ପରାଜୟକୁ ଚିହ୍ନି ପାରିଲେ ଗୌରବ ଆସେ: ବବିତା

ଅଲିମ୍ପିକ୍ସ ଲକ୍ଷ୍ୟ ଧା‌ର୍ଯ୍ୟ କଲେ ଏକଲବ୍ୟ ଝିଲ୍ଲୀ

ଭୁବନେଶ୍ବର: ପରାଜୟରୁ ନୂଆ ଆରମ୍ଭର ସୂତ୍ରପାତ ହୋଇଥାଏ। ଖେଳ ଜୀବନରେ ଅନେକ ଉତ୍‌ଥାନ ପତନ ରହିଛି ଓ ରହିବ। କିନ୍ତୁ ହାର ନ ମାନିବାକୁ ବାପା ସବୁବେଳେ କହୁଥିଲେ। ତେଣୁ ପରାଜୟକୁ ଚିହ୍ନି ପାରିଲେ ହିଁ ଆପଣମାନେ ଦେଶର ଗୌରବ ସହିତ ପିତାମାତା ଓ ପରିବାରର ସମ୍ମାନ ବଢ଼ାଇ ପାରିବେ ବୋଲି କହିଛନ୍ତି ଅଲିମ୍ପିଆନ୍‌ ତଥା ଖ୍ୟାତି ସମ୍ପନ୍ନ ମହିଳା କୁସ୍ତିଯୋଦ୍ଧା ବବିତା ଫୋଗଟ୍‌। ଶୁକ୍ରବାର ୨୭ତମ ଏକଲବ୍ୟ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଏହି ଅନ୍ୟତମ ଦବଙ୍ଗ ଚରିତ୍ର ଏଭଳି ଦାର୍ଶନିକ ଉକ୍ତିଭରା ଅଭିଜ୍ଞତା ବାଣ୍ଟିଥିଲେ। ଖେଳିବାକୁ ଯିବାବେଳେ ଜୟ ପରାଜୟକୁ ନେଇ ଚିନ୍ତିତ ନ ହେବାକୁ ପିତା (ଦ୍ରୋଣାଚାର୍ଯ୍ୟ ମହାବୀର ସିଂହ ଫୋଗଟ୍‌) ସବୁବେଳେ କହୁଥିଲେ। କେବଳ ଏକମନ ହୋଇ ମ୍ୟାଟ୍‌ ଉପରେ ନିଜ ୧୦୦ ପ୍ରତିଶତ ଦେବାକୁ ପରାମର୍ଶ ଦେଉଥିଲେ। ଏହା ହିଁ ଦେଶକୁ ଗୀତା-ବବିତା ଭଳି ଦୁଇ ଭଉଣୀଙ୍କୁ ସଫଳ କୁସ୍ତିବିତ୍‌ ଭାବେ ଗଢ଼ି ତୋଳିଛି ବୋଲି କହିଥିଲେ ଚଳିତ ମାସରେ ବିବାହିତ ବବିତା। ପିତା ମହାବୀରଙ୍କୁ ବି ‘ଅସଲ ଶକ୍ତିମାନ’ ଆଖ୍ୟା ଦେଇଥିଲେ ୩୦ ବର୍ଷୀୟା ବବିତା। ଯେ କୌଣସି ସମସ୍ୟା‌ ନେଇ ପିତାଙ୍କ ପାଖକୁ ଗଲେ ସେ ଅତି ସହଜରେ ସମାଧାନ କରି ଦେଉଥିଲେ। ଏଥି ପାଇଁ ମୁଁ ନିଜକୁ ଭାଗ୍ୟବାନ ମଣିଥାଏ, ଯାହା ସମସ୍ତଙ୍କ ଭାଗ୍ୟରେ ବିଶେଷ କରି ଝିଅଙ୍କ ଭାଗ୍ୟରେ ମିଳିନଥାଏ। ସମସ୍ତଙ୍କୁ ଏଭଳି ପିତାମାତା ମିଳନ୍ତୁ ବୋଲି ମୁଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି। ପ୍ରାୟତଃ ଆଗକୁ ଝିଅମାନେ ଘରୁ ବାହାରିଲେ ପିତାମାତା କ’ଣ କରିବୁ ନ କରିବୁ କହିଥାନ୍ତି। ‌ଆମକୁ କିନ୍ତୁ ପିତା କହୁଥିଲେ ‘କିଛି ଆରମ୍ଭ କରିବ ନାହିଁ, କିନ୍ତୁ କେହି ଆରମ୍ଭ କଲେ ଛାଡ଼ିକି ଆସିବ ନାହିଁ’। ଏହି ଅବସରରେ ବବିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା ‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ୍‌’ରେ ସବୁ ଶ୍ରେଣୀର ନାଗରିକଙ୍କ ସାମିଲ ହେବାକୁ ଆହ୍ବାନ ଦେଇଥିଲେ। ଏହା ସମସ୍ତଙ୍କୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିବା ଲାଗି ଏକ ଅଭିନବ ପ୍ରୟାସ ବୋଲି ରାଜ୍ୟଗୋଷ୍ଠୀ ଏବଂ ବିଶ୍ବ ପ୍ରତ‌ିଯୋଗିତାରେ ପଦକ ଜିତିଥିବା ବବିତା ପ୍ରକାଶ କରିଥିଲେ।

ସ୍ବାମୀଙ୍କ ସହ ଜଗନ୍ନାଥ ଦର୍ଶନ କରିବି
ଓଡ଼ିଶାକୁ ମୁଁ ଦ୍ବିତୀୟ ଥର ଆସିଛି। ୧୨ ବର୍ଷ ତଳେ ପୁରୀରେ ଜାତୀୟ ପ୍ରତିଯୋଗିତା ଖେଳିଥିଲି। ଓଡ଼ିଶା ଇତିମଧ୍ୟରେ ଅନେକ ବଦଳିଯାଇଛି। ଦେଶର ଦ୍ରୁତତମ ଧାବିକା ଦୂତି ଚାନ୍ଦଙ୍କୁ ଜାଣିଛି ଏବଂ ଭେଟିଛି। ପାତିଆଲାରେ ଆମେ ଏଥର ଆସିଛି ନିଶ୍ଚିତ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ଫେରିବି। ଖୁବ୍ ଶୀଘ୍ର ପତି ବିବେକଙ୍କ ସହ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବାକୁ ଆସିବି ବୋଲି ବେଶ ଉଲ୍ଲସିତ ଥିବା ବବିତା ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ଚଳିତ ମାସ ଡିସେମ୍ବର ପହିଲାରେ ବବିତା ନିଜ କୁସ୍ତି ସାଥୀ ବିବେକ ସୁହାଗଙ୍କୁ ବିବାହ କରିଛନ୍ତି। ଏଥି ସହିତ ବବିତାଙ୍କ କୁସ୍ତି ପରିବାର ମଧ୍ୟ ଆଗକୁ ବଢ଼ିଛି। କୁସ୍ତିଗୁରୁ ମହାବୀର ସିଂହ ଫୋଗଟ୍‌ଙ୍କ ଅନ୍ୟ ୩ ଝିଅ ଗୀତା, ସଂଗୀତା ଏବଂ ରିତୁ ମଧ୍ୟ କୁସ୍ତିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଢେର ସୁନାମ କମାଇଛନ୍ତି। ଏହି ପରିବାର ଉପରେ ଆଧାରିତ ବଲିଉଡ୍‌ ଚଳଚ୍ଚିତ୍ର ‘ଦଙ୍ଗଲ’ ମଧ୍ୟ ବେଶ ସଫଳତା ଛୁଇଁଛି। ପିତା ଓ ପରିବାର ପରେ ମୁଁ ମଧ୍ୟ ଏଭଳି ଜଣେ ପତିଙ୍କୁ ପାଇଛି ଯିଏ ମୋ ପଛରେ ଥିଲେ କିଛି ବି ଡ଼ର ଲାଗେ ନାହିଁ ବୋଲି କହିଥିଲେ ବବିତା। ଦେଶବ୍ୟାପୀ କୁସ୍ତି ରହିଛି। କିନ୍ତୁ ହରିଆନା କୁସ୍ତିବିତ୍‌ମାନେ ଅଧିକ ସଫଳ ଏଇଥି ପାଇଁ ଯେ ଆମ ରାଜ୍ୟରେ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ କମ୍‌ ହୁଏ, ଗାଁ ଗହଳିରେ ଖାଣ୍ଟି ଗାଈ ଓ ମଇଁଶୀ କ୍ଷୀର ମିଳିଥାଏ। ପ୍ରାକୃତିକ ଖାଦ୍ୟ ହିଁ ଆମ ଶକ୍ତିର ଉତ୍ସ ବୋଲି କହିଥିଲେ ବବିତା। ଅଲିମ୍ପିକ୍‌ ଅବସୋସକୁ ପୂର୍ଣ୍ଣ କରିବାକୁ ମୁଁ ଚେଷ୍ଟା କରିବି ବୋଲି ମଧ୍ୟ ଏହି ଅବସରରେ ପ୍ରକାଶ କରିଥିଲେ ସେ। ଦଙ୍ଗଲ ସିନେମାରେ ଥିବା କାହାଣୀରେ ୯୦ ପ୍ରତିଶତ ସତ୍ୟତା ରହିଛି। ଗ୍ଲାମର ପାଇଁ ୧୦ ପ୍ରତିଶତ ମିଛ ଥିବା ମଧ୍ୟ ସ୍ବୀକାର କରିଥିଲେ।

ଭୁବନେଶ୍ବର: ରାଜ୍ୟର ମର୍ଯ୍ୟାଦାଜନକ ତଥା ସର୍ବପୁରାତନ କ୍ରୀଡ଼ା ସମ୍ମାନ ‘ଏକଲବ୍ୟ ପୁରସ୍କାର’ ଗ୍ରହଣ ପରେ ଉଦୀୟମାନ ଭାରୋତ୍ତୋଳିକା ଝିଲ୍ଲୀ ଦଳବେହେରା ନିଜ ଲକ୍ଷ୍ୟକୁ ଆଗକୁ ବଢ଼ାଇଛନ୍ତି। ‘କଠିନ ପରିଶ୍ରମର ମୂଲ୍ୟ ପାଇଛି। ଏଥିପାଇଁ ମୁଁ ଇମ୍ପାକ୍ଟକୁ ଧନ୍ୟବାଦ ଦେଉଛି। ପ୍ରଶିକ୍ଷକ ପି ଧର୍ମାରାଓଙ୍କୁ ସବୁ ଶ୍ରେୟ ଯିବ। ଏବେ ମୁଁ ୨୦୨୪ ଅଲିମ୍ପିକ୍ସରେ ଭାଗନେବାକୁ ଲମ୍ବା ସ୍ବପ୍ନ ଦେଖିଛି ଏବଂ ପଦକ ଜିତିବାର ବାସ୍ତବତାକୁ ପରଖି ଦେଖୁଛି ବୋଲି ଝିଲ୍ଲୀ କହିଛନ୍ତି। ପୁରସ୍କାର ଗ୍ରହଣ ପରେ ମଞ୍ଚ ଉପରେ ନିଜ ଆନନ୍ଦାଶ୍ରୁକୁ ବି ରୋକି ନ ପାରି କାନ୍ଦି ପକାଇଥିଲେ ଝିଲ୍ଲୀ। ଦିନେ ମୁଁ କ୍ରୀଡ଼ା ଛାତ୍ରାବାସ ଛାଡ଼ିଦେବି ବୋଲି ଭାବୁଥିଲି, ମୋ ସାଥୀରେ ଆସିଥିବା ଅନ୍ୟ ଦୁଇ ଜଣ ବି ପଳାଇଥିଲେ। ମୋତେ କିନ୍ତୁ ଧର୍ମାରାଓ ସାର୍‌ ବୁଝାଇଥିଲେ। ଏହାର ସୁଫଳ ମୁଁ ପାଇଛି ବୋଲି ମଧ୍ୟ ଝିଲ୍ଲୀ ପ୍ରକାଶ କରିଥିଲେ। ଏହି ଅବସରରେ ଅନ୍ତର୍ଜାତୀୟ ମହିଳା ଫୁଟ୍‌ବଲ୍‌ର ଜବାମଣି ଟୁଡୁ ଏବଂ ହକି ଅଲିମ୍ପିଆନ୍ ନମିତା ଟପ୍ପୋଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଝିଲ୍ଲୀଙ୍କୁ ୫ ଲକ୍ଷ ଟଙ୍କା ସହିତ ମାନପତ୍ର ଏବଂ ଜବାମଣି ଓ ନମିତାଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। କ୍ରୀଡ଼ାବିତଙ୍କୁ ଇମ୍ପାକ୍ଟ ନିରଂତର ଭାବେ ପ୍ରେତ୍ସାହିତ କରିଆସୁଛି। