ଭୁବନେଶ୍ବର: ଟାଟା ଷ୍ଟିଲ ନୂଆମୁଣ୍ଡି ରନ୍‌-ଏ-ଥନ୍‌ର ପଞ୍ଚମ ସଂସ୍କରଣ ଆସନ୍ତା ନଭେମ୍ବର ୧୭ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାରଠୁ ବିଭିନ୍ନ ବର୍ଗ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ଗତବର୍ଷ ଯୋଡ଼ାକୁ ସମ୍ପ୍ରସାରିତ ହୋଇଥିବା ଏହି ଦୌଡ଼ ପ୍ରତିବର୍ଷ ଯୋଡ଼ା ଓ ନୂଆମୁଣ୍ଡି ମଧ୍ୟରେ ଅନୁଷ୍ଠିତ ହେବ। ଦେଶବ୍ୟାପୀ ଉଭୟ ସ୍ଥାନୀୟ ବାସିନ୍ଦା ଏବଂ ଦୌଡ଼କୁଦପ୍ରେମୀଙ୍କୁ ନଜରରେ ରଖି ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ଯାହା ଏକ ସୁସ୍ଥ ଓ ସବୁଜ ଭବିଷ୍ୟତକୁ ପ୍ରୋତ୍ସାହିତ କରୁଛି। ଭ୍ୟାଲି କ୍ଲବ୍‌ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଟାଟାଷ୍ଟିଲର ମହାପ୍ରବନ୍ଧକ (ଓଏମକ୍ୟୁ) ଅତୁଲ କୁମାର ଭଟ୍ଟନାଗର। ଏହି ଅବସରରେ ଟାଟା ଷ୍ଟିଲ୍‌ ଯୋଡ଼ା ମୁଖ୍ୟ ରାଜେଶ କୁମାର, ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୌହ ଖଣିର ମୁଖ୍ୟ ଜିଭି ସତ୍ୟନାରାୟଣ, କଳମଙ୍ଗ ଏବଂ ଗନ୍ଧଲପଦା ପ୍ରକଳ୍ପ ମୁଖ୍ୟ ଦୀପକ ବେହେରା, ନୀଳାଚଳ ଖଣି ମୁଖ୍ୟ ରାହୁଲ କିଶୋର, ଆର ଏମ୍ ପି ମୁଖ୍ୟ ସୁଜିତ୍ କୁମାର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ ଟି ସାର୍ଟ ଉନ୍ମୋଚନ କରାଯାଇଥିଲା।

Advertisment

ପଞ୍ଜୀକରଣ ଆରମ୍ଭ: ୫.୬୭ ଲକ୍ଷ ଟଙ୍କାର ପୁରସ୍କାର ରାଶି
ତିନିଟି ବର୍ଗରେ ଦୌଡ଼: ୧୦, ୭ ଓ ୫ କିମି
ଟାଟା ଷ୍ଟିଲ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କ ପାଇଁ ଗୋଟିଏ ଲେଖାଏଁ ଚାରା ରୋପଣ କରି‌େବ
ଦୌଡ଼ରେ ଭାଗନେବେ ୫୦୦୦ ପ୍ରତିଯୋଗୀ 

