ଭୁବନେଶ୍ବର: ଟାଟା ଷ୍ଟିଲ୍ ଫ୍ରେଣ୍ଡସିପ୍ କ୍ରିକେଟ୍ ପ୍ରତିଯୋଗିତାରେ ଗୋଟିଏ ଦଶନ୍ଧି ଧରି ଲାଗି ରହିଥିବା ଗଣମାଧ୍ୟମ ଏକାଦଶ ପ୍ରାଧାନ୍ୟର ପରିସମାପ୍ତି ଘଟିଛି। ଲଗାତାର ଭାବେ ଏହି ପ୍ରତିଯୋଗିତାର ଟ୍ରଫି ଜିତୁଥିବା ଗଣମାଧ୍ୟମ ଏକାଦଶକୁ ଦ୍ବାଦଶ ସଂସ୍କରଣରୁ ଖାଲି ହାତରେ ଫେରିବାକୁ ପଡ଼ିଛି। ରବିବାର ପୂର୍ବତଟ ରେଳବାଇ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ଦିନିକିଆ ପ୍ରତିଯୋଗିତାର ଫାଇନାଲରେ ଟାଟା ଷ୍ଟିଲ୍ ଏକାଦଶକୁ ୧୬ ରନ୍ରେ ହରାଇ ପ୍ରଶାସକ ଏକାଦଶ ବିଜେତା ହୋଇଛି। ଏଥି ସହିତ ଚଳିତ ବର୍ଷର ଫୁଟ୍ବଲ୍ ଟ୍ରଫି ଜିତିଥିବା ପ୍ରଶାସକ ଏକାଦଶ ଦ୍ବିମୁକୁଟ ଅର୍ଜନ କରିଛି। ପୂର୍ବରୁ ପ୍ରଥମ ସେମିଫାଇନାଲରେ ପ୍ରଶାସକ ଏକାଦଶ ୯ ୱିକେଟ୍ରେ ରାଜନେତା ଏକାଦଶକୁ ପରାସ୍ତ କରିଥିଲା। ଦ୍ବିତୀୟ ସେମିଫାଇନାଲରେ ଟାଟା ଷ୍ଟିଲ୍ ଏକାଦଶ ରୋମାଞ୍ଚକ ଭାବେ ୪ ରନ୍ରେ ଗଣମାଧ୍ୟମ ଏକାଦଶକୁ ପରାସ୍ତ କରିଥିଲା। ବିବେକ ସର୍ବାନନ୍ ଏବଂ ବୀରେନ୍ଦ୍ର ରଣା ଯଥାକ୍ରମେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଫାଇନାଲରେ ପ୍ରଶାସକ ଏକାଦଶର ଅନିରୁଦ୍ଧ ସିଂହ ମ୍ୟାଚ୍ ଶ୍ରେଷ୍ଠ ସମ୍ମାନ ପାଇଥିଲେ। ମନୋଜ ମହାପାତ୍ର (ଗଣମାଧ୍ୟମ)-ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ଓ କ୍ଷେତ୍ରରକ୍ଷକ, ବିଦ୍ୟୁତ ମହାଳିକ (ଟାଟା ଷ୍ଟିଲ୍)- ଶ୍ରେଷ୍ଠ ବୋଲର୍, ଦେବୀପ୍ରିୟ ବିଶ୍ବାଳ (ପ୍ରଶାସକ)-ଶ୍ରେଷ୍ଠ ୱିକେଟରକ୍ଷକ, ଦୀପକ ନାୟକ (ଟାଟା ଷ୍ଟିଲ୍)-ଶ୍ରେଷ୍ଠ ଅଲରାଉଣ୍ଡର୍ ପୁରସ୍କାର ପାଇଥିଲେ। ‘ଟାଟା ଷ୍ଟିଲ୍ ପାଇଁ କ୍ରୀଡ଼ା ହିଁ ଜୀବନର ବାଟ ଏବଂ ସମାଜକୁ ବାନ୍ଧି ରଖିବା ଦିଗରେ ପ୍ରମୁଖ ମାଧ୍ୟମ’ ବୋଲି ଏହି ଅବସରରେ କହିଥିଲେ କମ୍ପାନିର କର୍ପୋରେଟ୍ ସେବା ଉପ ସଭାପତି ଚାଣକ୍ୟ ଚୌଧୁରୀ।
ଉଦ୍ଘାଟନୀ ଏବଂ ଉଦ୍ଯାପନୀ ଉତ୍ସବରେ ମନ୍ତ୍ରୀ ନିରଂଜନ ପୂଜାରୀ, ଅରୁଣ ସାହୁ, ତୁଷାରକାନ୍ତି ବେହେରା, ପଦ୍ମନାଭ ବେହେରା, ଟାଟା ଷ୍ଟିଲ୍ କର୍ପୋରେଟ୍ ସେବା ଉପ ସଭାପତି ଚାଣକ୍ୟ ଚୌଧୁରୀ, କେବିକେ ମୁଖ୍ୟ ପ୍ରଶାସକ ଏସ୍ପି ଠାକୁର, ପିସିସିଏଫ୍ ସନ୍ଦୀପ ତ୍ରିପାଠୀ, ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ସଭାପତି କେ ରବି, ଟାଟା ଷ୍ଟିଲ୍ ସିଆରଇ ଦେବାଶିଷ ଜେନା, ଟିଏସବିଏସଏଲ୍ କର୍ପୋରେଟ୍ ସେବା ମୁଖ୍ୟ ମଣିକାନ୍ତ ନାଏକ, ଓଡ଼ିଶା ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ବାଳ, ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋଇ, ପୁଲିସ ଆଇଜି (ଅପରେସନ୍ସ) ଅମିତାଭ ଠାକୁର, ଟାଟା ଷ୍ଟିଲ୍ ବିଏସଏଲ୍ ଲିଃ ସିଓଓ ସୁବୋଧ ପାଣ୍ଡେ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।