ଢେଙ୍କାନାଳ/ଗଁଦିଆ: ଟାଟା ଷ୍ଟିଲ୍ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ଆଥ୍ଲେଟିକ୍ ଆସୋସିଏସନ୍ ସହଯୋଗରେ କପିଳାସଠାରେ ଅନୁଷ୍ଠିତ ଟାଟା ଷ୍ଟିଲ୍ ହାଫ୍ ମାରାଥନ୍ର ଦ୍ୱିତୀୟ ସଂସ୍କରଣର ପୁରୁଷ ବର୍ଗରେ ହରିୟାଣାର ଶୁଭମ ସିନ୍ଧୁ ଏବଂ ମହିଳାରେ ଭାରତୀ ପ୍ରଥମ ସ୍ଥାନ ଅଧିକାର କରି ବିଜେତା ହୋଇଛନ୍ତି। ବନ୍ୟଜନ୍ତୁଙ୍କ ସୁରକ୍ଷା ବାର୍ତ୍ତା ନେଇ ଆୟୋଜିତ ଏହି ପ୍ରତିଯୋଗିତାରେ ମୋଟ ୪୬୦୦ ଦୌଡ଼ ପ୍ରେମୀ ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଂସଦ ରୁଦ୍ର ନାରାୟଣ ପାଣି, ପର୍ଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, କାମାକ୍ଷାନଗରର ବିଧାୟକ ଶତ୍ରୁଘନ ଜେନା ଓ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଅତିଥିଭାବେ ଯୋଗଦେଇଥିଲେ। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଏସ୍ପି ଅଭିନବ ସୋନକର ଓ ବନଖଣ୍ଡ ଅଧିକାରୀ ସୁମିତ କର ପ୍ରମୁଖ ଉପସ୍ଥିତ ଥିଲେ।
୧୦ କିମିରେ ବାଜି ମାରିଲେ ସୁସ୍ମିତା, ଅଜୟ: ୫ କିମି ମହିଳାରେ ସାଗରିକା ନାୟକ, ପୁରୁଷରେ ଦୋଳମଣି ଚିରଗୁନ୍ ପ୍ରଥମ
ଏହି ଅବସରରେ ଟାଟା ଷ୍ଟିଲ୍ ଉପସଭାପତି (ର-ମ୍ୟାଟେରିଆଲ୍ସ) ଡି ବି ସୁନ୍ଦର ରମଣ, ଟାଟା ଷ୍ଟିଲ୍ ମେରାମଣ୍ଡଳୀର ଉପସଭାପତି (ଅପରେସନ୍ସ) ଉତ୍ତମ ସିଂହ, ସନ୍ଦୀପ ଧୀର, ଟାଟା ଷ୍ଟିଲ୍ ଟେକ୍ନିକାଲ୍ ସର୍ଭିସେସ୍ ସିଇଓ ପ୍ରମୁଖ ଉପସ୍ଥିତ ଥିଲେ। ୨୧ କି.ମି ବା ମୁଖ୍ୟ ପ୍ରତିଯୋଗିତାର ମହିଳା ବର୍ଗରେ ହରିୟାଣାର ଭାରତୀ ପ୍ରଥମ, ଭୋପାଳର ଫୁଲନ ପାଲ ଦ୍ବିତୀୟ, ପଶ୍ଚିମବଙ୍ଗର ଶ୍ୟାମଳୀ ସିଂ ତୃତୀୟ, ଖୋର୍ଦ୍ଧାର ସନ୍ଧ୍ୟା ମୁର୍ମୁ ଚତୁର୍ଥ ଓ ମାମିନା ମୁର୍ମୁ ପଞ୍ଚମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ପୁରୁଷ ବର୍ଗରେ ହରିୟାଣାର ଶୁଭମ୍ ସିନ୍ଧୁ ପ୍ରଥମ, ଭୋପାଳର ଉପେନ୍ଦ୍ର ପାଲ ଦ୍ବିତୀୟ, ଖୋର୍ଦ୍ଧାର ଶରତ କୁମାର ଦୋରା ତୃତୀୟ, ବାରିପଦାର ଶିବ ସିଂ ଚତୁର୍ଥ ଓ ଖୋର୍ଦ୍ଧାର ଆଲୋକ କୁମାର ସାହୁ ପଞ୍ଚମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ସେହିପରି ୧୦ କି.