ଶୃଙ୍ଖଳା ଉପରେ ନଜର

ମେଲ୍‌ବର୍ନ: ବକ୍ସିଂ ଡେ’ ଟେଷ୍ଟ୍‌ ଜିତି ୨-୧ରେ ଆଗୁଆ ହୋଇଯାଇଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନଜର ଏବେ ଶୃଙ୍ଖଳା ବିଜୟ ଉପରେ ରହିଛି। ବକ୍ସିଂ ଡେ’ ଟେଷ୍ଟ୍‌ ବିଭିନ୍ନ କାରଣରୁ ଭାରତ ପାଇଁ ସ୍ବତନ୍ତ୍ର ରହିଛି। ପ୍ରଥମେ ଏହି ଟେ‌ଷ୍ଟ୍‌ ଜିତି ଭାରତ ବର୍ଡର-ଗାଭାସ୍କର ଟ୍ରଫି ନିଜ ପାଖରେ ରଖିପାରିଛି। ସେହିପରି ମେଲ୍‌ବର୍ନରେ ଖେଳିଥିବା ବକ୍ସିଂ ଡେ’ ଟେ‌ଷ୍ଟ୍‌ ଭାରତର ୧୫୦ତମ ବିଜୟ ଥିଲା। ପୁଣି ମେଲ୍‌ବର୍ନରେ ତୃତୀୟ ବିଜୟ ପାଇଥିଲା ଭାରତ। ଫଳରେ ଏବେ ଚତୁର୍ଥ ତଥା ଶେଷ ଟେଷ୍ଟ୍‌କୁ ସିଡ୍‌ନିରେ ଜିତିବାକୁ କୋହଲି ବଦ୍ଧ ପରିକର ରହିଛନ୍ତି। ବିଶେଷକରି ସିଡ୍‌ନି ପିଚ୍‌ ପାରମ୍ପରିକ ନୀତିରେ ସ୍ପିନରଙ୍କୁ ସୁହାଉଥିବାରୁ ଭାରତ ନିଶ୍ଚିତ ବିଜୟ ହାସଲ କରିବ ବୋଲି କୋହଲି ଦୃଢ଼ ଆଶାବାଦୀ ଅଛନ୍ତି। ଅବଶ୍ୟ ସିଡ୍‌ନିରେ କେବଳ ଅମୀମାଂସିତ ରଖିପାରିଲେ ମଧ୍ୟ ଭାରତ ଅଷ୍ଟ୍ରେଲିଆରେ ପ୍ରଥମ ଥର ଶୃଙ୍ଖଳା ଜିତିବାର ଇତିହାସ ରଚିବ। ଏହା ପୂର୍ବରୁ ଅଷ୍ଟ୍ରେଲିଆରେ ଭାରତ ୧୯୮୦-୮୧ରେ (୧-୧), ୧୯୮୫-୮୬ରେ (୦-୦) ଏବଂ ୨୦୦୩-୦୪ରେ (୧-୧) ତିନିଥର ସମ୍ମାନ ବାଣ୍ଟିଥିଲେ ମଧ୍ୟ ଶୃଙ୍ଖଳା ଜିତିପାରିନଥିଲା। ଏଥର କିନ୍ତୁ ସିଡ୍‌ନିରେ ବିଜୟବାନା ଉଡାଇ ଅଷ୍ଟ୍ରେଲିଆରେ ପ୍ରଥମ ଥର ଶୃଙ୍ଖଳା ଜିତବାର ଗୌରବ ବହନ କରି ଭାରତ ନୂଆବର୍ଷ (୨୦୧୯)କୁ ସ୍ମରଣୀୟ କରିବ ବୋଲି କୋହଲି ଦୃଢ଼ତାର ସହ କହିଛନ୍ତି।

ସମ୍ବନ୍ଧିତ ଖବର