ନୂଆମୁଣ୍ଡି ସ୍ପୋର୍ଟସ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଦୌଡ଼ରେ, ପୁରୁଷ ଓ ମହିଳା (୧୫ ବର୍ଷରୁ ଅଧିକ)ମାନଙ୍କ ପାଇଁ ୧୦ କିମି ଏବଂ ୭ କିମି ଦୌଡ଼, ୧୬ ବର୍ଷରୁ କମ୍‌ ବୟସର ବାଳକ ଓ ବାଳିକାମାନଙ୍କ ପାଇଁ ୫ କିମି ଦୌଡ଼ ଏବଂ ବିଶେଷ ଦକ୍ଷତା ଥିବା ଲୋକଙ୍କ ପାଇଁ ଏକ ୨ କିମି ଦୌଡ଼ ସାମିଲ ରହିଛି। ଏହି ଦୌଡ଼ରେ ମୋଟ ପୁରସ୍କାର ରାଶି ୫,୬୭, ୦୦୦ ଟଙ୍କା ରହିଛି। ପରିବେଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଦର୍ଶାଇ ଟାଟା ଷ୍ଟିଲ୍ ପ୍ରତି ଅଂଶଗ୍ରହଣକାରୀଙ୍କ ପାଇଁ ଗୋଟିଏ ଲେଖାଏଁ ଚାରା ରୋପଣ କରିବ। ଏହି ଦୌଡ଼ରେ ସାଧାରଣ ବର୍ଗରେ ୧୦ କିମି ଦୌଡ ପାଇଁ ପୁରୁଷ, ମହିଳା ବର୍ଗର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବିଜେତାଙ୍କୁ ଯଥାକ୍ରମେ ୫୧ ହଜାର ଟଙ୍କା, ୪୧ ହଜାର ଟଙ୍କା ଓ ୩୧ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ୭ କିମି ବର୍ଗରେ ୨୫ ହଜାର ଟଙ୍କା, ୨୦ ହଜାର ଟଙ୍କା ଓ ୧୫ ହଜାର ଟଙ୍କା ଏବଂ ୫ କିମି ବର୍ଗରେ ୧୦ ହଜାର ଟଙ୍କା, ୮ ହଜାର ଟଙ୍କା ଓ ୭ ହଜାର ଟଙ୍କା ପୁରସ୍କାର ରାଶି ହିସାବରେ ପ୍ରଦାନ କରାଯିବ।

ସେହିପରି, ସ୍ଥାନୀୟ ବର୍ଗରେ ୧୦ କିମି ଦୌଡ ପାଇଁ ପୁରୁଷ, ମହିଳା ବର୍ଗର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବିଜେତାଙ୍କୁ ଯଥାକ୍ରମେ ୨୧ ହଜାର ଟଙ୍କା, ୧୧ ହଜାର ଟଙ୍କା ଓ ୭୫୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ୭ କିମି ବର୍ଗରେ ୧୦ ହଜାର ଟଙ୍କା, ୭୫୦୦ ଟଙ୍କା ଓ ୫ ହଜାର ଟଙ୍କା ଏବଂ ୫ କିମି ବର୍ଗରେ ୬ ହଜାର ଟଙ୍କା, ୫ ହଜାର ଟଙ୍କା ଓ ୨୫୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ନୂଆମୁଣ୍ଡି ରନ-ଏ-ଥନ ପାଇଁ ଅନ୍‌ଲାଇନ୍‌ ପଞ୍ଜୀକରଣ ଅକ୍ଟୋବର ୧୮ ତାରିଖରୁ ଆରମ୍ଭ ହେବ ଏବଂ ନଭେମ୍ବର ୭ ତାରିଖରେ ବନ୍ଦ ହେବ। ଅନଲାଇନ୍ ପଞ୍ଜୀକରଣ ପାଇଁ ପ୍ରତିଯୋଗୀମାନେ www.tatasteelruns.com\R ରେ ଲଗ୍‌ଇନ୍‌ କରିପାରିବେ। ଅକ୍ଟୋବର ୨୧ ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଯୋଡ଼ାସ୍ଥିତ କେନ୍ଦ୍ରୀୟ ଖେଳ ପଡ଼ିଆରେ ଶନିବାର ଓ ରବିବାର ବ୍ୟତୀତ ସକାଳ ୧୦ ଟାରୁ ଅପରାହ୍ନ ୫ଟା ମଧ୍ୟରେ ଅଫଲାଇନ୍‌ରେ ମଧ୍ୟ ପଞ୍ଜୀକରଣ କରାଯାଇପାରିବ।