ଟାଟା ଷ୍ଟିଲ୍ ଭୁବନେଶ୍ବର ହାଫ୍ ମାରାଥନ୍‌: ବେଗମ୍‌ ରଖିଲେ ଓଡ଼ିଶା ସମ୍ମାନ

ଭୁବନେଶ୍ବର: ଟାଟା ଷ୍ଟିଲ୍‌ ଭୁବନେଶ୍ବର ହାଫ୍ ମାରାଥନ୍ ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଥର ବରିଷ୍ଠ ତଥା ମୁଖ୍ୟ ପ୍ରତିଯୋଗିତାରେ ଭାଗ‌ ନେଇଥିବା ଓଡ଼ିଆ ଝିଅ ସମ୍‌ସାଦ ଆରା ବେଗମ ମହିଳାଙ୍କ ବର୍ଗରେ ଚତୁର୍ଥ ସ୍ଥାନରେ ରହି ରାଜ୍ୟର ସମ୍ମାନ ରଖିଛନ୍ତି। ଅଧିକାଂଶ ପୁରସ୍କାରକୁ ଅଣ ଓଡ଼ିଆ ଧାବକ ଧାବିକା ଜିତି ନେଇଛନ୍ତି। ଏପରିକି ୧୦ କିଲୋମିଟର ଏବଂ ୫ କିଲୋମିଟର ବର୍ଗରେ ମଧ୍ୟ ରାଜ୍ୟ ବାହାର ଖେଳାଳିଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି। ୨୧ କିଲୋମିଟର୍ ବିଶିଷ୍ଟ ହାଫ୍ ମାରାଥନ୍‌ରେ ରାଜସ୍ଥାନର ଆର୍ମିମ୍ୟାନ୍ ତଥା ହାବିଲଦାର ଗୋବିନ୍ଦ ସିଂହ (୧ ଘଣ୍ଟା ୭ ମିନିଟ୍ ୫୬ ସେକେଣ୍ଡ୍‌) ବିଜେତା ହୋଇଥିଲେ। ଏହା ତାଙ୍କ ଖେଳ ଜୀବନର ପ୍ରଥମ ମାରାଥନ୍ ବିଜୟ ବୋଲି ‘ସମ୍ବାଦ’ ସହ କଥା ହେବାବେଳେ କହିଥିଲେ ଗୋବିନ୍ଦ। ପଶ୍ଚିମବଙ୍ଗର ଶୁଭଙ୍କର ଘୋଷ, ଉତ୍ତରପ୍ରଦେଶର ବୀରେନ୍ଦ୍ର ବର୍ମା, ହାଇଦ୍ରାବାଦର ନବିନ ନବିନ, ମହାରାଷ୍ଟ୍ରର ପ୍ରଦୀପ କୁମାର କ୍ରମାନ୍ବୟରେ ପରବର୍ତୀ ୪ ସ୍ଥାନରେ ରହିଥିଲେ। ବିଜେତା ଗୋବିନ୍ଦ ୧ ଲକ୍ଷ ଟଙ୍କା ପୁରସ୍କାର ପାଇଥିବା ବେଳେ ପରବର୍ତୀ ୪ ଜଣ କ୍ରମାନ୍ବୟରେ ୭୫, ୫୧, ୩୧, ୧୧ ହଜାର ଲେଖାଏଁ ପାଇଥିଲେ। ମହିଳା ବର୍ଗରେ ମଧ୍ୟ ସମାନ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ମହାରାଷ୍ଟ୍ରର ଅନ୍ତର୍ଜାତୀୟ ଅଭିଜ୍ଞ ଲମ୍ବା ଦୂରତ୍ବ ଧାବିକା ସ୍ବାତୀ ଗଢ଼ାୱେ (୧ ଘଣ୍ଟା ୨୧ ମିନିଟ ୦୭ ସେକେଣ୍ଡ୍‌) ବିଜେତା ହୋଇଥିଲେ। ପ୍ରୀତି ଲାମ୍ବା, ଶ୍ୟାମଳି ସିଂହ, ସମ୍‌ସାଦ ଆରା ବେଗମ, ପ୍ରୀନୁ ଯାଦବ ପ୍ରଥମ ୫ ସ୍ଥାନରେ ରହି ପୁରସ୍କାର ନେଇଥିଲେ। ୧୦ କିଲୋମିଟର ମହିଳାରେ ପଶ୍ଚିମବଙ୍ଗର ପ୍ରତିମା ଟୁଡୁ ବିଜେତା ହୋଇଥିବା ବେଳେ କୁମାରୀ ମମତା ମହାନ୍ତ, ଜ୍ୟୋତି ଚୌହାନ, ଶାନ୍ତି ରାୟ, ପିଙ୍କି ହାଁସଦା ପରବର୍ତୀ ୪ ସ୍ଥାନରେ ରହିଥିଲେ। ପୁରୁଷରେ ଜମ୍ମୁ ଓ କଶ୍ମିରର ରବି ଦାସ ବିଜେତା ହୋଇଥିଲେ। ଶ୍ରବଣ କୁମାର, ପ୍ରଦୀପ କୁମାର, ସୁନ୍ଦର ସିଂହ, ରାହୁଲ କୁମାର ଶୀର୍ଷ ୫ରେ ରହି ପୁରସ୍କୃତ ହୋଇଥିଲେ। ୫ କିଲୋମିଟର ମହିଳାରେ ଈତିଶ୍ରୀ ମହାନ୍ତ, ସ୍ବର୍ଣ୍ଣଲତା ଶର୍ମା, ପଙ୍କଜ ଗୁନ୍ଦ୍ରା, ଛୁକୁଲାଲ ଟୁଡୁ, ମିଲି ମାଝୀ ଏବଂ ପୁରୁଷରେ ‌ସାରୁକ୍ ଖାନ୍, କ୍ୟାପଟେନ୍ ପୂର୍ତି, ରଶ୍ମିରଂଜନ ନାୟକ, ବିକାଶ କୁମାର, ଅଫତାବ ଅନସାରି କ୍ରମାନ୍ବୟରେ ଶୀର୍ଷ ୫ରେ ରହି ଆର୍ଥିକ ପୁରସ୍କାର ପାଇଥିଲେ। ମୋଟ ୩୦ ଜଣଙ୍କୁ ୮ ଲକ୍ଷ ୬୪ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

