ମୁମ୍ବାଇ: ଅକ୍ଟୋବର ୧୯ରୁ ପର୍ଥଠାରେ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ଶୃଙ୍ଖଳା ଲାଗି ଶନିବାର ଭାରତୀୟ ଦଳ ଘୋଷଣା କରାଯିବ। ଦୁଇ ଅଭିଜ୍ଞ ତଥା ମହାନ ତାରକା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ନାନା ଚର୍ଚ୍ଚା ଓ କଳ୍ପନାଜଳ୍ପନା ଲାଗି ରହିଥିଲେ ମଧ୍ୟ ଉଭୟ ଏହି ଗସ୍ତର ଦିନିକିଆ ପର୍ଯ୍ୟାୟ ଲାଗି ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ। ସୂଚନା ଅନୁସାରେ ଅହମଦାବାଦଠାରେ ଚାଲିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମଟେଷ୍ଟ୍‌ରେ ତୃତୀୟ ଦିନ ଅର୍ଥାତ୍ ଶନିବାର ଅଜିତ ଅଗରକରଙ୍କ ନେତୃତ୍ବାଧୀନ ଜାତୀୟ ବରିଷ୍ଠ ଚୟନ ସମିତିର ସଦସ୍ୟମାନେ ଏକାଠି ହୋଇ ଦଳ ବାଛିବେ। ଅଲ୍‌ରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଆହତ ହେବା ଏବଂ ୱିକେଟ୍‌ରକ୍ଷକ ଋଷଭ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ଏହି ବୈଠକର ଅନ୍ୟତମ ପ୍ରମୁଖ ଚର୍ଚ୍ଚାର ବିଷୟ ହେବ। 

Advertisment

ଅଧିନାୟକ ଶୁବମନ୍ ଗିଲ୍ ଲଗାତାର କ୍ରିକେଟ୍ ଖେଳୁଥିବାରୁ ତାଙ୍କୁ ଦିନିକିଆ‌ କିମ୍ବା ଟ୍ବେଣ୍ଟି-୨୦ ମଧ୍ୟରୁ ଗୋଟିଏ ଶୃଙ୍ଖଳାରୁ ବିଶ୍ରାମ ଦେଇପାରନ୍ତି। ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରାଙ୍କୁ ମଧ୍ୟ କିଛି ମ୍ୟାଚ୍‌ରୁ ବିଶ୍ରାମ ମିଳିପାରେ। ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ଶୃଙ୍ଖଳାରୁ ପୂର୍ବତନ ଓଡ଼ିଆ ଅନ୍ତର୍ଜାତୀୟ କ୍ରିକେଟର୍ ପ୍ରଜ୍ଞାନ ଓଝା ଜାତୀୟ ଚୟନକର୍ତ୍ତା ଭାବେ କ୍ୟାରିୟର୍ ଆରମ୍ଭ କରିବେ। ଉତ୍ତରପ୍ରଦେଶର ପୂର୍ବତନ ବୋଲର ଆର୍‌ପି ସିଂହ ମଧ୍ୟ ପ୍ରଥମ ଥର ଲାଗି ଚୟନ ସମିତି ବୈଠକରେ ଯୋଗଦେବେ। ସଂଯୋଗବଶତଃ ପ୍ରଥମ ଥର ଲାଗି ପ୍ରଜ୍ଞାନ ଓ ଶିବସୁନ୍ଦର ଦାସଙ୍କ ରୂପରେ ଦୁଇ ଜଣ ଓଡ଼ିଆ ଜାତୀୟ ଚୟନକର୍ତ୍ତା ଦାୟିତ୍ବ ତୁଲାଇବେ। ଭାରତୀୟ ଦଳ ପର୍ଥ, ଆଡିଲେଡ୍ ଓ ସିଡ୍‌ନିରେ ତିନିଟି ଦିନିକିଆ ଖେଳିବା ପରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ। ଟ୍ବେଣ୍ଟି-୨୦ ମ୍ୟାଚ୍‌ଗୁଡ଼ିକ କାନବେରା, ମେଲ୍‌ବର୍ଣ୍ଣ, ହୋବାର୍ଟ, ଗୋଲ୍‌ଡ କୋଷ୍ଟ ଓ ବ୍ରିସବେନ୍‌ରେ ଖେଳାଯିବ। ଏଣୁ ଉଭୟ ଶୃଙ୍ଖଳା ଲାଗି ଭିନ୍ନଭିନ୍ନ ଦଳ ଘୋଷଣା କରାଯିବ।