କୋଟ୍‌ଲା ଟେଷ୍ଟ୍‍ରେ ମାଇଲଖୁଣ୍ଟ ଆଶା

ନୂଆଦିଲ୍ଲୀ: ଶନିବାରଠାରୁ ଭାରତ-ଶ୍ରୀଲଙ୍କା ତୃତୀୟ ତଥା ଶେଷ ଟେଷ୍ଟ୍‍ ଫିରୋଜ ସାହା କୋଟ୍‌ଲା ପଡ଼ିଆରେ ଖେଳାଯିବ। ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଏହା ବିରାଟ ବାହିନୀର ଶେଷ ଟେଷ୍ଟ୍‍ ହେବ। ଭାରତୀୟ ଦଳ କୋଟ୍‌ଲା ବିଜୟ ସହିତ କିନ୍ତୁ ମାଇଲଖୁଣ୍ଟ୍‌ ପ୍ରତିଷ୍ଠା ଲକ୍ଷ୍ୟରେ ରହିଛି। ଦ୍ୱିତୀୟ ଥର ପାଇଁ ଲଗାତାର ନବମ ଟେଷ୍ଟ୍‍ ଶୃଙ୍ଖଳା ବିଜୟର ସମକକ୍ଷ ଯୋଜନାରେ ରହିଛି କୋହଲି ଦଳ। ଅକ୍ଟୋବରରେ ଦୁବାଇରେ ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ଶୃଙ୍ଖଳାକୁ ୨-୦ରେ ଜିତି ଦୀନେଶ ଚାନ୍ଦିମାଳଙ୍କ ଦଳ ଭାରତ ଗସ୍ତକୁ ସକରାତ୍ମକ ମନୋଭାବ ନେଇ ଆସିଥିଲେ। କିନ୍ତୁ ଭାରତ ମାଟିରେ ଟେଷ୍ଟ୍‍ ବିଜୟଟିଏ ପାଇବାର ଅଧୁରା ସ୍ୱପ୍ନକୁ ଦଳ ପୂର୍ଣ୍ଣ କରିବାର କୌଣସି ଦାବିଦାର ରଖିନାହିଁ। କୋଲ୍‌କାତା ଟେଷ୍ଟ୍‍ରେ ୧୭୨ ରନ୍‌ରେ ଭାରତକୁ ଅଲଆଉଟ୍‌ କରିଦେବା ପରଠାରୁ ସିଂହଳୀ ଦଳ ଏବେ ପଛଧାଡ଼ିକୁ ଚାଲିଯାଇଛି। ଇଡେନ୍‌ରେ ଦୁଇ ଦିନ ବର୍ଷା ସତ୍ତ୍ୱେ ଶ୍ରୀଲଙ୍କା ପରାଜୟ ମୁହଁରୁ ବର୍ତିଯାଇଥିଲା। ନାଗପୁରର ବ୍ୟାଟିଂ ଟ୍ରାକ୍‌ରେ ୨୦୫ ଓ ୧୬୬ ରନ୍‌ରେ ଆଉଟ୍‌ ହୋଇ ଭାରତକୁ ବୃହତ ବିଜୟ ସମର୍ପି ଦେଇଥିଲା। ଚଳିତ ଗସ୍ତରେ ଶ୍ରୀଲଙ୍କାର ବ୍ୟାଟସମ୍ୟାନ୍‌ ଓ୍ଵିକେଟ୍‌ ପିଛା ୧୯ ରନ୍‌ ହାରରେ ବ୍ୟାଟିଂ କରିଛନ୍ତି। ଚଳିତ ବର୍ଷ ଶ୍ରୀଲଙ୍କା ଗସ୍ତରେ ଭାରତ ସବୁ ଫର୍ମାଟକୁ ମିଶାଇ ୯-୦ରେ ଜିତିଥିବାରୁ ଏବେ ଟେଷ୍ଟ୍‍ ଧୂଲେଇର ଶିକାର ହେବା ଆଶଙ୍କାରେ ମଧ୍ୟ ରହିଛି।

କୋଲ୍‌କାତା ଓ ନାଗପୁର ଭଳି ଦିଲ୍ଲୀର ଫିରୋଜ ସାହା କୋଟ୍‌ଲାରେ ମଧ୍ୟ ସବୁଜ ପିଚ୍‌ ଅପେକ୍ଷା କରିଛି। ଦ୍ରୁତ ବୋଲିଂକୁ ସହାୟତା କରିବା ଭଳି ପିଚ୍‌ କୋହଲି ନିଜେ ବାଛିଛନ୍ତି। ସେ ଏହା ଦ୍ୱାରା ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି। ଭାରତୀୟ ଦ୍ରୁତ ବୋଲର ଭଲ ଅଭ୍ୟାସ ପାଇଥିଲେ। ଶ୍ରୀଲଙ୍କାର ସ୍ପିନ୍‌ କ୍ଷମତା ରଙ୍ଗନା ହେରାଥଙ୍କୁ ନିଷ୍ଫଳ କରି ଦେଇଥିଲେ। ଭାରତ ଯଦି କୋଟଲା ଟେଷ୍ଟ୍‍କୁ ଅମୀମାଂସିତ ବି ରଖେ ତେବେ ଲଗାତାର ନବମ ଟେଷ୍ଟ୍‍ ଶୃଙ୍ଖଳା ବିଜୟୀ ହୋଇ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସହ ସମକକ୍ଷ ହୋଇଯିବ।

ସମ୍ବନ୍ଧିତ ଖବର