୍‌ କେରଳା ବ୍ଲାଷ୍ଟର୍ସ ପକ୍ଷରୁ ଆଇଏସଏଲ୍ ଖେଳୁଛନ୍ତି।

ସମ୍ବନ୍ଧିତ ଖବର