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଉନ୍ନତ ପ୍ରଦର୍ଶନ ଲାଗି ‌ରାଜ୍ୟର ଯୁବ ପ୍ରତିଭାଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବା ଲାଗି ଏକଲବ୍ୟ ପୁରସ୍କାର ୧୯୯୩ ମସିହାରେ ପ୍ରଚଳନ କରାଯାଇଥିଲା ବୋଲି ପ୍ରକାଶ କରିଥିଲେ ଇମ୍ପାକ୍ଟର ଟ୍ରଷ୍ଟି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଅଲିମ୍ପିଆନ୍‌ ମହିଳା କୁସ୍ତି ଯୋଦ୍ଧା ବବିତା ଫୋଗଟ, ରାଜ୍ୟର ପ୍ରଥମ ଅର୍ଜୁନ ପୁରସ୍କାର ବିଜୟିନୀ ମିନତି ମହାପାତ୍ର, ଆଇପିଏସ୍‌ ଏସ୍‌ପି ଠାକୁର ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ପ୍ରଦାନ ଉତ୍ସବରେ ଆବାହକ ଅଶୋକ କୁମାର ବେହେରା ସ୍ବାଗତ ଭାଷଣ ଦେଇଥିବା‌ ବେଳେ ୨୭ ସଂସ୍କରଣ ମଧ୍ୟରୁ ୧୫ ଜଣ ମହିଳା ବିଜେତା ହେବା ରାଜ୍ୟରେ ମହିଳା ସଶକ୍ତିକରଣର ପ୍ରମାଣ ଦେଉଛି ବୋଲି ଦର୍ଶାଇଥିଲେ। ଇମ୍ଫାର କର୍ପୋରେଟ୍‌ ଆଫେୟାର୍ସ ମହାପ୍ରବଂଧକ କିଶୋର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

୨୦୧୭ ଏପ୍ରିଲ୍‌ରୁ ୨୦୧୯ ମାର୍ଚ ମଧ୍ୟରେ ଝିଲ୍ଲୀ ଅନ୍ତର୍ଜାତୀୟ ସ୍ତରରେ ୨ ସ୍ବର୍ଣ୍ଣ, ୩‌ ରୌପ୍ୟ ଏବଂ ୧ କାଂସ୍ୟ ପଦକ ହାସଲ କରିଥିଲେ। ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନର ଯୁବ ବର୍ଗରୁ ୨ ସ୍ବର୍ଣ୍ଣ ଜିତିଥିବା ବେଳେ ଉଜ୍‌ବେକିସ୍ତାନରେ ଅନୁଷ୍ଠିତ ଏସୀୟ କନିଷ୍ଠ ଭାରୋତ୍ତୋଳନରେ ରୌପ୍ୟ, ତାସକେଣ୍ଟ୍‌ ବିଶ୍ବ କନିଷ୍ଠ ଭାରୋତ୍ତୋଳନରେ କାଂସ୍ୟ, ଏସୀୟ ଭାରୋତ୍ତୋଳନରେ ରୌପ୍ୟ ପଦକ ହାସଲ କରିଥିଲେ। ୨୦ ବର୍ଷୀୟ ଏହି ନୟାଗଡ଼ ଝିଅ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ ଭାବେ ପ୍ରଶିକ୍ଷକ ପି ଧର୍ମାରାଓଙ୍କଠାରୁ ଖେଳ ଶିଖି ଆଗକୁ ବଢ଼ିଛନ୍ତି। ସେହିଭଳି ଭାରତୀୟ କନିଷ୍ଠ ଏବଂ ବରିଷ୍ଠ ମହିଳା ଫୁଟ୍‌ବଲ୍‌ ଦଳର ସଦସ୍ୟ ପାଲଟି ପାରିଥିବା ଜବାମଣି ଟୁଡୁ ଦୁଇ ଥର କୋଟିଫ୍ କପ୍‌ରେ ପ୍ରତିନିଧିତ୍ବ କରିଥିଲେ। କିନ୍ତୁ ସାଫ୍‌ ପ୍ରତିଯୋଗିତା ବିଜେତା ଭାରତୀୟ ଦଳର ସଦସ୍ୟା ଏବଂ ୧୯ ବର୍ଷରୁ କମ୍‌ ଭା‌ରତୀୟ ଦଳର ନେତୃତ୍ବ ନେଇ ଥାଇଲାଣ୍ଡ ଗସ୍ତ କରିଥିବାରୁ ବିଜେତାର ହକ୍‌ଦାର ହୋଇଥିଲେ।

ସମ୍ବନ୍ଧିତ ଖବର