ଉଦ୍ଦେଶ୍ୟ ଏବଂ ଅତିଥି
ନିଜକୁ ଫିଟ୍‌ ରଖିବା, ସୁସ୍ଥ ରହିବା ସହିତ ଏକ ଉନ୍ନତ ଭବିଷ୍ୟତର ପ୍ରତିଶ୍ରୁତି ରଖୁଥିବା ହାଫ୍ ମାରାଥନ୍‌ରେ ଏକାଧିକ ଅତିଥି ଆସିବା ଉଲ୍ଲେଖନୀୟ ଥିଲା। ଓଲିଉଡ୍‌ର ସଫଳ ଯୋଡ଼ି ସବ୍ୟସାଚୀ ମିଶ୍ର-ଅର୍ଚିତା ସାହୁ ପ୍ରଶଂସକ ଏବଂ ସ୍ଥାନୀୟ ପ୍ରତିଯୋଗୀଙ୍କ ମୁଖ୍ୟ ଆକର୍ଷଣ ଥିଲେ। ପ୍ରତ୍ୟୁଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ସାଂସଦ ଡକ୍ଟର ପ୍ରସନ୍ନ ପାଟଶାଣୀ, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶି ମିଶ୍ର, ବିଜୟ କୁମାର ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, କ୍ରୀଡ଼ା ସଚିବ ବିଶାଲ କୁମାର ଦେବ, ମୁଖ୍ୟ ବନ୍ୟ ପ୍ରାଣୀ ସଂରକ୍ଷକ ଡକ୍ଟର ସନ୍ଦୀପ ତ୍ରିପାଠୀ, ଖଣି ନିର୍ଦେଶକ ଦୀପକ ମହାନ୍ତି, ଜଙ୍ଗଲ ଓ ପରିବେଶ ବିଭାଗ ସ୍ବତନ୍ତ୍ର ସଚିବ ଦେବୀଦତ୍ତ ବିଶ୍ବାଳ, କ୍ରୀଡ଼ା ନିର୍ଦେଶକ ଭିନୀଲ କ୍ରିଷ୍ଣା ପ୍ରମୁଖ ମୁଖ୍ୟ ଅତିଥି ଥିଲେ। ଟାଟା ଷ୍ଟିଲ୍‌ର କର୍ପୋରେଟ ସେବା ଉପ ସଭାପତି ଚାଣକ୍ୟ ଚୌଧୁରୀ, କଞ୍ଜାମାଲ୍ ଉପ ସଭାପତି ଅରୁଣ ମିଶ୍ର, ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ ଦେବାଶିଷ ଜେନା, ମୁଖ୍ୟ କର୍ପୋରେଟ୍‌ ‌କମ୍ୟୁନିକେସନ୍ସ କୁଲଭିନ୍ ସୁରି ଅତିଥି ଭାବେ ଯୋଗ ଦେଇଥିଲେ।

ଭିନ୍ନକ୍ଷମଙ୍କ ଉତ୍ସାହ
ଓଡ଼ିଶାର ଏହି ଏକମାତ୍ର ହାଫ୍ ମାରାଥନ୍‌ରେ ଉତ୍ସାହ ଓ ଆକର୍ଷଣ ଦିନକୁ ଦିନ ବଢ଼ୁଥିବା ନଜରକୁ ଆସିଛି। ଚତୁର୍ଥ ବର୍ଷ ହାଫ୍‌ ମାରାଥନରେ ନୂଆ କଥା ଥିଲା ଭିନ୍ନକ୍ଷମ, ଦିବ୍ୟାଙ୍ଗ ଏବଂ ଅଟିଜିମ୍‌ ପିଲାଙ୍କ ସମ୍ପୃକ୍ତି। ବହୁ ସଂଖ୍ୟାରେ ସ୍ବତନ୍ତ୍ର ଅଲିମ୍ପିକ୍ସ ପିଲା ଅଂଶଗ୍ରହଣ କରିଥିବା ବେଳେ ହ୍ବିଲଚେୟାରରେ ବସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଏବଂ ଫିନିସ୍ ଲାଇନ୍ ପହଞ୍ଚିବା ଅନ୍ୟମାନଙ୍କ ପାଇଁ ପ୍ରେରଣା ଓ ନୂଆ ବାର୍ତା ଦେଇଥିଲା। ୪ ବର୍ଷର ପିଲାଙ୍କଠାରୁ ଆରମ୍ଭ କରି ୭୪ ବର୍ଷର ଲୋକଙ୍କ ମଧ୍ୟରେ ମୋଟ ୫୦୦୦ ଜଣ ଭାଗନେଇଥିଲେ ଏହି ବାର୍ଷିକ ପ୍ରତିଯୋଗିତାରେ।

ସମ୍ବନ୍ଧିତ ଖବର