ନ୍ୟୁଜିଲାଣ୍ଡ ଟ୍ବେଣ୍ଟି-୨୦ ଲାଗି ଦଳ ଘୋଷିତ: ରୋହିତ ସାମି ‌ଫେରିଲେ, ସାମସନ ବାଦ୍‌

ମୁମ୍ବାଇ: ନ୍ୟୁଜିଲାଣ୍ଡ ଗସ୍ତର ପାଞ୍ଚ ଟିକିଆ ‌ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ରବିବାର ୧୬ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଉପଅଧିନାୟକ ରୋହିତ ଶର୍ମା ଦଳକୁ ଫେରିଥିଲା ବେଳେ କେରଳ ୱିକେଟ୍ ରକ୍ଷକ ସଞ୍ଜୁ ସାମସନଙ୍କୁ ଚୟନକର୍ତାମାନେ ବାଦ୍ ଦେଇଛନ୍ତି। ପାଞ୍ଚ ଜଣିଆ ଜାତୀୟ ଚୟନ ସମିତି ମଧ୍ୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଦଳରୁ ଫେରାଇ ଆଣିଛନ୍ତି। ଉଭୟ ସାମି ଏବଂ ରୋହିତଙ୍କୁ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ବିଶ୍ରାମ ମିଳିଥିଲା। ଅନ୍ୟପକ୍ଷରେ ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ରେ ସାମସନ୍ ଖେଳିଥିଲେ। ତେ‌ବେ ମାତ୍ର ୬ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଏହା ହିଁ ତାଙ୍କ ବିପକ୍ଷରେ ଯାଇଛି। ଏହି ତିନିଟି ଅଦଳ ବଦଳ ଛଡ଼ା ଚୟନକର୍ତା କୌଣସି ବଡ଼ ଧରଣର କିମ୍ବା ଚକିତ କଲା ଭଳି ନିଷ୍ପତ୍ତି ‌ନେଇ ନାହାନ୍ତି। ନ୍ୟୁଜିଲାଣ୍ଡ ଗସ୍ତ ଲାଗି ଟ୍ବେଣ୍ଟି-୨୦ ଦଳ ଘୋଷଣା କରାଯାଇଥିଲେ ମଧ୍ୟ ଦିନିକିଆ ଏବଂ ଟେଷ୍ଟ୍‌ ଦଳ ଘୋଷଣାକୁ ସ୍ଥଗିତ କରି ଦି‌ଆଯାଇଛି। ଏହାର କାରଣ ଅଲରାଉଣ୍ଡର ହାର୍ହିକ ପାଣ୍ଡ୍ୟା ବୋଲି ଅନୁମାନ କରାଯାଉଛି। ପାଣ୍ଡ୍ୟା ଏ ପର୍ଯ୍ୟନ୍ତ ନିଜ ଆଘାତ ଜନିତ ସମସ୍ୟାରୁ ସଂପୂର୍ଣ୍ଣ ମୁକୁଳି ନଥିବାରୁ, ତାଙ୍କୁ ଚୟନକର୍ତା ଆଉ କିଛି ସମୟ ଦେବାକୁ ଚାହୁଁଥିବା ଜଣାପଡ଼ିଛି। ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ ଏ’ ଦଳରୁ ସେ ଓହରି ଯାଇଥିବାରୁ ବିସିସିଆଇ ପାଣ୍ଡ୍ୟାଙ୍କୁ ରଣଜୀ ଟ୍ରଫି ଖେଳି ସୁସ୍ଥତାର ପ୍ରମାଣ ଦେବାକୁ ନିର୍ଦେଶ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ ଭାରତୀୟ କ୍ରିକେଟ୍ ଦଳ ଚଳିତ ମାସ ୨୦ ତାରିଖରେ ନ୍ୟୁଜିଲାଣ୍ଡ ଅଭିମୁଖେ ଯାତ୍ରା କରିବ। ଟ୍ବେଣ୍ଟି-୨୦ ଶୃଙ୍ଖଳା ୨୪ ତାରିଖରୁ ଅକଲାଣ୍ଡଠାରେ ଖେଳାଯିବ। ପାଞ୍ଚଟି ଟ୍ବେଣ୍ଟି-୨୦ ଖେଳି ସାରିବା ପରେ ଭାରତୀୟ କ୍ରିକେଟ୍ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ଏବଂ ଦୁଇ ଟିକିଆ ଟେଷ୍ଟ୍‌ ଶୃଙ୍ଖଳା ଖେଳିବ।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଲୋକେଶ ରାହୁଲ, ଶିଖର ଧାୱନ, ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ଋଷବ ପନ୍ତ (ୱିକେଟ୍ ରକ୍ଷକ), ଶିଭମ ଦୁବେ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ୱାସିଂଟନ ସୁନ୍ଦର, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ନଭଦୀପ ସୈନି, ରବୀନ୍ଦ୍ର ଜାଦେଜା, ଶାର୍ଦୁଲ ଠାକୁର।

ସମ୍ବନ୍ଧିତ ଖବର