ଭୁବନେଶ୍ୱର: ୟୁନିଟ୍-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍-୬ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଚାଲିଥିବା ବିଂଶତମ ଟାଟା-ଉତ୍କଳିକା ଆମନ୍ତ୍ରଣୀୟ କପ୍ ଫୁଟବଲ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ଆୟୋଜକ ଦଳ ପ୍ରବେଶ କରିଛି। ରବିବାର କଡ଼ା ସଂଘର୍ଷ ପୂର୍ଣ୍ଣ କ୍ୱାର୍ଟର୍ ଫାଇନାଲ୍ରେ ୟୁନିଟ୍-୬ ଦଳ ୭-୬ (୧-୧ ଗୋଲ୍) ସଡନ୍ ଡେଥ୍ରେ ସମ୍ବଲପୁରର ସମଲେଶ୍ୱରୀ ସ୍ପୋର୍ଟିଂକୁ ପରାସ୍ତ କରିଥିଲା। ୧୪ ମିନିଟ୍ରେ କରନ ଓରାମ ଗୋଲ୍ ଦେଇ ଅତିଥି ଦଳକୁ ପ୍ରଥମାର୍ଧରେ ଆଗୁଆ ରଖିଥିଲେ। କିନ୍ତୁ ଦ୍ୱିତୀୟାର୍ଧରେ ଘରୋଇ ଦଳକୁ ଏକ ପେନାଲ୍ଟି ସୁଯୋଗ ମିଳିଥିଲା। ସିଦ୍ଧାର୍ଥ ଦାସ (୭୨ ମିନିଟ୍) ଏହାକୁ ଗୋଲ୍ରେ ପରିଣତ କରି ମ୍ୟାଚ୍ ସ୍ଥିତି ୧-୧କୁ ଆଣିଥିଲେ। ନିର୍ଧାରିତ ସମୟ ମ୍ୟାଚ୍ ଅମୀମାଂସିତ ରହିଥିଲା। ଫଳାଫଳ ପାଇଁ ଟ୍ରାଇବ୍ରେକରର ସହଯୋଗ ନିଆଯାଇଥିଲେ। ଏଥିରେ ଉଭୟ ଦଳ ୪-୪ ଗୋଲ୍ ଦେଇଥିଲେ। ପରେ ମ୍ୟାଚ୍ ସୁଟ୍ ଆଉଟ୍କୁ ଯାଇଥିଲା। ଆଉ ଏଥିରେ ମଧ୍ୟ ଉଭୟ ଦଳ ୨-୨ ଗୋଲ୍ କରିଥିଲେ। ଶେଷରେ ନିର୍ଣ୍ଣାୟକ ସଡନ୍ ଡେଥ୍ର ଘରୋଇ ଦଳ ବିଜୟୀ ହୋଇଥିଲା। ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିବା ୟୁନିଟ୍-୬ର ଜଗନ୍ନାଥ ମହାରଣା ମ୍ୟାାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମୁଖ୍ୟ ଅତିଥି ରଞ୍ଜିତ କୁମାର ଦାଶଙ୍କଠୁ ଗ୍ରହଣ କରିଥିଲେ। ଭୁବନେଶ୍ୱର ଦୌଡ଼କୁଦ ସଂଘର ଯୁଗ୍ମ ସମ୍ପାଦକ ନବ ରଂଜନ ପଟ୍ଟନାୟକ, ଆୟୋଜକ କ୍ଲବ୍ର ସଭାପତି ତପନ ମହାନ୍ତି, ଉପସଭାପତି ପ୍ରଫୁଲ୍ଲ ମିଶ୍ର, ସମ୍ପାଦକ ଦିଲ୍ଲୀପ କୁମାର ଦାସ, ପ୍ରିୟନାଥ ମିଶ୍ର, ଅମୀୟକାନ୍ତ ମିଶ୍ର ଏବଂ ନରେନ୍ଦ୍ର ସେଠୀ ଅତିଥି ଭାବେ ଉପସ୍ଥିତ ଥିଲେ। ଟି ମୋହନ ରାଓ, ଚନ୍ଦ୍ରକାନ୍ତ ବାରିକ, ଶିବଶଙ୍କର ପଣ୍ଡା ଖେଳ ପରିଚାଳନା କରିଥିଲେ ଏବଂ ମହେଶ୍ୱର ସିଂହ ମ୍ୟାଚ୍ କମିସନର ଥିଲେ। ସୋମବାର ଶେଷ କ୍ୱାର୍ଟର୍ ଫାଇନାଲ୍ରେ ଜାମସେଦପୁରର ଟାଟା ଫୁଟ୍ବଲ୍ ଏକାଡେମିକୁ କଟକର ଓଡ଼ିଶା ୟୁନାଇଟେଡ୍ ଫୁଟ୍ବଲ୍ ଏକାଡେମି ଭେଟିବ।
ଟାଟା ଉତ୍କଳିକା କପ୍ ସେମିରେ ୟୁନିଟ୍-୬
/sambad/media/post_attachments/wp-content/uploads/2018/03/7-Tata-utkalika.jpg)