ମି ମହିଳା ବର୍ଗରେ ସୁସ୍ମିତା ଟିଗା ପ୍ରଥମ, ସୁନିତା ଦ୍ବିତୀୟ, ଖୋର୍ଦ୍ଧାର ଦିନମତି ସବାର ତୃତୀୟ, ସ୍ବର୍ଣ୍ଣଲତା ଶର୍ମା ଚତୁର୍ଥ, ପଞ୍ଚମୀ ମଲ୍ଲିକ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି। ପୁରୁଷ ବର୍ଗରେ ଉତ୍ତର ପ୍ରଦେଶର ଅଜୟ କୁମାର ବିନ୍ଦ, ଅନୁଗୁଳର ଅଶୋକ ଦଣ୍ଡସେନା ଦ୍ବିତୀୟ, ବାରଣାସୀର ରାହୁଳ କୁମାର ରାଜଭର ତୃତୀୟ, ବିଳାସପୁରର ଅନିଶ ଚାଣ୍ଡେଲ ଚତୁର୍ଥ ଓ ଗୋରଖପୁରର ପିଣ୍ଟୁ କୁମାର ପଞ୍ଚମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ୫ କି.ମି ମହିଳା ବର୍ଗରେ ଖୋର୍ଦ୍ଧାର ସାଗରିକା ନାୟକ ପ୍ରଥମ, ସୁନ୍ଦରଗଡ଼ର ପୂର୍ଣ୍ଣିମା ସାଣ୍ଡିଲ ଦ୍ବିତୀୟ, ଖୋର୍ଦ୍ଧାର ନମସୀ ସାମଦ ତୃତୀୟ, କଟକର ମେହେକ ବେଗମ ଚତୁର୍ଥ, ଖୋର୍ଦ୍ଧାର ଶୁଭଲକ୍ଷ୍ମୀ ନାଥର୍ଶମା ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ପୁରଷ ବର୍ଗରେ ଦୋଳମଣି ଚିରଗୁନ୍ ପ୍ରଥମ, ଖୋର୍ଦ୍ଧାର ଶୁଭମ ବେହେରା ଦ୍ବିତୀୟ, ବାଘରାଇ ମୁର୍ମୁ ତୃତୀୟ, ଉନିତ ସବାର ଚତୁର୍ଥ ଓ ଢେଙ୍କାନାଳର ପ୍ରିୟାଂଶୁ ପରିଡ଼ା ପଞ୍ଚମ ସ୍ଥାନ ଅଧିକାର କରି ନଗଦ ଅର୍ଥରାଶି ସହ ପୁରସ୍କୃତ ହୋଇଛନ୍ତି। ୨୧ କି.ମି ବର୍ଗ ବିଜେତାଙ୍କୁ ୧ ଲକ୍ଷ, ଦ୍ବିତୀୟ ସ୍ଥାନ ପାଇଁ ୭୧ ହଜାର, ତୃତୀୟ ସ୍ଥାନ ପାଇଁ ୪୧ ହଜାର, ଚତୁର୍ଥ ସ୍ଥାନ ପାଇଁ ୩୧ ହଜାର ଓ ପଞ୍ଚମ ସ୍ଥାନ ପାଇଁ ୨୧ ହଜାର ଟଙ୍କାର ନଗଦ ଅର୍ଥରାଶି ପ୍ରଦାନ କରାଯାଇଛି। ୧୦ କି.ମି ବିଜେତାଙ୍କୁ ୬୧ ହଜାର, ଦ୍ବିତୀୟ ସ୍ଥାନ ପାଇଁ ୪୧ ହଜାର, ତୃତୀୟ ୩୧ ହଜାର , ଚତୁର୍ଥ ସ୍ଥାନ ପାଇଁ ୨୧ ହଜାର ଓ ପଞ୍ଚମ ସ୍ଥାନ ପାଇଁ ୧୧ ହଜାର ଟଙ୍କା ପ୍ରଦାନ କରାଯାଇଛି। ସେହିପରି ୫ କି.ମି ବର୍ଗର ପ୍ରଥମ ସ୍ଥାନ ପାଇଁ ୧୫ ହଜାର, ଦ୍ବିତୀୟ ସ୍ଥାନ ପାଇଁ ୧୦ ହଜାର, ତୃତୀୟ ସ୍ଥାନ ପାଇଁ ୮ ହଜାର , ଚତୁର୍ଥ ସ୍ଥାନ ପାଇଁ ୬ ହଜାର ଓ ପଞ୍ଚମ ସ୍ଥାନ ପାଇଁ ୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି।