ତାଶାଙ୍କୁ ଜୀବନସାଥୀ କଲେ ସନ୍ଦୀପ ଶର୍ମା

ହାଇଦ୍ରାବାଦ: ନିଜ ଦୀର୍ଘଦିନର ବାଂଧବୀ ତାଶା ସାତ୍ତ୍ବିକଙ୍କୁ ଜୀବନ ସାଥୀ କରିଛନ୍ତି ଭାରତୀୟ କ୍ରିକେଟର୍‌ ସନ୍ଦୀପ ଶର୍ମା। ଶନିବାର ଉଭୟଙ୍କ ବିବାହ ବେଳର ଫଟୋକୁ ଟ୍ବିଟ୍‌ କରି ଆଇପିଏଲ୍‌ ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦ ଲେଖିଛି ‘ଏସ୍‌ଆର୍‌ଏଚ୍‌ରେ ସ୍ବତନ୍ତ୍ର ସଂଯୋଗ ହେଲା, ଅଭିନନ୍ଦନ ମିଷ୍ଟର ଓ ମିଷ୍ଟ୍ରେସ ଶର୍ମା। ଏ ବଂଧନ ଲମ୍ବା ରହୁ’। ଏସ୍‌ଆର୍‌ଏଚ୍‌ର ଏହି ଟ୍ବିଟ୍‌ ପରେ ପ୍ରଶଂସକମାନେ ଅଭିନନ୍ଦନର ସୁଅ ଛୁଟାଇଥିଲେ। ତାଶା ବୃତ୍ତିରେ ଜଣେ ଅଳଙ୍କାର ଡିଜାଇନର୍‌ ଏବଂ ଉଭୟଙ୍କ ନିର୍ବନ୍ଧ ୨୦୧୮ ମସିହାରେ ହୋଇଥିଲା। ଉଭୟଙ୍କ ସମ୍ପର୍କ ଖୋଲାଖୋଲି ହେବା ପରେ ସେମାନେ ଅନ୍ତରଙ୍ଗ ମୁହୂର୍ତର ଫଟୋ ସବୁ ସୋସିଆଲ୍ ମିଡିଆରେ ଛାଡ଼ି ପ୍ରଶଂସକଙ୍କ ପ୍ରିୟଭାଜନ ହେଉଥିଲେ। ବିବାହ ବେଳ ଫଟୋରେ ସନ୍ଦୀପ ଧଳା ସାର୍ଟ ଓ ଧଳା ଧୋତି ପରିଧାନ କରିଥିବା ବେଳେ ତାଶା ଲାଲ ରଙ୍ଗର ଶାଢ଼ୀ ପରିଧାନ କରି ଗ୍ଲାମରସ୍‌ ଲାଗୁଥିଲେ।
ସୂଚନାଯୋଗ୍ୟ, ଭାରତ ପାଇଁ ଜିମ୍ବାୱେ ଗସ୍ତରେ ମାତ୍ର ୨ଟି ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ପଞ୍ଜାବୀ ଦ୍ରୁତ ବୋଲର ସନ୍ଦୀପ ଶର୍ମା ଆଇପିଏଲ୍‌ରେ ପୂର୍ବରୁ କିଙ୍ଗସ ଇଲେଭେନ୍ ପଞ୍ଜାବ ପାଇଁ ଖେଳୁଥିବା ବେଳେ ଏବେ ସନ୍‌ରାଇଜର୍ସ ହାଇଦ୍ରାବାଦ ସହ ରହିଛନ୍ତି। ବିବାହ ପରେ ସନ୍ଦୀପ ଅସନ୍ତା ୧୯ ତାରିଖରୁ ୟୁଏଇରେ ଆରମ୍ଭ‌ ହେବାକୁ ଥିବା ଆଇପିଏଲ୍‌ର ଅବଶିଷ୍ଟ ଭାଗରେ ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର