ରେଫରିଙ୍କୁ ଧକ୍କା ମାରିଲେ ଖେଳାଳି

ଟାଟା ଉତ୍କଳିକା କପ୍‌ ଫୁଟ୍‌ବଲ୍‌

ଭୁବନେଶ୍ୱର: ୟୁନିଟ୍‌-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆୟୋଜିତ ଟାଟା-ଉତ୍କଳିକା କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ବୁଧବାର ଦ୍ୱିତୀୟ ସେମିଫାଇନାଲ୍‌ ମ୍ୟାଚ୍‌ ବେଳେ ଗଣ୍ଡଗୋଳ ଘଟଣା କ୍ରୀଡ଼ା ଭାବନା ପ୍ରତି ଆଞ୍ଚ୍‌ ଆଣିଛି। କଟକର ବାରବାଟୀ ସ୍ପୋର୍ଟି ଏବଂ ଜାମ୍‌ସେଦ୍‌ପୁରର ଟାଟା ଫୁଟ୍‌ବଲ୍‌ ଏକାଡେମି ମଧ୍ୟରେ ମ୍ୟାଚ୍‌ ନିର୍ଧାରିତ ସମୟ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା। ତେବେ ପ୍ରଥମାର୍ଧ ସୁଦ୍ଧା ବାରବାଟୀ ଦଳ ଆଗୁଆ ରହିଥିଲା। ମଧ୍ୟାନ୍ତର ପରେ ବିଶୃଙ୍ଖଳିତ ଆଚରଣ ପାଇଁ ବାରବାଟୀ ଦଳର ଦୁଇ ଜଣ ଖେଳାଳିଙ୍କୁ ରେଫରି ପ୍ରଦୀପ୍ତ ନାୟକ ନାଲି କାର୍ଡ ଦେଖାଇଥିଲେ। ଫଳରେ ଏହି ଦୁଇ ଜଣଙ୍କୁ ପଡ଼ିଆ ବାହାରକୁ ଯିବାକୁ ପଡ଼ିଥିଲା। ହେଲେ ରେଫରିଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ ସଂପୃକ୍ତ ନାଲି କାର୍ଡ ପାଇଥିବା ଦୁଇ ଖେଳାଳି। ଏହି ଦୁଇ ଖେଳାଳି ହେଲେ ସେକ୍‌ ମୋଇମ୍‌ ଏବଂ ସେକ୍‌ ଜୁବେର୍‌। ଉଭୟ ଖେଳାଳି ଉତ୍‌କ୍ଷିପ୍ତ ହୋଇ ରେଫରିକୁ ଆକ୍ରମଣ କରିବାକୁ ପଛାଇ ନଥିଲେ। ପଡ଼ିଆ ଭିତରେ ରେଫରିଙ୍କୁ ଧକ୍କା ମାରିବା ସାଙ୍ଗକୁ ପେଲାଠେଲା ମଧ୍ୟ କରିଥିଲେ। ବାରବାଟୀ ଖେଳାଳିଙ୍କ ଉତ୍ସୃଙ୍ଖଳ ଆଚରଣକୁ ଦର୍ଶକମାନେ ସହଜରେ ଗ୍ରହଣ କରିପାରିନଥିଲେ। ରେଫରିଙ୍କୁ ଧକ୍କା ମାରିବାକୁ ନେଇ ଦର୍ଶକମାନେ ସଂପୃକ୍ତ ଖେଳାଳିଙ୍କୁ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ଏଥିପାଇଁ ମ୍ୟାଚ୍‌ ପ୍ରାୟ ୧୦ ମିନିଟ୍‌ ଧରି ବନ୍ଦ ରହିଥିଲା। ତେବେ ଶେଷରେ ନାଲଇ କାର୍ଡ ପାଇଥିବା ଦୁଇ ଖେଳାଳି ପଡ଼ିଆ ବାହାରକୁ ଯିବା ପରେ ବାରବାଟୀ ଦଳ ୯ ଜଣରେ ଅବଶିଷ୍ଟ ସମୟ ମ୍ୟାଚ୍‌ ଖେଳିଥିଲା। ନିର୍ଧାରିତ ସମୟ ଅମୀମାଂସିତ ରହିବାରୁ ଟାଇବ୍ରେକର୍‌ରେ ଟାଟା ଦଳ ବିଜୟୀ ହୋଇଥିଲା। ୧-୦ର ଅଗ୍ରଣୀ ସତ୍ତ୍ୱେ ବିଶୃଙ୍ଖଳା ସୃଷ୍ଟି କରି ବାରବାଟୀ ଦଳ ୫-୪ରେ ପରାଜୟ ବରଣ କରିଥିଲା। ହେଲେ ଧକ୍କା ମାରିବା ଏବଂ ଠେଲାପେଲା କରିବା ଘଟଣାକୁ ନେଇ ରେଫରି ନାୟକ ଆୟୋଜକ ୟୁନିଟ୍‌-୬ ଦୌଡ଼କୁଦ ସଂଘକୁ ସଂପୃକ୍ତ ଖେଳାଳିଙ୍କ ବିରୋଧରେ ରିପୋର୍ଟ ପ୍ରଦାନ କରିଥିଲେ। ଏହାକୁ ନେଇ ସଂପୃକ୍ତ ୨ ଖେଳାଳିଙ୍କୁ ପ୍ରାଥମିକ ଭାବେ ଗୋଟିଏ ମ୍ୟାଚ୍‌ରୁ ନିଲମ୍ବିତ କରାଯାଇଥିବା ସଂଘର ସଂପାଦକ ଦିଲୀପ ଦାସ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରେଫରିଙ୍କ ରିପୋର୍ଟକୁ ପ୍ରତିଯୋଗିତା ଶେଷ ହେବା ପରେ ଆମେ ଫାଓ (ଓଡ଼ିଶା ଫୁଟ୍‌ବଲ୍‌ ସଂଘ)କୁ ପଠାଇଦେବୁ। ଫାଓ ବିଶୃଙ୍ଖଳିତ ଆଚରଣ କରିଥିବା ସଂପୃକ୍ତ ଖେଳାଳିଙ୍କ ବିରୋଧରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନେବ ବୋଲି ସଂଘର ଉପସଭାପତି ପ୍ରଫୁଲ୍ଲ ମିଶ୍ର କହିଛନ୍ତି। ଅବଶ୍ୟ ଏହି ଘଟଣା ନେଇ ଆସନ୍ତାକାଲି ଏକ କମିଟି ବୈଠକ ବସି ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସଂପାଦକ କହିଛନ୍ତି। ଏଭଳି ଘଟଣାକୁ ଅଧିକାଂଶ କ୍ରୀଡ଼ାପ୍ରେମୀ ନିନ୍ଦା କରିବା ସାଙ୍ଗକୁ ବିଶୃଙ୍ଖଳା ସୃଷ୍ଟି କରିଥିବା ଖେଳାଳିଙ୍କ ଉପରେ ଦୃଢ଼ କାର୍ଯ୍ୟାନକୁଷ୍ଠାନ ଦାବି କରିଛନ୍ତି।

ଫାଇନାଲ୍‌ ଆଜି: ଫାଓକୁ ଭେଟିବ ଟାଟା
ଭୁବନେଶ୍ୱର: ୟୁନିଟ୍‌-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୬ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଚାଲିଥିବା ୨୦ତମ ଟାଟା-ଉତ୍କଳିକା ଆମନ୍ତ୍ରଣୀୟ କପ୍‌ ଫୁଟବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ୍‌ ଗୁରୁବାର ଖେଳାଯିବ। ଫାଇନାଲ୍‌ରେ ଫାଓ ଏକାଦଶକୁ ଭେଟିବ ଟାଟା ଫୁଟ୍‌ବଲ୍‌ ଏକାଡେମି। ବୁଧବାର ଦ୍ୱିତୀୟ ସେମିଫାଇନାଲ୍‌ରେ ଟାଟା ଦଳ ୫-୪ (୧-୧) ଟ୍ରାଇବ୍ରେକର୍‌ରେ କଟକର ବାରବାଟୀ ସ୍ପୋର୍ଟିଂକୁ ହରାଇଛି। ମ୍ୟାଚ୍‌ର ୧୪ ମିନିଟ୍‌ରେ ସେଖ ରାମଜାନ ଅଲ୍ଲୀ ଗୋଲ୍‌ ଦେଇ ବାଟବାଟୀକୁ ଆଗୁଆ କରିଥିଲେ। ଟାଟାର ଗୋରାଚାନ୍ଦ ମାରାଡି ୭୫ ମିନିଟ୍‌ରେ ଏହି ଗୋଲ୍‌ଟିକୁ ଶୁଝି ଦେଇଥିଲେ। ଶେଷରେ ଟ୍ରାଇବ୍ରେକରରେ ମ୍ୟାଚ୍‌ର ଫଳାଫଳ ବାହାରିଥିଲା। ବାରବାଟୀର ସେଖ କମରୁଦ୍ଦିନ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅତିଥି ଅନୁଗୁଳ-ସୁକିନ୍ଦା ରେଳବାଇ ପ୍ରକଳ୍ପର ପରିଚାଳନା ନିର୍ଦେଶକ ଦିଲ୍ଲୀପ କୁମାର ସାମନ୍ତରାୟ ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ତପନ ମହାନ୍ତି, ଅକ୍ଷୟ କୁମାର ଦାସ, ଅମୀୟ ମିଶ୍ର, ପ୍ରିୟନାଥ ମିଶ୍ର, ପ୍ରଫୁଲ୍ଲ ମିଶ୍ର ଏବଂ ଦିଲ୍ଲୀପ ଦାସ ଅତିଥି ଭାବେ ଉପସ୍ଥିତ ଥିଲେ। ପ୍ରଦୀପ୍ତ ନାୟକ, ସୁଦୀପ ଦାସ, ରାଜେନ୍ଦ୍ର ବାରିକ ଏବଂ ସେଖାଓ୍ଵତ୍‌ ଖାନ୍‌ ଖେଳ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର