ଟାଟା ଆଇପିଏଲ୍‌ର ଟାଇଟଲ ପ୍ରାୟୋଜକ

ମୁମ୍ବାଇ: ଘରୋଇ ବହୁରାଷ୍ଟ୍ରୀୟ କଂପାନି ଟାଟା ବିଶ୍ବର ସବୁଠାରୁ ଲୋକପ୍ରିୟ ତଥା ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍‌ର ନୂଆ ଟାଇଟଲ ପ୍ରାୟୋଜକ ହୋଇଛି। ଚୀନ୍‌ର ମୋବାଇଲ କଂପାନି ଭିଭୋର ସ୍ଥାନ ନେଇଛି ଟାଟା। ମଙ୍ଗଳବାର ଆଇପିଏଲ୍‌ର ପରିଚାଳନା ପରିଷଦ ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ପରେ ଘରୋଇ କ୍ରିକେଟ୍‌ପ୍ରେମୀଙ୍କ ମନରେ ଖୁସିର ଲହରି ଖେଳିଯାଇଛି। ଭାରତର ଦୁଇ ପ୍ରମୁଖ ବ୍ରାଣ୍ଡ ଏକାଠି ହେବାକୁ ବ୍ୟାବସାୟିକ ଦୁନିଆ ମଧ୍ୟ ସ୍ବାଗତ କରିଛି। ବୈଠକ ପରେ ଆଇପିଏଲ୍ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଆଇପିଏଲ୍ ସହ ଟାଟା ଯୋଡ଼ି ହୋଇଥିବା ଖବରକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। ଟାଟା ପ୍ରାୟୋଜକ ହେବା ପରେ ବିସିସିଆଇ ଅତିରିକ୍ତ ୧୩୦ କୋଟି ଆୟ କରିବା ବୋଲି କହିଛି।

ସେହିଭଳି ଆଇପିଏଲ୍‌ର ଅହମଦାବାଦ ଫ୍ରାଞ୍ଚାଇଜକୁ ବିସିସିଆଇ ସ୍ବୀକୃତି ପତ୍ର ମିଳିଥିବା ମଧ୍ୟ ସୂଚନା ଦେଇଥିଲେ ସେ। ‘‘ଅହମଦାବାଦ ଫ୍ରାଞ୍ଚାଇଜକୁ ସିଭିସି ଭେଞ୍ଚର ଅଧିଗ୍ରହଣ କରିବାକୁ ପରିଚାଳନା ପରିଷଦ ମଞ୍ଜୁରି ପ୍ରଦାନ କରିଛି। ଭିଭୋ ସହ ଆଇପିଏଲ୍‌ର ଆଉ ଦୁଇ ବର୍ଷର ଚୁକ୍ତି ରହିଛି। ହେଲେ ଆସନ୍ତା ଋତୁଠାରୁ ଟାଟା ଆମର ମୁଖ୍ୟ ପ୍ରାୟୋଜକ ହେବ। ଏଣିକି ଆଇପିଏଲ୍ ଟାଟା ଆଇପିଏଲ୍ ଭାବେ ପରିଚିତ ହେବ’’ ବୋଲି ଘୋଷଣା କରିଥିଲେ ପଟେଲ। ସେହିଭଳି ଆଇପିଏଲ୍‌ର ପ୍ରତୀକ୍ଷିତ ଖେଳାଳି ନିଲାମ ଫେବ୍ରୁଆରି ୧୨ ଓ ୧୩ ତାରିଖରେ ବେଙ୍ଗାଲୁରୁରେ ହେବ ବୋଲି ସୂଚନା ଦେଇଥିଲେ ସେ। ସୂଚନାଯୋଗ୍ୟ ଯେ ୨୦୧୮ ମସିହାରେ ଭିଭୋ ବାର୍ଷିକ ୪୪୦ କୋଟି ଟଙ୍କା ଦେଇ ପାଞ୍ଚବର୍ଷ ପାଇଁ ଆଇପିଏଲ୍‌ର ଟାଇଟଲ ପ୍ରାୟୋଜକ ବା ମୁଖ୍ୟ ପ୍ରାୟୋଜକ ହୋଇଥିଲା। ହେଲେ ଲଦାଖରେ ଭାରତ-ଚୀନ୍‌ ସେନା ମୁହାଁମୁହିଁ ହେବା ପରେ ୨୦୨୦ରେ ଆଇପିଏଲ୍‌ର ପ୍ରାୟୋଜକ ପଦରୁ ଚୀନ୍‌ର ସ୍ମାର୍ଟଫୋନ୍ ନିର୍ମାତା ଭିଭୋ ଓହରି ଯାଇଥିଲା। ଫଳରେ ଡ୍ରିମ୍ ଇଲେଭେନ୍ ଏହି ବର୍ଷ ଆଇପିଏଲ୍‌ର ଟାଇଟଲ ପ୍ରାୟୋଜକ ହୋଇଥିଲା। ଭିଭୋର ମୂଳ ପ୍ରାୟୋଜନ ଅବଧି ୨୦୨୨ ପର୍ଯ୍ୟନ୍ତ ଥିଲା ବେଳେ ୨୦୨୦ ବର୍ଷରୁ ଭିଭୋ ଓହରିବା ପରେ ଏହା ୨୦୨୩ ପର୍ଯ୍ୟନ୍ତ ବଢ଼ିଥିଲା। ଟାଟା ଏବେ ୨୦୨୨ ଓ ୨୦୨୩ରେ ଆଇପିଏଲ୍‌ର ମୁଖ୍ୟ ପ୍ରାୟୋଜକ ରହିବ। ଆଇପିଏଲ୍‌ ସହ ଟାଟା ଯୋଡ଼ି ହେବା ନେଇ ବିସିସିଆଇ ସଂପାଦକ ଜୟ ଶାହ ଖୁସି ଜାହିର କରିଛନ୍ତି। ଏହି ଦୃଢ଼ ସଂପର୍କ ଆଗାମୀ ସମୟରେ ଭାରତୀୟ କ୍ରିକେଟ୍‌ର ବିକାଶ ଲାଗି ଏକାଠି କାର୍ଯ୍ୟ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର