ଲକ୍ଷ୍ୟ ୩୬୮ ରନ୍‌: ଇଂଲଣ୍ଡ ୭୭/୦

ରାହୁଲ ୧୫% ମ୍ୟାଚ୍‌ ପାଉଣା ହରାଇଲେ

ଲଣ୍ଡନ୍: ଶାର୍ଦୁଳ ଠାକୁର ଏବଂ ଋଷଭ ପନ୍ତଙ୍କ ଶତକୀୟ ଭାଗୀଦାରି କାରଣରୁ ଭାରତ ଦ ଓଭାଲ୍ ଟେଷ୍ଟରେ ଭଲ ସ୍ଥିତିରେ ରହିଛି। ଘରୋଇ ଇଂଲଣ୍ଡ ସମ୍ମୁଖରେ ବିରାଟ କୋହଲିଙ୍କ ଦଳ ୩୬୮ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଚତୁର୍ଥ ଦିନ ଶେଷ ସୁଦ୍ଧା ଜୋ ରୁଟଙ୍କ ଦଳ କୌଣସି ୱିକେଟ୍‌ ନ ହରାଇ ୭୭ ରନ୍‌ ସଂଗ୍ରହ କରି ନେଇଥିବାରୁ ସୋମବାର ପଞ୍ଚମ ଦିନର ଖେଳ ରୋମାଞ୍ଚକ ହେବ ବୋଲି ବିଶ୍ବାସ ଦେଇଛି। ରୋରି ବର୍ଣ୍ଣସ (୩୧*) ଏବଂ ହସିବ୍ ହମିଦ୍ (୪୩*) ଅପରାଜିତ ଅଛନ୍ତି। ବିଜୟ ପାଇଁ ପଞ୍ଚମ ଦିନରେ ଇଂଲଣ୍ଡକୁ ଆଉ ୨୯୧ ରନ୍‌ ଏବଂ ଭାରତକୁ ୧୦ ୱିକେଟ୍ ଆବଶ୍ୟକ ପଡିଛି।

ରବିବାର ଭାରତ ଏହାର ଅସମାପ୍ତ ଦ୍ବିତୀୟ ପାଳିକୁ ୨୭୦/୩ରୁ‌ ଖେଳିଥିଲା। ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଦେଜା ପ୍ରଥମ ଘଣ୍ଟା ଖେଳକୁ ହାତେଇ ନେଇଥିଲେ। କିନ୍ତୁ କ୍ରିସ୍‌ ୱକ୍ସ ଲଗାତାର ଓଭରରେ ରବୀନ୍ଦ୍ର ଜାଦେଜା ଓ ଅଜିଙ୍କ୍ୟ ରାହାଣେଙ୍କୁ ଏଲ୍‌ବିଡବଲ୍ୟୁ କରି ଭାରତକୁ ଯୁଗଳ ଝଟ୍‌କା ଦେଇଥିଲେ। ରାହାଣେ ପ୍ରଥମ ବଲ୍‌ରେ ରିଭ୍ୟୁ କରି ବର୍ତ୍ତିଯାଇଥିଲେ ମଧ୍ୟ ସମାନ ଢଙ୍ଗରେ କ୍ରିସ୍‌ ୱକ୍ସଙ୍କ ପରବର୍ତୀ ଓଭରରେ ଆଉଟ୍ ‌ହୋଇଯାଇଥିଲେ। ୮ ବଲ୍‌ ଖେଳି ଉପଅଧିନାୟକ ରାହାଣେ ଖାତା ଖୋଲିପାରିନଥିଲେ। କିଛି ସମୟ ପରେ ବିରାଟ କୋହଲି (୪୪)ଙ୍କୁ ମୋଇନ୍ ଅଲୀ ପ୍ରଥମ ସ୍ଲିପ୍‌ରେ ଓଭରଟନଙ୍କ ହାତରେ କ୍ୟାଚ୍‌ କରାଇ ଭାରତକୁ ୩୧୨/୬ରେ ସଂଘର୍ଷ କରାଇଥିଲେ। ଏହି ସମୟରେ କିନ୍ତୁ ଋଷଭ ପନ୍ତ୍ ଏବଂ ଶାର୍ଦୁଳ ଠାକୁର ସପ୍ତମ ୱିକେଟ୍ ପାଇଁ ୧୦୦ ରନ୍‌ ଯୋଡ଼ି ଭାରତ ସ୍ଥିତି ଦୃଢ଼ କରି ନେଇଥିଲେ। ପ୍ରଥମ ପାଳି ଭଳି ଶାର୍ଦୁଳ ଆକର୍ଷଣୀୟ ସଟ୍‌ମାନ ଖେଳି ଲଗାତାର ଅର୍ଦ୍ଧଶତକ ହାସଲ କରିଥିଲେ। ୮ ନମ୍ବର ସ୍ଥାନରେ ବ୍ୟାଟିଂ କରି ଉଭୟ ପାଳିରେ ଅର୍ଦ୍ଧଶତକ (୫୭ ଓ ୬୦) ହାସଲ କରି ସେ ବିରଳ କ୍ଲବ୍‌ରେ ସାମିଲ ହୋଇଥିଲେ। ପନ୍ତଙ୍କୁ ମୋଇନ୍ ଅଲୀ ତାଙ୍କ ଦ୍ବିତୀୟ ଶିକାର କରିବା ପରେ ଠାକୁରଙ୍କୁ ରୁଟ୍‌ ବିଦାୟ ରାସ୍ତା ଦେଖାଇଥିଲେ। ତଥାପି ନିମ୍ନକ୍ରମରେ ଉମେଶ ଯାଦବ (୨୫, ୨୩ ବଲ୍‌) ଏବଂ ଯଶପ୍ରୀତ୍ ବୁମରା (୨୪, ୩୮ ବଲ୍) ଭଲ ବ୍ୟାଟିଂ କରିବାରୁ ଭାରତ ଶେଷ ୨ ଭାଗୀଦାରିରୁ ୫୨ ରନ୍‌ ଯୋଡ଼ି ଇଂଲଣ୍ଡ ସମ୍ମୁଖରେ ୩୬୮ ରନ୍‌ ଲକ୍ଷ୍ୟ ରଖିଥିଲେ।

ସର୍ବୋଚ୍ଚ‌ ସ୍କୋର ଓ ସୁରକ୍ଷିତ ଲକ୍ଷ୍ୟ
୪୬୬ ରନ୍‌ ଇଂଲଣ୍ଡ ମାଟିରେ ଭାରତ ପାଇଁ ଦ୍ବିତୀୟ ପାଳିରେ ଦ୍ବିତୀୟ ସର୍ବୋଚ୍ଚ। ୧୯୬୭ରେ ଭାରତ ଲିଡ୍ସରେ ଦ୍ବିତୀୟ ପାଳିରେ ୫୧୦ ରନ୍ କରିଥିଲା। ତେବେ ଦ ଓଭାଲରେ ୨୦୦୭ ପରେ ଭାରତ ପାଇଁ ୪୬୬ ରନ୍ ସର୍ବୋଚ୍ଚ। ଶାର୍ଦୁଳ ଠାକୁର (୫୭, ୬୦) ୮ ନମ୍ବର ସ୍ଥାନରେ ବ୍ୟାଟିଂ କରି ଉଭୟ ପାଳିରେ ଅର୍ଦ୍ଧଶତକ ହାସଲ କରିବାରେ ବିଶ୍ବର ଷଷ୍ଠ ଓ ଭାରତର ତୃତୀୟ ଖେଳାଳି‌ ‌ହୋଇଛନ୍ତି। ପୂର୍ବରୁ ଭାରତ ପାଇଁ ହରଭଜନ ସିଂହ (ଅହମ୍ମଦାବାଦ, ୨୦୧୦) ଏବଂ ଋଦ୍ଧିମାନ ସାହା (ଇଡେନ ଗାର୍ଡେନ୍ସ, ୨୦୧୬) ଏଭଳି କରିଥିଲେ। ଉଭୟ ଥର ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି କୃତିତ୍ବ ଅର୍ଜନ କରିଥିଲେ। ଭାରତ ଦ୍ବିତୀୟ ପାଳିରେ ୧୪୮.୨ ଓଭର ଖେଳିବା ୨୦୦୯ରେ ନ୍ୟୁଜିଲାଣ୍ଡରେ ୧୮୦ ଓଭର ପରେ ଦୀର୍ଘତମ। ୩୫୦ ରୁ ଊର୍ଧ୍ବ ରନ୍ ବିଜୟ ଲକ୍ଷ୍ୟ ଦେବା ପରେ ଭାରତ କେବେ ହାରିନାହିଁ। ୩୫ ଥର ଏଭଳି ଉଦାହରଣ ଆସିଥିବା ବେଳେ ଭାରତ ୩୪ ଥର ଜିତିଛି। ଭାରତ ବିପକ୍ଷରେ ସର୍ବାଧିକ ସଫଳ ପଶ୍ଚାତଧାବନ ସ୍କୋର୍‌ ହେଉଛି ୩୩୯ ରନ୍। ଯାହାକୁ ୧୯୭୭ ମସିହାରେ ଅଷ୍ଟ୍ରେଲିଆ ପର୍ଥରେ ହାସଲ କରିଥିଲା।

ରାହୁଲ ୧୫% ମ୍ୟାଚ୍‌ ପାଉଣା ହରାଇଲେ

ଲଣ୍ଡନ୍: ଅମ୍ପାୟାରଙ୍କ ଆଉଟ୍‌ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକଟ କରି ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ କେଏଲ୍ ରାହୁଲ୍‌ ଦଣ୍ଡିତ ହୋଇଛନ୍ତି। ତାଙ୍କ ମ୍ୟାଚ୍‌ ପାଉଣାର ୧୫ ପ୍ରତିଶତ କାଟିଦିଆଯାଇଛି। ଦ ଓଭାଲରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ତୃତୀୟ ଦିନରେ ଆଉଟ୍ ହେବା ପରେ ରାହୁଲ ଅଶୋଭନୀୟ ଆଚରଣ ଦେଖାଇଥିଲେ। ଭାରତର ଦ୍ବିତୀୟ ପାଳିର ୩୪ତମ ଓଭରରେ ଘଟଣାଟି ଘଟିଥିଲା। ସେ ୪୬ ରନ୍‌ରେ ଥିବାବେଳେ ଜେମ୍ସ ଆଣ୍ଡରସନ୍‌ଙ୍କ ବଲ୍‌ରେ କଟ୍ ବିହାଇଣ୍ଡ୍ ହୋଇଥିଲେ। ବଲ୍‌ ତାଙ୍କ ବ୍ୟାଟ୍‌ ଧାରକୁ ଚୁମିବା ପରେ ଜନି ବେୟାରଷ୍ଟୋଙ୍କ ଗ୍ଲୋଭ୍ସରେ ପହଞ୍ଚିଥିଲା। ଫିଲ୍ଡ ଅମ୍ପାୟାର୍‌ ନଟ୍‌ ଆଉଟ୍ ଦେବା ପରେ ଇଂଲଣ୍ଡର ଡିଆର୍‌ଏସ୍‌ ଏହାକୁ କାଟି ଦେଇଥିଲା। ରାହୁଲ କିନ୍ତୁ ବିଶ୍ବାସ କରିଥିଲେ ବଲ୍ ତାଙ୍କ ବ୍ୟାଟ୍‌ ନୁହେଁ ପ୍ୟାଡ୍‌ରୁ ଯାଇଥିଲା। ଅନ୍ତର୍ଜାତୀୟ ମ୍ୟାଚ୍‌ ବେଳେ ଅମ୍ପାୟାରଙ୍କ ନିଷ୍ପତ୍ତିର ଅସମ୍ମାନ କରିଥିବାରୁ ତାଙ୍କୁ ଦଣ୍ଡିତ କରାଯାଇଛି। ସେ ଆଇସିସିର ଖେଳାଳିଙ୍କ ଆଚରଣ ସଂହିତାର ଧାରା ୨.୮ ଉଲ୍ଲଂଘନ କରିଥିଲେ। ୧୫ ପ୍ରତିଶତ ମ୍ୟାଚ୍‌ ପାଉଣା କଟିବା ସହ ରାହୁଲଙ୍କ ଖାତାରେ ମଧ୍ୟ ଏକ ଡିମେରିଟ୍‌ ପଏଣ୍ଟ ସଂଯୋଗ କରାଯାଇଛି। ତେବେ ବିଗତ ୨୪ ମାସ ମଧ୍ୟରେ ଏହା ରାହୁଲଙ୍କ ପ୍ରଥମ ବିଶୃଙ୍ଖଳିତ ଆଚରଣ। ରାହୁଲ ତାଙ୍କ ଭୁଲକୁ ସ୍ବୀକାର କରିନେଇଥିବାରୁ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକତା ପଡ଼ିନଥିଲା।

ସମ୍ବନ୍ଧିତ ଖବର