ଟାଟା ଷ୍ଟିଲ୍‌ ଚେସ୍‌ ପ୍ରତିଯୋଗିତା, ଆନନ୍ଦଙ୍କ ଭଲ ଆରମ୍ଭ

ଭୁବନେଶ୍ବର: ଶୁକ୍ରବାର କୋଲ୍‌କାତାରେ ଉଦ୍‌ଘାଟିତ ଟାଟା ଷ୍ଟିଲ୍‌ ଚେସ୍‌ ପ୍ରତିଯୋଗିତାର ରାପିଡ୍‌ରେ ଭାରତୀୟ ଗ୍ରାଣ୍ଡ୍‌ ମା‌ଷ୍ଟର ବିଶ୍ବନାଥନ୍‌ ଆନନ୍ଦ ଭଲ ଆରମ୍ଭ ପାଇଛନ୍ତି। ପ୍ରଥମ ଦିବସରେ ୩ ରାଉଣ୍ଡ ଖେଳ ହୋଇଥିଲା ବେଳେ ଆନନ୍ଦ ସବୁତକ ଅମୀମାଂସିତ ରଖିଥିଲେ। ଆନନ୍ଦ ଚୀନ୍‌ର ଡିଙ୍ଗ୍‌ ଲିରେନ୍‌, ଆମେରିକାର ୱେସ୍‌ଲି ସୋ’ ଏବଂ ରୁଷିଆର ନେପୋମ୍‌ନିଆଚିଙ୍କ ସହିତ ପଏଣ୍ଟ ଭାଗ କରିଥିଲେ। ଫଳରେ ପ୍ରଥମ ଦିବସରେ ଆନନ୍ଦ ୩ ପଏଣ୍ଟ୍‌ ପାଇଥିଲେ। ତେବେ ଏହି ୧୦ ଜଣିଆ ପ୍ରତିଯୋଗିତାରେ ଯଦି ଆନନ୍ଦ ଷଷ୍ଠ ସ୍ଥାନ ମଧ୍ୟରେ ରୁହନ୍ତି, ତେବେ ଲଣ୍ଡନରେ ଖେଳାଯିବାକୁ ଥିବା ଗ୍ରାଣ୍ଡ ଫାଇନାଲ୍‌କୁ ଯୋଗ୍ୟତା ହାସଲ କରିପାରିବେ।

ତେବେ ପ୍ରଥମ ଦିବସରେ ୫ ପଏଣ୍ଟ୍‌ ପାଇ ନରୱେ ଗ୍ରାଣ୍ଡମାଷ୍ଟର ମାଗ୍‌ନସ କାର୍ଲସେନ୍‌ ସର୍ବାଗ୍ରେ ରହିଥିଲେ। ସେ ୨ ବିଜୟ ପାଇଥିଲା ବେଳେ ଗୋଟିକୁ ଅମୀମାଂସିତ ରଖିଥିଲେ। ଆମେରିକାର ହିକାରୁ ନାକାମୁରା ୪ ପଏଣ୍ଟ୍‌ ସହ ଦ୍ବିତୀୟରେ ଥିଲା ବେଳେ ହଲାଣ୍ଡ୍‌ର ଅନିଶ ଗିରି, ଡିଙ୍ଗ୍‌ ଲିରେନ୍‌ ଏବଂ ଅନ୍ୟ ଦୁଇ ଭାରତୀୟ ଭିଦିତ୍‌ ଗୁଜୁରାଟି ଓ ପି ହରିକୃଷ୍ଣାଙ୍କ ସହ ଆନନ୍ଦ ମିଳିତ ତୃତୀୟରେ ରହିଛନ୍ତି। ଆର୍ମେନିଆର ଲେଭନ୍‌ ଆରୋନିଆନ୍‌ ଓ ରୁଷିଆର ନେପୋମ୍‌ନିଆଚି ଶେଷ ସ୍ଥାନରେ ଅଛନ୍ତି।

ସମ୍ବନ୍ଧିତ ଖବର