ଭୁବନେଶ୍ବର: ଟାଟା ଷ୍ଟିଲ୍‌ର ଫ୍ରେଣ୍ଡ୍‌ସିପ୍ କପ୍ ଫୁଟ୍‌ବଲ୍ ପ୍ରତିଯୋଗିତା ଶନିବାର ଓଡ଼ିଶା ଫୁଟ୍‌ବଲ୍‌ ଏକାଡେମି ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ବହୁଦିନ ପରେ ରାଜନେତା ଦଳ ଏହି ଦିନିକିଆ ପ୍ରତିଯୋଗିତାରେ ବିଜେତା ହୋଇଛି। ଚିତ୍ରତାରକାରୁ ବିଧାୟକ ହୋଇଥିବା ସିଦ୍ଧାନ୍ତ ମହାପାତ୍ରଙ୍କ ଚମତ୍କାର ଗୋଲକିପିଂ କାରଣରୁ ରାଜନେତା ଏକାଦଶ ସୁଟ୍ ଆଉଟ୍‌ରେ ୩-୦ (୧-୧) ପ୍ରଶାସକ ଏକାଦଶକୁ ପରାସ୍ତ କରିଥିଲା। ପୂର୍ବରୁ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ନେତୃତ୍ବାଧୀନ ରାଜନେତା ଏକାଦଶ ଆ‌‌ୟୋଜକ ଟାଟା ଷ୍ଟିଲ୍ ଏକାଦଶକୁ ପରାସ୍ତ କରି ଫାଇନାଲ୍‌କୁ ଆସିଥିଲା। ସେହିଭଳି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ନେତୃତ୍ବାଧୀନ ପ୍ରଶାସକ ଏକାଦଶ ଏକତରଫା ଭାବେ ଗଣମାଧ୍ୟମ ଏକାଦଶକୁ ପରାସ୍ତ କରିଥିଲା। ପ୍ରତିଦ୍ବନ୍ଦ୍ବିତା ଶେଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପୃଥ୍ବୀରାଜ ହରିଚନ୍ଦନ, ରବିନାରାୟଣ ନାଏକ, ନିତ୍ୟାନନ୍ଦ ଗଣ୍ଡ, କ୍ରୀଡ଼ା-ଯୁବସେବା ଓ ଗଣଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟିକା ସଂଗୀତା ସିଂହଦେଓ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ‘ସ୍ବାସ୍ଥ୍ୟ ହିଁ ସମ୍ପଦ’ କଥା କହି ଏହି ପ୍ରତିଯୋଗିତା ଏକ ଭଲ ବାତାବରଣ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଥିଲେ।

Advertisment

ଏହି ପ୍ରତିଯୋଗିତାରେ ୩ ମହିଳା ବିଧାୟିକା ଅଂଶଗ୍ରହଣ କରିବା ଅନ୍ୟତମ ଉଲ୍ଲେଖନୀୟ ବିଷୟ ଥିଲା। ୩ ଯୁବା ବିଧାୟିକା ସୋଫିଆ ଫିର୍ଦୋସ, ଉପାସନା ମହାପାତ୍ର, ସଂଜଳି ମୁର୍ମୁଙ୍କୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ପ୍ରଥମ ଦୁଇ ମ୍ୟାଚ୍‌ରେ ଡକ୍ଟର ଫକୀର ନାୟକ (ରାଜାନେତା ଏକାଦଶ), ମନୋଜ ଆହୁଜା (ପ୍ରଶାସକ ଏକାଦଶ) ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ। ତିର୍ତୋଲ ବିଧାୟକ ରମାକାନ୍ତ ଭୋଇ ଫାଇନାଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ। ଗଣମାଧ୍ୟମ ଏକାଦଶ ଶ୍ରେଷ୍ଠ ଶୃଙ୍ଖଳିତ ଦଳର ସମ୍ମାନ ପାଇଥିବାବେଳେ ବିଧାୟକ ସିଦ୍ଧାନ୍ତ ମହାପାତ୍ର ଶ୍ରେଷ୍ଠ ଗୋଲକିପର୍‌, ମନ୍ତ୍ରୀ ରବିନାରାୟଣ ନାଏକ ଶ୍ରେଷ୍ଠ ଡି‌‌ଫେଣ୍ଡର୍‌, ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଶ୍ରେଷ୍ଠ ହାଫ୍‌, ବିଧାୟକ ଅରୁଣ ସାହୁ ଶ୍ରେଷ୍ଠ ଫରୱାର୍ଡ, ଧର୍ମ ହାଁସଦା ସର୍ବାଧିକ ଗୋଲ୍ ସ୍କୋରର୍‌, ଅର୍ଥ ବିଭାଗ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ଶ୍ରେଷ୍ଠ ଅଲରାଉଣ୍ଡର୍‌ ସମ୍ମାନ ପାଇଥିଲେ।

ଅନ୍ୟ ପ୍ରମୁଖ ଅତିଥି ଭାବେ ଆଇଏଫ୍‌ଏସ୍‌ ଦେବୀଦତ୍ତ ବିଶ୍ବାଳ, ଅମିତାଭ ଠାକୁର, ସଂଜୟ କୁମାର, ଦୟାଲ ଗଙ୍ଗୱାର, କେ ମୁରୁଗେସନ୍‌, ଆଇଏଏସ୍‌ ପ୍ରଶାନ୍ତ ରେଡ୍ଡୀ ଅତିଥି ଥିଲେ। ବରି‌‌‌‌ଷ୍ଠ ସାମ୍ବାଦିକ କେ ରବି, ଭବାନୀ ଶଙ୍କର ତ୍ରିପାଠୀ, ସୌମ୍ୟଜିତ ପଟ୍ଟନାୟକ, ନବୀନ ଦାସ, ସନ୍ଦୀପ ସାହୁ, ଦିଲୀପ ବିଶୋଇ, ଗୋପାଳକୃଷ୍ଣ ମହାପାତ୍ର, ମନୋରଂଜନ ମିଶ୍ର, ଦେବୀ ପ୍ରସନ୍ନ ପଟ୍ଟନାୟକ, ସଂଜୟ ଜେନା, ଶିଶିର ଭଟ୍ଟମିଶ୍ର, ରାଧାମାଧବ ମିଶ୍ର, ଶୁଭାଶିଷ ମହାନ୍ତି, ମଳୟ ନାୟକ, ମହମ୍ମଦ ସୁଫିୟାଁ, ସୁରେଶ ସ୍ବାଇଁ, ସମ୍ବିତ ମହାପାତ୍ର, ଅକ୍ଷୟ ସାହୁ, ସୁଜିତ ବିଶୋଇ, ଦେବନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।